ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରିବା ଦାବିରେ ସୋମବାର ବ୍ଳକ କୃଷକ ସଚେତନ ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୩ ଦଫା ସମ୍ବଳିତ ଏକ ଦାବିପତ୍ର କୋକସରା ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। କୃଷକ ସଚେତନ ମଞ୍ଚର ସଭାପତି ଶିବ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ବରେ ବ୍ଲକର ୨୨ ଗୋଟି ପଞ୍ଚାୟତର ଚାଷୀ ମାନେ ଏକତ୍ରିତ ହେବାପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରୁ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ନାରା ଦେଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ଏହାପରେ ଗରୁଡଧ୍ବଜ ମାଝୀଙ୍କ ସଭାପତିତ୍ବରେ ତହସିଲ କାର୍ଯ୍ୟାଳୟ ଆଗରେ ପ୍ରତିବାଦ ସଭା କରି ଦାବି ଉପସ୍ଥାପନ କରିଥିଲେ। ଦାବି ଗୁଡ଼ିକ ମଧ୍ୟରେ କୋକସରା ବ୍ଳକର ୨୨ ଗୋଟି ପଞ୍ଚାୟତକୁ ସମ୍ପୁର୍ଣ ମରୁଡି ଘୋଷଣା ଏବଂ ସମସ୍ତ ପ୍ରକାର କୃଷିଋଣ ଛାଡ, ସମସ୍ତ ଋଣୀ ଓ ଅଣରଣୀ ଚାଷୀଙ୍କୁ ଶସ୍ୟବୀମା ଯୋଗାଇ ଦିଆଯାଉ ଓ ମହାମରୁଡିର ଭୟାଭୟତାକୁ ଉପଲବ୍ଧି କରି ଶସ୍ୟବୀମାର ଅବଧିକୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି, ସିଉନୀ ଏମଆଇପି ଉଚ୍ଚତା ବୃଦ୍ଧି, ପଙ୍କ ଉଦ୍ଧାର ଓ କେନାଲ ମରାମତି କରାଯିବା ସଙ୍ଗେସଙ୍ଗେ ମଞ୍ଜୁରୀପ୍ରାପ୍ତ କୁରେଯୋରରୁ ପାଣି ଲିଫ୍ଟ କରି ୩ ନମ୍ବର କେନାଲ ମାଧ୍ୟମରେ ଜଳସେଚନର ବ୍ୟବସ୍ଥା, ବେହେରା ଏମ୍ ଆଇପିର ଉଚ୍ଚତା ବୃଦ୍ଧି ଓ ପଙ୍କ ଉଦ୍ଧାର କରାଯିବା ସହିତ କେନାଲ ମରାମତି, କନ୍ଦାଗଡ ଗ୍ରାମର ମୋଡୋସିଲ, ବଡପୋଡାଗୁଡା ଗ୍ରାମର ଜତାଖୋଲିଆ, ଗୋତମୁଣ୍ଡା ଗ୍ରାମର ଅଠରନଳା ଓ ସାନପୋଡାଗୁଡା ଗ୍ରାମର ପେନଶାଲ (ମାକରଡିଆଁ)ରେ ନୂତନ ଏମ୍ ଆଇପି ଜଳଭଣ୍ଡାର ନିର୍ମାଣ, ଚଳିତ ଖରିଫ ଋତୁର ମରୁଡି ଜନିତ କ୍ଷୟକ୍ଷତିରୁ ଚାଷୀମାନଙ୍କୁ ଭରଣା କରିବା ନିମନ୍ତେ ରବିଋତୁ ପାଇଁ ତୈଳବୀଜ, ଶସ୍ୟବୀଜ ତଥା ପନିପରିବା ବୀଜ, ସାର ଓ ଔଷଧ ମାଗଣାରେ ଯୋଗାଇ ଦିଆଯାଉ, କୃଷିଋଣକୁ ସରକାର ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଦ୍ଧ ଛାଡ । ତେଣୁ ବ୍ୟବସାୟିକ ବ୍ୟାଙ୍କମାନଙ୍କୁ ମଧ୍ୟ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିରଣ ଉପରେ ସୁଧ ଛାଡ କରିବାପାଇଁ ନିର୍ଦ୍ଦେଶ ଦିଆଯାଉ, ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀ ଙ୍କ ସମସ୍ତ ପ୍ରକାରର ଫିଜ୍ ଛାଡ କରାଯିବ ଭଳି ୨୩ ଗୋଟି ଦାବୀ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋକସରା ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟି ପାତ ଯୋଗୁଁ ଗଜା ମରୁଡି ସହ ଅନେକ କ୍ଷେତ ରେ ରୁଆ ବେଉଷଣ ହୋଇପାରିନଥିବା ଯୋଗୁଁ ଚାଷୀମାନେ ନିରାଶଜନକ ସ୍ଥିତି ଦେଖିବାକୁ ମିଳିଛି l ବ୍ଲକରେ ଧାନ ଚାଷ ପାଇଁ ୧୯୫୩୦ ହେକ୍ଟର ଚାଷ ଜମି ରୁ ୬୫୮୫ ହେକ୍ଟର ରେ ବୁଣା ଓ ୧୧୯୨୦ ହେକ୍ଟର ରେ ରୁଆ କାର୍ଯ୍ୟ ହୋଇଥିବାବେଳେ ଅବଶିଷ୍ଟ ଜମିରେ ଚାଷ କାର୍ଯ୍ୟ ମଧ୍ୟ ହୋଇନାହିଁ l ବ୍ଲକ ରେ ୧୧୫୦୬ ହେକ୍ଟର ଜମି ଜଳସେଚିତ, ଗତବର୍ଷ ଅଗଷ୍ଟ ଶେଷରେ ୩୫୭ମିମି ବର୍ଷା ହୋଇଥିବା ବେଳେ ଚଳିତ ବର୍ଷ ୧୮୧ ମିମି ବର୍ଷା ହୋଇ ଗତବର୍ଷ ତୁଳନାରେ ୧୭୬ମିମି କମ ବର୍ଷା ହୋଇଥିବା କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି l ବ୍ଲକର ଅଣଜଳସେଚିତ ଅଞ୍ଚଳ ର ଚାଷୀ ଙ୍କ ଜମି ଫାଟି ଆଁ କରିଥିବା ବେଳେ କିଛି କ୍ଷେତ ରେ ଲୋକେ ଗାଈଗୋରୁ ଛାଡି ଦେଲେଣି, ପୁଣି ଇନ୍ଦ୍ରାବତୀ ଜଳପ୍ରକଳ୍ପ ରେ ପାଣି କମ ଥିବାରୁ ଭୁତଳ ପାଇପ ଯୋଗେ ଜଳସେଚନ ଓ ବାମ କେନାଲ ରେ ପର୍ଯ୍ୟାୟ କ୍ରମେ ଜଳସେଚନ ଚାଷୀଙ୍କ ଚିନ୍ତା ବଢ଼ାଇଛି। ଏନେଇକୋକସରା ବ୍ଲକ କୃଷକ ସଚେତନ ମଞ୍ଚ ସଭାପତି ଶିବ ପ୍ରସାଦ ପ୍ରଧାନୀ, ସମ୍ପାଦକ ଜୟଲାଲ ନାଏକ, କୋଷାଧକ୍ଷ ଚିନ୍ତାମଣି ପଟେଲ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ,ମୀନକେତନ ପ୍ରଧାନୀ, ନାରାୟଣ ପଟ୍ଟନାୟକ, ଗରୁଡ଼ଧ୍ଵଜ ମାଝୀ, ଋତୁରାଜ ମାଝୀ, ଧନେଶ୍ୱର ପଣ୍ଡା, ନକୁଳ ନାଏକ, କ୍ଷିତିରାମ ପାତ୍ର, ଘନଶ୍ୟାମ ନାଏକ, ସୁଧୀର ପାତ୍ର, ଲଷ୍ମୀକାନ୍ତ ପ୍ରଧାନୀ, କିଶୋର ଚନ୍ଦ୍ର ପ୍ରଧାନୀ, କୁମୁଦ ଚନ୍ଦ୍ର ପୁଝାରୀ, ପଞ୍ଚକ ପୋଡ଼, ରାମକୃଷ୍ଣ ମାଝୀ, ପ୍ରମୁଖ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ l