ମନପସନ୍ଦ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ୪ ହଜାର କିଲୋମିଟର ସାଇକେଲ୍‌ ଯାତ୍ରା

ଓଡ଼ିଆ ବାର୍ତ୍ତା/ କାଇରୋ: ମନପସନ୍ଦ କଲେଜ ହେଉ ବା ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ଅଧିକାଂଶ ଛାତ୍ରଛାତ୍ରୀ ସ୍ୱପ୍ନ ଦେଖିଥାନ୍ତି । ସେଥିଲାଗି ସେମାନେ ନିଜର ଘର ଛାଡ଼ିବାକୁ ବାଧ୍ୟ ହୋଇଥାନ୍ତି । ଏବେ ଜଣେ ଛାତ୍ର ନିଜ ସ୍ୱପ୍ନର ବିଶ୍ୱବିଦ୍ୟାଳୟରେ ପଢିବା ପାଇଁ ୪ହଜାର କିଲୋମିଟର ସାଇକେଲ ଚଲାଇ ଯାଇଛନ୍ତି । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ ।

ଇଜିପ୍ଟରେ ରହିଛି ଖ୍ୟାତନାମା ବିଶ୍ୱବିଦ୍ୟାଳୟ ‘ଅଲ-ଆଝାର ଅଲ୍‌-ଶରିଫ୍‌’ । ଏଠାରେ ପଢ଼ିବା ପାଇଁ ଅନେକ ଛାତ୍ର ଇଛା କରିଥାନ୍ତି । କାରଣ ସୁନି ଇସ୍‌ଲାମିକ୍ ଶିକ୍ଷା ନିମନ୍ତେ ଏହି ବିଶ୍ୱବିଦ୍ୟାଳୟର ସୁଖ୍ୟାତି ଅଛି । ମାମାଦେ ସାଫାୟୋୟୁ ବାରି ନାମକ ଜଣେ ୨୫ ବର୍ଷୀୟ ଛାତ୍ର ପଶ୍ଚିମ ଆଫ୍ରିକୀୟ ଦେଶ ଗିନିରୁ ସାଇକେଲ୍ ଚଢ଼ି ପ୍ରାୟ ୪୦୦୦ କିଲୋମିଟର ରାସ୍ତା ଅତିକ୍ରମ କରି ଇଜିପ୍ଟରେ ପହଞ୍ଚିଛନ୍ତିି । ସେ ୪ ମାସ ମଧ୍ୟରେ ୬ଟି ଦେଶ ଅତିକ୍ରମ କରିଥିଲେ । ବାଟରେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ମଧ୍ୟ ପଡ଼ିଥିଲା । କିନ୍ତୁ, ଇଜିପ୍ଟର ରାଜଧାନୀ କାଇରୋରେ ପହଞ୍ଚିବା ପରେ ତାଙ୍କୁ ‘ଫୁଲ୍ ସ୍କଲାରସିପ୍‌’ ମିଳିଲା ।

ମାମାଦେ କହିଛନ୍ତି ଯେ, ବିଶ୍ୱବିଦ୍ୟାଳୟର ସୁଖ୍ୟାତିରେ ଆକର୍ଷିତ ହୋଇ ଅଲ୍‌-ଆଝାରରେ ଇସ୍‌ଲାମିକ୍ ପାଠ୍ୟକ୍ରମ ପଢ଼ିବା ପାଇଁ ମୋର ଆଗ୍ରହ ଥିଲା । ମୋ ପାଖରେ ଅଲ୍‌-ଆଝାରରେ ପଢିବା ଓ ବିମାନ ଟିକେଟ କିଣିବା ଲାଗି ସମ୍ବଳ ନ ଥିଲା । ତେଣୁ ସାଇକେଲ୍ ଚଳାଇ ମାଲି, ବୁର୍କିନା ଫାସୋ, ତୋଗୋ, ବେନିନ୍‌, ନିଗର ଓ ଚାଦ୍ ରାସ୍ତା ଦେଇ କାଇରୋରେ ପହଞ୍ଚିଥିଲି । ଏହି ସବୁ ଦେଶ ଦେଇ ଆସିବା ମୋ ପାଇଁ ସହଜ ନ ଥିଲା । ସେଠାକାର ନିରାପତ୍ତା ବ୍ୟବସ୍ଥା ଯୋଗୁ ମୋତେ ୩ ଥର ଗିରଫ କରାଯାଇ ଅଟକ ରଖାଯାଇଥିଲା । କାଇରୋରେ ପହଞ୍ଚିିବା ପରେ ବିଶ୍ୱବିଦ୍ୟାଳୟର ଡିନ୍ ଡକ୍ଟର ନହ୍‌ଲା ଏଲ୍‌ସେଇଦି ତାଙ୍କୁ ଭେଟି ‘ଇସ୍‌ଲାମିକ୍ ଷ୍ଟଡି କୋର୍ସ ପାଇଁ ସିଟ୍ ଅଫର କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.