ରାୟଗଡା ଜିଲ୍ଳା ପ୍ରଶାସନ ପକ୍ଷରୁ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ) : ରାୟଗଡା ଜିଲ୍ଳା ପ୍ରଶାସନ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜିଲ୍ଳା ସଂସ୍କୃତି ଭବନ ଠାରେ ଜିଲ୍ଳାସ୍ତରୀୟ ଜାତୀୟ ପ୍ରେସ୍ ଦିବସ-୨୦୨୩ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ରାୟଗଡା ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନ (ରାଜସ୍ୱ)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ବିଭାଗୀୟ ମାନ୍ୟବର ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ବିଧାୟକ ମକରନ୍ଦ ମୁଦୁଲି,ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ଭାସ୍କର ରଇତ,ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର,ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ,ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପାତ୍ରଙ୍କ ସମେତ ମୁଖ୍ୟ ବକ୍ତା ଭାବେ ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୈତିକ ବିଞାନ ଅଧ୍ୟାପିକା ଡଃ.ମାନସୀ ମହାନ୍ତି,ଅଧ୍ୟାପକ ପି.ଅରଣୁ କୁମାର ଯୋଗ ଦେଇଥିଲେ । ଅତିଥିମାନେ କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଜାତୀୟ ପ୍ରେସ ଦିବସ ପାଳନ ଅବସରରେ ଚଳିତ ବର୍ଷର ଆଲୋଚ୍ୟ ବିଷୟ –କୃତ୍ରିମ ବୁଦ୍ଧିମତା ଯୁଗରେ ଗଣମାଧ୍ୟମ ଶୀର୍ଷକ ବିଷୟବସ୍ତୁ ଉପରେ ଅତିଥିମାନେ ନିଜ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ରାଜ୍ୟ ସରକାର ରାଜ୍ୟରେ କାର୍ଯ୍ୟରତ ହଜାର ହଜାର ସାମ୍ବାଦିକ ଏ ବଂ ତାଙ୍କ ପରିବାରଙ୍କ ପାଇଁ ଗୋପବନ୍ଧୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଣୟନ କରିଥିବାରୁ ଏଥିରେ ବହୁ ସାମ୍ବାଦିକମାନେ ଉପକୃତ ହୋଇପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ । ସେହିପରି ରାୟଗଡା ବିଧାୟକ ଶ୍ରୀ ମୁଦୁଲି ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନେ ନିର୍ଭିକ,ନିରପେକ୍ଷ,ସତ୍ୟ ଓ ଗଠନମୂଳକ,ସମସ୍ୟାଭିତିକ ସମ୍ବାଦ ପରିବେଷଣ କରୁଥିବାରୁ ଜିଲ୍ଳା ପ୍ରଶାସନ ଓ ସରକାରଙ୍କ ଠାରେ ଖବରଗୁଡିକ ପଂହଚି ପାରୁଥିବାରୁ ଅନେକ ସମସ୍ୟାର ସମାଧାନ ହୋଇ ପାରିବା ସହ ଜିଲ୍ଳା ବିକାଶରେ ମଧ୍ୟ ସାମ୍ବାଦିକମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ କହିଥିଲେ । ରାୟଗଡା ଜିଲ୍ଳାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ଦିଗରେ ସମାଧାନ ପାଇଁ ଜିଲ୍ଳା ସୂଚନା ଓ ଲୋକ ସଂପର୍କ ବିଭାଗ ସବୁ ସମୟରେ ସହଯୋଗ କରି ଆସୁଥିବା ବେଳେ ଚଳିତ ବର୍ଷ ରାୟଗଡା ଜିଲ୍ଳାରେ ୧୮୧ଜଣ ସାମ୍ବାଦିକମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅର୍ନ୍ତଭୁକ୍ତ ହୋଇଥିବା ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରକାଶ କରିଥିଲେ । ଏହି ଦିବସ ପାଳନ ଅବସରରେ ମହାବିଦ୍ୟାଳୟ ସ୍ତରୀୟ ବତ୍କୃତା ଓ ପ୍ରବନ୍ଧ ପ୍ରତିଯୋଗିତାରେ କୃତୀ ଲାଭ କରିଥିବା ୬ଜଣ ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.