ଜୟନ୍ତ ବେହେରାଙ୍କୁ ଦେବଗିରି, କେଦାର କବାଟଙ୍କୁ ଯୁବ ସମ୍ମାନ: ସାହିତ୍ୟରେ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ଶିକ୍ଷାରେ ଇଂ. ଅଜୟ ପଣ୍ଡା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ‘ଦେବଗିରି ସମ୍ମାନ’ ପାଇବେ ବିଶିଷ୍ଟ ସଂସ୍କୃତି ସଂଗଠକ ଜୟନ୍ତ କୁମାର ବେହେରା। ଜୀବନବ୍ୟାପୀ ସାଧନା ପାଇଁ ତାଙ୍କୁ ଏହି ମର୍ଯ୍ୟାଦାଜନକ ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। କଳାହାଣ୍ଡିର ବୀରବାଦ୍ୟ ‘ଘୁମୁରା’ ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକନୃତ୍ୟକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବାରେ ଶ୍ରୀ ବେହେରାଙ୍କ ଅବଦାନ ଅନସ୍ବୀକାର୍ଯ୍ୟ। ତାଙ୍କ ନେତୃତ୍ୱରେ ୧୯୮୭ରେ ରୁଷରେ ଅନୁଷ୍ଠିତ ଭାରତ ଉତ୍ସବରେ, ୨୦୧୨ରେ ବେଜିଂ ଏସିଆଡରେ, ୨୦୨୨ରେ ଦୁବାଇରେ ଘୁମୁରା ନୃତ୍ୟ ପରିବେଷଣ କରାଯାଇଛି। ଦୀର୍ଘ ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବ ସମୟ ଧରି ସେ ଜଣେ ସଂସ୍କୃତି ଓ କ୍ରୀଡ଼ା ସଂଗଠକ, ସମାଜସେବୀ, ଅଭିନେତା, ନୃତ୍ୟଗୁରୁ, ସାମ୍ବାଦିକ, ଲେଖକ ଆଦି ବିଭିନ୍ନ ଭୂମିକାରେ ସଫଳ ହୋଇଛନ୍ତି।

ଏଥିସହ ‘ଦେବଗିରି ଯୁବ ସମ୍ମାନ’ ପାଇବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କରାଟେ ଖେଳାଳୀ ତଥା ସମାଜସେବୀ କେଦାର କବାଟ। ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବାସିନ୍ଦା ଶ୍ରୀ କବାଟ ୨୦୧୨ ମସିହାରେ ମାଲେସିଆରେ ଆୟୋଜିତ ଏସିଆନ୍ କରାଟେ ଚାମ୍ପିୟନସିପ୍ ବିଜେତା ହୋଇଥିବା ବେଳେ ବିଭିନ୍ନ ଅନ୍ତର୍ଜାତୀୟ ମଞ୍ଚରେ ନିଜର କଳା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଏଥିସହ ସେ ଗୁରୁ କୃପା ସେବା ଟ୍ରଷ୍ଟ ପ୍ରତିଷ୍ଠା କରି ନିଜସ୍ୱ ପାଣ୍ଠିରୁ ପ୍ରତିଦିନ ୨୫-୩୦ ଜଣ ଅସହାୟ ବ୍ୟକ୍ତିଙ୍କୁ ନିଃଶୁଳ୍କ ଭୋଜନ ପ୍ରଦାନ ସହ ଶୀତବସ୍ତ୍ର ବଣ୍ଟନ ଆଦି ସେବା କରିଆସୁଛନ୍ତି। କରୋନା ମହାମାରୀ ସମୟରେ ମଧ୍ୟ ତାଙ୍କର ଜନସେବା ଉଲ୍ଲେଖନୀୟ ଥିଲା। ଶ୍ରୀ କବାଟଙ୍କ ଛାତ୍ରଛାତ୍ରୀମାନେ ରାଜ୍ୟ ଓ ଜାତୀୟ ସ୍ତରରେ କରାଟରେ କୃତିତ୍ୱ ଲାଭ କରିଛନ୍ତି।

