ମେଟା ସହ ୩ ବର୍ଷିଆ ‘ଶିକ୍ଷାରୁ ଉଦ୍ୟମିତା’ ଇନିସିଏଟିଭର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ମେଟା ସହ ୩ ବର୍ଷିଆ ‘ଶିକ୍ଷାରୁ ଉଦ୍ୟମିତା’ ଇନିସିଏଟିଭର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସୋମବାର ନୂଆଦିଲ୍ଲୀରେ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ତିନି ବର୍ଷିଆ ସହଭାଗୀତା ‘ଶିକ୍ଷାରୁ ଉଦ୍ୟମିତା: ଏକ ପିଢିର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଉଦ୍ୟମିତାଙ୍କୁ ସଶକ୍ତିକରଣ କରିବା ଇନିସିଏଟିଭକୁ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରୀୟ ଉଦ୍ୟମିତା ଏବଂ ଲଘୁ ବ୍ୟବସାୟ ସଂସ୍ଥା(ଏନଆଇଇଏସବିୟୁଡି), ଅଖିଳ ଭାରତୀୟ ବୈଷୟିକ ପରିଷଦ(ଏଆଇସିଟିଇ) ଏବଂ ସିବିଏସଇ ମଧ୍ୟରେ ତିନୋଟି ପୃଥକ ପୃଥକ ଲେଟର ଅଫ୍ ଇଣ୍ଟେଣ୍ଟ୍ ସ୍ୱାକ୍ଷର ହୋଇଛି। ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ଭାରତକୁ ବିଶ୍ୱର ଦକ୍ଷତା ରାଜଧାନୀ ପ୍ରସ୍ତୁତ କରିବା ସହ ଭାରତର ଅମୃତ ପିଢିଙ୍କୁ ସଶକ୍ତ କରିବାରେ ଆଉ ଏକ ନୂଆ ପଦକ୍ଷେପ । ‘ଶିକ୍ଷାରୁ ଉଦ୍ୟମିତା’ ଏକ ଗେମ ଚେଞ୍ଜର । ଏହା ଡିଜିଟାଲ କୌଶଳକୁ ତୃଣମୂଳ ସ୍ତର ପର୍ଯ୍ୟନ୍ତ ନେବ । ଭାରତରେ ଥିବା ପ୍ରତିଭା ଭଣ୍ଡାରର କ୍ଷମତା ବୃଦ୍ଧି କରିବ । ଛାତ୍ରଛାତ୍ରୀ, ଯୁବବର୍ଗ, ମାନବ ସମ୍ବଳ, ଲଘୁ ଉଦ୍ୟୋଗୀଙ୍କୁ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା ସହ ନିରନ୍ତର ଯୋଡି ରଖିବ । ଅମୃତ ପିଢିଙ୍କୁ ଆଗାମୀ ଭବିଷ୍ୟତର ସମସ୍ୟାର ସମାଧାନର ସୂତ୍ରଧର ହେବେ ଏବଂ ଉଦ୍ୟମୀ ଭାବରେ ପରିଣତ କରିବ ।

 

ଭାରତର ଡେମୋକ୍ରାସୀ, ଡେମୋଗ୍ରାଫି ଏବଂ ଡାଇଭରସିଟିକୁ ଟେକ୍ନୋଲୋଜି ସହ ଯୋଡା ହେବ । ଏହା ଦ୍ୱାରା ସମାଜରେ ପ୍ରଯୁକ୍ତିବିଦ୍ୟା ସମାନ ଭାବରେ କାମ କରିବ । ଜାତୀୟ ଶିକ୍ଷା ନୀତି ଆଧାରରେ ମେଟାର ଏନଆଇଇଏସବିୟୁଡି, ଏଆଇସିଟିଇ ସିବିଏସଇ ମଧ୍ୟରେ ସହଭାଗୀତା ଜନସାଧାରଣଙ୍କ ପାଇଁ ଡିଜିଟାଲ ସ୍କିଲିଂରେ ଅପାର ସମ୍ଭାବନା ତିଆରି କରିବ । ଲଘୁ ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ମଧ୍ୟ ବଳ ଦେବ । ମେଟାର ଗ୍ଲୋବାଲ ଆଫେୟାର୍ସର ସଭାପତି ନିକ୍ କ୍ଲେଗ ମାନବସମ୍ବଳ ଦିଗରେ ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସହଯୋଗ ପାଇଁ ଧନ୍ୟବାଦ ଜଣାଇବା ସହ ସେ କହିଛନ୍ତି ଯେ ଭାରତ ପ୍ରତିଭା ତଥା ଦ୍ରୁତ ଗତିରେ ଡିଜିଟାଲ ଗ୍ରହଣୀୟତା ଉଭା ହେଉଥିବା ପ୍ରଯୁକ୍ତିବିଦ୍ୟାରେ ପୁଞ୍ଜିନିବେଶ କରିବା ପାଇଁ ଏକ ଅନୁକୂଳଯୁକ୍ତ ବାତାବରଣ ପ୍ରଦାନ କରିଛି ।ଏନଆଇଇଏସବିୟୁଡିର ସହଭାଗୀତାରେ ଆଗାମୀ ୩ ବର୍ଷରେ ମେଟା ଦ୍ୱାରା ୫ ଲକ୍ଷରୁ ଅଧିକ ଉଦ୍ୟମୀଙ୍କୁ ଡିଜିଟାଲ ମାର୍କେଟିଂ ଦକ୍ଷତା ପ୍ରଦାନ କରାଯିବ । ପ୍ରାରମ୍ଭରେ ବର୍ତ୍ତମାନର ଉଦ୍ୟମୀଙ୍କୁ ମେଟା ପ୍ଲାଟଫର୍ମରେ ୭ଟି ଆଞ୍ଚଳିକ ଭାଷାରେ ଡିଜିଟାଲ ମାର୍କେଟିଂ ସ୍କିଲ୍ ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ଶିକ୍ଷା ରାଷ୍ଟ୍ର ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.