ବିପଦ ସଂକୁଳ ଅବସ୍ଥାରେ ଛତିକୁଡା ବ୍ରୀଜ, ଶୀଘ୍ର ମରାମତି ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ର ସାନ୍ତପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଛତିକୁଡା ଛକର ଅନତିଦୁରରେ ଛତିକୁଡା- ଭବାନୀପାଟଣା ରାସ୍ତାରେ ରେତ୍ ନଦୀ ଉପରେ ରହିଛି ଛତିକୁଡା ବ୍ରୀଜ । ଏହା ନର୍ଲା ଓ ଭବାନୀପାଟଣା ସଦର ବ୍ଲକ୍‌, ଜିଲ୍ଲା ସଦର ମହକୁମାକୁ ସଂଯୋଗ କରୁଛି । କେବଳ ନର୍ଲା ଓ ଭବାନୀପାଟନା ବ୍ଲକ୍ ନୁହଁ ଲାଞ୍ଜିଗଡ ବ୍ଲକ୍ ସହିତ ରାୟଗଡା ଜିଲ୍ଲାକୁ ମଧ୍ୟ କଳାହାଣ୍ଡି ଜିଲ୍ଲା ସହିତ ସଂଯୋଗ କରୁଛି । କେଉଁ ଆବହମାନ କାଳରୁ ଇଂରେଜ ଶାସନ ଅମଳରୁ ନିର୍ମିତ ହୋଇଥିବା ଏହି ବ୍ରୀଜ ଟି ର ଦୁଇପଟେ ବାଡ ନଥିଲା । ୧୯୮୦ ମସିହା ଓ ୧୯୮୨ ମସିହାରେ ଦୁଇଗୋଟି ବଡଧରଣର ଦୁର୍ଘଟଣା ଘଟିବା ପରେ ପିଡବ୍ଲୁଡି ବିଭାଗ କୁ ଚେତା ପଶିଲା । ଏବଂ ବ୍ରୀଜର ଦୁଇକଡେ ସିମେଣ୍ଟେଡ ଜାଲି ବାଡ ନିର୍ମାଣ କରାଯାଇଥିଲା । ତା ପରେ ଦୀର୍ଘ ୪୦ ବର୍ଷ ହୋଇଗଲା ବ୍ରୀଜ ଟିର ଖଣ୍ଡିଆ ଖାବରା ସ୍ଥାନରେ ନାମକୁ ମାତ୍ର ଟିକେ ସିମେଣ୍ଟ ଘସି ଦିଆଯାଉଥିବା ବେଳେ ଆଖିଦୃଶିଆ କୌଣସୀ ପ୍ରକାରର ମରାମତି ହୋଇପାରୁନି ।

ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଏହାର ଆୟୁଷ କମି କମି ଆସୁଥିବା ବେଳେ ବ୍ରିଜ ଦୁଇପଟେ ରହିଥିବା ସୁରକ୍ଷା ବଡ଼ ଭାଙ୍ଗି ସାରିଥିବା ବେଳେ ବ୍ରିଜ ମଝିରେ ବଡ ବଡ ଖାଲ ସୃଷ୍ଟି ହେଲାଣି । ଅନ୍ୟପକ୍ଷେ ଦିନକୁ ଦିନ ଯାନ ବାହନର ଗମନା ଗମନ ସଂଖ୍ୟା ବଢିବାରେ ଲାଗିଛି । ବ୍ରୀଜର ମଝି ଅଂଶ ରୁ କଂକ୍ରୀଟ ସବୁ ବାହାରି ଯାଇ ରଡ ସବୁ ବାହାରିପଡିବା ସହିତ ଛାତ ମଝିରେ ବଡ ବଡ ଗର୍ତ୍ତ ସୃଷ୍ଟି ହେଲାଣି । ଆଉ ଅଳ୍ପ ଦିନ ମଧ୍ୟରେ ଏହାର ଆୟୁଷ ସାରିଯିବ । ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ପଶ୍ଚିମବଙ୍ଗ କଲିକତାରୁ ଟନ ଟନ ମାଲ ବୋଝେଇ ୨୦ ଓ ୨୨ ଚକିଆ ଯାନ ହଜାର ହଜାର ସଂଖ୍ୟାରେ ନିତ୍ୟ ଚାଲୁଛି । ଏଣୁ ସ୍ୱାଭାବିକ ଭାବରେ ବ୍ରିୀଜଟି ର ପରମାୟୁ କମି ଆଉ ମାତ୍ର ବର୍ଷେ ଦୁଇ ବର୍ଷ ଭିତରେ ଭାଙ୍ଗିଯିବ ଓ ଏଥିପାଇଁ କେତେବେଳେ ଯେ ବଡ ଧରଣର ଦୁର୍ଘଟଣା ଘଟିବ ତାହା କେହି କହିପାରିବେ ନାହିଁ ।