ସେହିପରି ଏବର୍ଷର ‘ଦେବଗିରି ସାହିତ୍ୟ ସମ୍ମାନ’ ପାଇବେ ବିଶିଷ୍ଟ ଲେଖିକା ଡ. ପଲ୍ଲୀଶ୍ରୀ ପଟ୍ଟନାୟକ। ସମ୍ପ୍ରତି କଳାହାଣ୍ଡି ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଭାବେ କାର୍ଯ୍ୟରତ ଡ. ପଟ୍ଟନାୟକଙ୍କ ଗଳ୍ପ ସଂକଳନ ‘ନିଃସଙ୍ଗ ନିଳୟ’, ‘ଚେନାଏ ଆକାଶ, ମୁଠାଏ ପୃଥିବୀ’, ‘ସ୍ତ୍ରୀ’, ‘ଗୋଟେ ଏକ୍ଳା ସ୍ତ୍ରୀଲୋକର ବାୟୋଗ୍ରାଫି’, ଉପନ୍ୟାସ ‘ମେଘ ମହ୍ଲାର’, ପ୍ରବନ୍ଧ ସଂକଳନ ‘ଶତାବ୍ଦୀର ସ୍ୱରଲିପି’, ସମାଲୋଚନା ପୁସ୍ତକ ‘ଜୀବନ ଓ ସାହିତ୍ୟ’, ‘ବାଲେଶ୍ଵର ଓ କଳାହାଣ୍ଡିର ଲୋକୋକ୍ତି : ଏକ ତୁଳନାତ୍ମକ ଅଧ୍ୟୟନ’, ‘ସମକାଳର ସମାଲୋଚନା’, ଇଂରାଜୀ କବିତା ସଂକଳନ ‘ବିୱେର୍ ଆଇ ଏମ୍ ଏ ରେବେଲ୍’ ଆଦି ପ୍ରକାଶିତ ହୋଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ଏଥିସହ ଜଣେ ଅନୁବାଦିକା ତଥା ସମାଜସେବୀ ଭାବେ ସକ୍ରିୟ ଅଛନ୍ତି।

ଏଥିସହ ‘ଦେବଗିରି ଶିକ୍ଷା ସମ୍ମାନ-୨୦୨୩’ ପାଇବେ ବିଶିଷ୍ଟ ଶିକ୍ଷାବିତ ଇଂ. ଅଜୟ ପଣ୍ଡା। ପ୍ରଗତି ଶିକ୍ଷାନୁଷ୍ଠାନ ମାଧ୍ୟମରେ କଳାହାଣ୍ଡି ତଥା ପଶ୍ଚିମ ଓଡ଼ିଶାରେ ଗୁଣାତ୍ମକ ଶିକ୍ଷା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଶ୍ରୀ ପଣ୍ଡା ଗରିବ ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ ଶିକ୍ଷାଦାନ ସହ ସମାଜସେବା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। କରୋନା ମହାମାରୀ ସମୟରେ ଅକ୍ସିଜେନ୍ ବ୍ୟାଙ୍କ ଖୋଲିବା ସହ ଅକ୍ସିମିଟର, ମାସ୍କ, ଶୁଖିଲା ଖାଦ୍ୟ ଓ ଆବଶ୍ୟକୀୟ ସେବା ଯୋଗାଇଥିଲେ। ପ୍ରତିବର୍ଷ ରକ୍ତଦାନ ଶିବିର, ଶୀତବସ୍ତ୍ର ପ୍ରଦାନ ଭଳି କାର୍ଯ୍ୟ ମଧ୍ୟ ସେ ଜାରି ରଖିଛନ୍ତି।

ଆସନ୍ତା ୨୫ରୁ ୨୭ ତାରିଖ ଯାଏଁ ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ-୨୦୨୩ ଅବସରରେ ଉକ୍ତ ବ୍ୟକ୍ତିତ୍ୱମାନଙ୍କୁ ସମ୍ମାନିତ କରାଯିବ। ଅନ୍ୟାନ୍ୟ ବିଭାଗରେ ସମ୍ମାନ ଖୁବଶୀଘ୍ର ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.