ଅଲୀଗଡ ହେବ ହରିଗଡ; ପୁଣି ନାଁ ବଦଳାଇବା ପ୍ରକ୍ରିୟା ଆରମ୍ଭ

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଯୋଗୀ ଆଦିତ୍ୟନାଥଙ୍କ ଶାସନ ଆରମ୍ଭ ହେବା ପରେ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଥିବା ନାମ ପରିବର୍ତ୍ତନ ଧାରାରେ ସାମିଲ ହେବାକୁ ଯାଉଛି ଉତ୍ତର ପ୍ରଦେଶର ଆଉ ଏକ ଚର୍ଚ୍ଚିତ ସହର । ପୂର୍ବରୁ ସରକାର ଆହ୍ଲାବାଦ ଓ ଫୈଜାବାଦର ନାଁକୁ ପରିବର୍ତ୍ତନ କରିଥିଲେ । ଆଉ ଏବେ ଏହି ତାଲିକାରେ ରାଜ୍ୟର ଆଉ ଏକ ପ୍ରମୁଖ ସହର ଅଲୀଗଡ ସାମିଲ ହେବାକୁ ଯାଉଛି । ସୋମବାର ମହାନଗର ନିଗମ ବୈଠକରେ ମେୟର ପ୍ରଶାନ୍ତ ସିଙ୍ଘଲ ଏହି ପ୍ରସ୍ତାବ ଆଗତ କରିଥିଲେ । ଏନେଇ ଅଲୀଗଡ ପୌରନିଗମ ସର୍ବସମ୍ମତିକ୍ରମେ ନାଁ ବଦଳାଇବା ପ୍ରସ୍ତାବ ଉପରେ ମୋହର ମାରିଛି । ପ୍ରୟାଗରାଜ ଓ ଅଯୋଧ୍ୟା ପରେ ଏଣିକି ଅଲୀଗଡ ର ନାଁ ହରିଗଡ ଭାବେ ପରିଚୟ ହାସଲ କରିବ । ମହାନଗର ନିଗମ ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରିବେ । ଏହାପରେ ଯୋଗୀ କ୍ୟାବିନେଟ ଏହାକୁ ଗ୍ରୀନ ସିଗନାଲ ଦେବା ପରେ କେନ୍ଦ୍ରର ଅନୁମତି ନିଆଯିବ । ଯଦି କେନ୍ଦ୍ର ସରକାର ଏହାକୁ ସବୁଜ ସଙ୍କେତ ଦେବେ, ତା’ହେଲେ ଖୁବଶୀଘ୍ର ଅଲୀଗଡ ହରିଗଡ ଭାବେ ପରିଚୟ ପାଇବ । ତେବେ ୨୦୧୯ରେ ରାଜ୍ୟ ସରକାର ରାଜ୍ୟର ଦ୍ବିତୀୟ ବୃହତ୍ତମ ସହର ଆହ୍ଲାବାଦର ନାଁକୁ ପ୍ରୟାଗରାଜକୁ ବଦଳାଇଥିଲେ । ସେହିପରି ଫୈଜାବାଦ ଜିଲ୍ଲାକୁ ମଧ୍ୟ ଅଯୋଧ୍ୟା ଭାବେ ପରିବର୍ତ୍ତନ କରାଯାଇଛି । ମୋଗଲସରାଇ ଜଙ୍କସନକୁ ମଧ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ ଭାବେ ପୁନଃନାମିତ କରିସାରିଛନ୍ତି ଯୋଗୀ ସରକାର ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.