ଭାରତ ଚଲାନଙ୍କୁ ଦେବଗିରି ଲୋକନୃତ୍ୟ ସମ୍ମାନ: କୃଷିରେ ଇଂ. ମନ୍ମଥ ସାହୁ, ଦେଶସେବାରେ ଉମେଶ ଗଉଡ଼

ଜୟହରି ପୁଟେଲ, ବିଜୟ ଦାଶ, କ୍ଷିତିଶ ମାଝୀଙ୍କୁ ଗୁରୁ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର) : ରାଜ୍ୟର ଅଗ୍ରଣୀ ସଂସ୍ଥା ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରଦତ୍ତ ମର୍ଯ୍ୟାଦାଜନକ ଦେବଗିରି ଲୋକନୃତ୍ୟ ସମ୍ମାନ ପାଇବେ ବରିଷ୍ଠ ଘୁମୁରା ଗୁରୁ ଭାରତ ଭୂଷଣ ଚଲାନ। ଲୋକନୃତ୍ୟ ‘ଘୁମୁରା’ ପ୍ରତି ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି। ପିଲାଦିନରୁ ଘୁମୁରା ନୃତ୍ୟ ପ୍ରତି ଆଗ୍ରହୀ ହୋଇ ଆଜୀବନ ଘୁମୁରା ନୃତ୍ୟର ପ୍ରସାର ପାଇଁ କାର୍ଯ୍ୟରତ ଶ୍ରୀ ଚଲାନ ୧୯୮୭ରେ ସୋଭିଏତ ରୁଷର ମସ୍କୋଠାରେ ଅନୁଷ୍ଠିତ ଭାରତ ଉତ୍ସବ, ୧୯୮୨ରେ ନୂଆଦିଲ୍ଲୀ ଏସିଆଡ, ୧୯୮୪ରେ ନୂଆଦିଲ୍ଲୀରେ କିସାନ ମେଳା, ୧୯୮୭ରେ ନୂଆଦିଲ୍ଲୀରେ ଜାତୀୟ ସାଂସ୍କୃତିକ ମହୋତ୍ସବ, ୧୯୮୦ରେ ଗୁଜରାଟର ଅହମ୍ମଦାବାଦରେ ଓଡ଼ିଶା ଦିବସ ସମେତ ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଘୁମୁରା ନୃତ୍ୟ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

Omkar Vasthu
Omkar Vasthu

ସେହିପରି ଦେବଗିରି କୃଷି ସମ୍ମାନ ପାଇବେ ଇଂ. ମନ୍ମଥ ସାହୁ। ଗୋଲାମୁଣ୍ଡା ବ୍ଲକ ବୋର୍ଡି ଗ୍ରାମର ଶ୍ରୀ ସାହୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା କରି କିଛିକାଳ ଇଞ୍ଜିନିୟର ଭାବରେ କାର୍ଯ୍ୟ କରିବା ପରେ କୃଷି ଦିଗରେ ମନ ବଳାଇଥିଲେ। ସଂପ୍ରତି ସେ ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସିନାଖୁଣ୍ଟିଠାରେ ସାଢ଼େବାଇଶ ଏକର ଜମିରେ ପନିପରିବା ଚାଷ, ଧାନ ଚାଷ, କପା ଚାଷ, ଛେଳି ଚାଷ, ଦେଶୀ କୁକୁଡ଼ା ଚାଷ, ଦେଶୀ କୁକୁଡ଼ାଛୁଆ ଉତ୍ପାଦନ ଓ ମାଛ ଚାଷ କରି ଯୁବପିଢ଼ି ପାଇଁ ଉଦାହରଣ ପାଲଟିଛନ୍ତି। ସେହିପରି ଦେବଗିରି ଦେଶସେବା ସମ୍ମାନ ପାଇବେ ଜଣେ ଉଦିୟମାନ ଯୁବକ ଉମେଶ ଗଉଡ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅର୍ଜୁନ ଗାଁରେ ଜନ୍ମିତ ଉମେଶ ଭାରତୀୟ ସେନାରେ କାର୍ଯ୍ୟରତ। ଦେଶ ମାତୃକାର ସେବା ପାଇଁ କାର୍ଯ୍ୟ କରୁଥିବା ଶ୍ରୀ ଗଉଡଙ୍କୁ ଦେବଗିରି ଦେଶସେବା ସମ୍ମାନରେ ସମ୍ମାନିତ କରାଯିବ।

Pearl dental clinic
Near Ashish Medical Store, Bhawanipatna

ଏଥିସହ ଦେବଗିରି ଗୁରୁ ସମ୍ମାନ ପାଇବେ ଶିକ୍ଷାବିତ ଜୟହରି ପୁଟେଲ, ବିଜୟ କୁମାର ଦାଶ ଓ କ୍ଷିତିଶ ଚନ୍ଦ୍ର ମାଝୀ। କେସିଙ୍ଗା ବ୍ଲକ ଉତ୍କେଲା ନିବାସୀ ସେବାନିବୃତ୍ତ ଶିକ୍ଷକ ଜୟହରି ପୁଟେଲ ଦୀର୍ଘ ୩୭ ବର୍ଷର ଶିକ୍ଷକ ଜୀବନରେ ବୁଢ଼ୀପଦର ସମେତ ଅନେକ ସ୍ଥାନରେ ଶିକ୍ଷକତା କରି ଅନେକ ସୁଯୋଗ୍ୟ ଛାତ୍ରଛାତ୍ରୀ ତିଆରିଛନ୍ତି, ଯେଉଁମାନେ ଆଜି ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ସଂପ୍ରତି ସଦର ବ୍ଲକ ଅଟାଙ୍ଗଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଭାବେ କାର୍ଯ୍ୟରତ ବିଜୟ ଦାଶ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷ ଅର୍ଜନ କରିଥିବା ବେଳେ ଅନେକ ଟେଲିଫିଲ୍ମ ଓ ନାଟକରେ ନିର୍ଦ୍ଦେଶନା ଦେବା ସହ ଅଭିନୟ କରିଛନ୍ତି। ସେହିପରି ନର୍ଲା ବ୍ଲକ ଖମନପଡ଼ା ନିବାସୀ କବି, ବାଦ୍ୟକାର ତଥା ଶିକ୍ଷକ କ୍ଷିତିଶ ମାଝୀ ଓଡ଼ିଶା ସରକାରଙ୍କ ଠାରୁ ଜନଜାତି ଗୌରବ ସମ୍ମାନ ଓ ଆଦିବାସୀ ପ୍ରତିଭା ସମ୍ମାନ ସମେତ ଅନେକ ସମ୍ମାନ ପ୍ରାପ୍ତ କରିଥିବା ବେଳେ ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବେ ସୁଖ୍ୟାତି ଅର୍ଜନ କରିଛନ୍ତି।

Udyog Nursery
Udyogi Nursery

ଚଳିତ ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ-୨୦୨୩ ଅବସରରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ। ଖୁବଶୀଘ୍ର ଅନ୍ୟାନ୍ୟ ବିଭାଗରେ ସମ୍ମାନ ଘୋଷଣା କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ କୁମାର ଧଙ୍ଗଡ଼ାମାଝୀ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.