ରୁଷିଆ-ୟୁକ୍ରେନ ଯୁଦ୍ଧ ମୃତକଙ୍କ ପାଇଁ ଯୁବତୀ ଦେଲେ ପିଣ୍ଡଦାନ

ଓଡ଼ିଆ ବାର୍ତ୍ତା/ ଗୟା : ଏବେ ଚାଲିଛି ପିତୃପକ୍ଷ । ଏହି ଅବସରରେ ୟୁକ୍ରେନର ଜଣେ ଯୁବତୀ ଗୟାରେ ପିଣ୍ଡଦାନ କରୁଥିବା ନଜର ଆସିଛନ୍ତି । ଏହା ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ସେ ରୁଷିଆ ଓ ୟୁକ୍ରେନ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା ସୈନିକ ଓ ସାଧାରଣ ଲୋକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ ପାଇଁ ଏହି ପିଣ୍ଡଦାନ କରୁଥିବା ଜଣାଯାଇଛି ।ୟୁକ୍ରେନର ଯୁବତୀ ଉଲିୟା ଜିତୋମାରସ୍କି । ରୁଷିଆ-ୟୁକ୍ରେନ ଯୁଦ୍ଧରେ ତାଙ୍କ ପିତାମାତାଙ୍କର ମୃତ୍ୟୁ ଘଟିଛି । ତେଣୁ ଏବେ ପିତୃପକ୍ଷ ଚାଲିଥିବାରୁ ତାଙ୍କ ବାପାମାଆଙ୍କ ପିଣ୍ଡଦାନ କରିବାକୁ ଗୟା ଆସିଛନ୍ତି । ସେ ଫଲଗୁ ନଦୀ କୂଳରେ ବସି ନିଜ ବାପାମାଆଙ୍କ ପିଣ୍ଡଦାନ କରିଥିଲେ । କେବଳ ସେତିକି ନୂହେଁ, ସେ ରୁଷିଆ-ୟୁକ୍ରେନ ଯୁଦ୍ଧରେ ମୃତ୍ୟୁ ଘଟିଥିବା ୟୁକ୍ରେନ ଏବଂ ରୁଷିଆର ସୈନିକ ତଥା ସାଧାରଣ ଲୋକଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରିବାର ପ୍ରୟାସ କରୁଛନ୍ତି । ବିଶ୍ୱ ଶାନ୍ତିରେ ହିନ୍ଦୁ ଧାର୍ମିକ ବିଶ୍ୱାସର ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲିୟା କହିଛନ୍ତି । ସେ ଫଲଗୁ ନଦୀ କୂଳରେ ପିଣ୍ଡଦାନ କରିବା ସହିତ ତିଳତର୍ପଣ ବି କରିଛନ୍ତି । ଉଲିୟା କହିଛନ୍ତି ଯେ,ରୁଷିଆ-ୟୁକ୍ରେନ ଯୁଦ୍ଧ ଖୁବ୍‌ଶୀଘ୍ର ଶେଷ ହେଉ । ଦୁଇ ଦେଶ ମଧ୍ୟରେ ଶାନ୍ତି ପ୍ରତିଷ୍ଠା ହେଉ ବୋଲି ମୁଁ ପ୍ରାର୍ଥନା କରୁଛି । ଶୁଣିଛି ଗୟାରେ ତର୍ପଣ କଲେ ମୃତକଙ୍କ ଆତ୍ମା ଶାନ୍ତି ଲାଭ କରିଥାଏ । ମୁଁ ଦ୍ୱିତୀୟ ଥର ପାଇଁ ଗୟାରେ ପିଣ୍ଡ ଦାନ କରୁଛି । ଯେତେବେଳେ ମୁଁ ପ୍ରଥମ ଥର ଆସିଥିଲି, ଏଠାରେ ମୋତେ ଶାନ୍ତି ଲାଗିଥିଲା । ବର୍ତ୍ତମାନ ଦ୍ୱିତୀୟ ଥର ପାଇଁ ମୁଁ ଯୁଦ୍ଧରେ ନିହତ ହୋଇଥିବା ପିତାମାତା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କ ଆତ୍ମାର ଶାନ୍ତି ପାଇଁ ପିଣ୍ଡଦାନ କରୁଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.