ଚଳିତ ବର୍ଷ ବର୍ଷାଦିନ ପରଠୁ ଏହାର ଅବସ୍ଥା ଆହୁରି ସାଙ୍ଘାତିକ ହୋଇପଡିଥିବା ବେଳେ ଭବାନୀପାଟଣା ଯିବା ସମୟରେ ଏହି ବ୍ରୀଜଟିର ବାମ ପାଶ୍ୱର୍ ୪୫ ପ୍ରତିଶତ ଛାତ ଭାଙ୍ଗି ପଡିବା ଫଳରେ ବିଭାଗ ତରଫରୁ ଧର୍ମକୁ ଆଖିଠାର ସଦୃଶ ସିମେଣ୍ଟ କଂକ୍ରୀଟ ପେଚ୍ ପକାଯାଇ ଗତ ତା.୨୬/୧୨ ସୂର୍ଯ୍ୟପରାଗ ଦିନଠାରୁ ଏହି ପାଶ୍ୱର୍ଟିକୁ ଡାଳ ଘୋଡେଇ ସେପଟେ ଯିବା ପାଇଁ ବାରଣ କରାଯାଇଛି । ଫଳରେ ଗାଡି ମୋଟର, ଭାରିଯାନ ଗୁଡିକ ବ୍ରୀଜର କେବଳ ଡାହାଣ ପଟେ ଯିବା ଆସିବା କରୁଛନ୍ତି ।
ଆୟୁଷ ସରି ଆସୁଥିବା ଏହି ଛତିକୁଡା ବ୍ରୀଜର ମରାମତି, ନିର୍ମାଣ ଓ ରକ୍ଷଣାବେକ୍ଷଣ ବିଷୟରେ ପିଡବ୍ଲୁଡି ବିଭାଗର ନିର୍ବାହୀ ଯନ୍ତୀ ଅଜିତ ବାବୁଙ୍କ ମତାମତ ଜାଣିବାକୁ ଚାହିଁବାରୁ ସେ କହିଲେ ଅତ୍ୟଧିକ ଖାଲଖମାର ହୋଇଯିବା ଫଳରେ ତିନିଦିନ ତଳେ କଂକ୍ରୀଟ ପେଚ୍ ପକା ହୋଇଛି । ଏହି ବ୍ରୀଜଟିର ପୁନଃ ନିର୍ମାଣ ପାଇଁ ଆମେ ସରକାରଙ୍କୁ ପ୍ରସ୍ତାବ ଦେଇଛୁ । ପ୍ରଶାସନ ଯଦି ଏହି ଗୁରୁତ୍ୱପୂର୍ଣ୍ଣ ଛତିକୁଡା ବ୍ରୀଜଟିର ଅବସ୍ଥା ପ୍ରତି ଗୁରୁତ୍ୱ ନଦିଏ ତାହେଲେ ତାହେଲେ ବିବାଗୀୟ ଅଧିକାରୀ ଓ ପ୍ରଶାସନିକ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ଅବହେଳା ପ୍ରଦର୍ଶନର ପ୍ରତିଫଳନ ସ୍ୱରୁପ କେତେବେଳେ କଣ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ । ବ୍ରିଜଟିର ଶୀଘ୍ର ମରାମତି ପାଇଁ ଶାନ୍ତପୁର ର ସମିତି ସଦସ୍ୟ ଜୟ ମେହେର, ପୂର୍ବତନ ସରପଞ୍ଚ ଟିକେଧର ସାହୁ, ପୂର୍ବତନ ସମିତି ସଦସ୍ୟ ଗୋବିନ୍ଦ ତାଣ୍ଡି, ଗୋହୀରାପଦର ଲକ୍ଷ୍ମୀପୂଜା କମିଟିର ସଭାପତି ଖୁଲୁରାମ ସାହୁ ଏବଂ ଅଞ୍ଚଳବାସୀ ଦାବୀ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.