ଓବିସି ରଥକୁ ନର୍ଲାରେ ଭବ୍ୟ ସ୍ୱାଗତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଓବିସି ସଙ୍ଗଠନ ପକ୍ଷରୁ ପଶ୍ଚିମ ଓଡିଶା ପରିକ୍ରମା କରୁଥିବା ଓବିସି ରଥକୁ ଭବ୍ୟ ସ୍ୱାଗତ କରଯାଇଛି। ଏହି ରଥ ନଭେମ୍ବର ୨୬ ଝାରସୁଗୁଡାରୁ ତା’ର ଯାତ୍ରା ଆରମ୍ଭ କରିଥିବା ବେଳେ ଏହା ପଶ୍ଚିମ ଓଡିଶା ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି। ଝାରସୁଗୁଡାରେ ପୂଜାପାଠ ପରେ ଆରମ୍ଭ ହୋଇଥିବା ଏହି ରଥଯାତ୍ରା ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗୀର ଦେଇ କଳାହାଣ୍ଡି ଜିଲ୍ଲାରେ ଆସି ପହଞ୍ଚିଛି। ଏଥିରେ ଓବିସି ସଙ୍ଗଠନ ରାଜ୍ୟ ସଭାପତି ଶଙ୍କର ପାତ୍ର, ଉପସଭାପତି ତଥା ଅଖିଳ ଭାରତୀବର୍ଷିୟ ଯାଦବ ମହାସଭାର ଯୁବ ସଭାପତି ଇଂ ପ୍ରଦୀପ କୁମାର ବେହେରା, ସାଧାରଣ ସମ୍ପାଦକ ସମରଜିତ ବେହେରା, କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ୱାଳ, ରାଜ୍ୟ ପ୍ରବକ୍ତା ବିରଞ୍ଚି ସାହୁ ପ୍ରମୁଖ ରଥ ସାଙ୍ଗରେ ବୁଲି ଓବିସି ସମାଜକୁ ସଚେତନ କରାଇବାର ପ୍ରୟାସ କରୁଛନ୍ତି। ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ଓବିସି ମାନଙ୍କ ପାଇଁ କୌଣସୀ ସଂରକ୍ଷଣର ବ୍ୟବସ୍ଥା ରହିନଥିବା ବେଳେ ବିଭିନ୍ନ ସରକାରୀ କ୍ଷେତ୍ରରେ ମଧ୍ୟ ଆରକ୍ଷଣ ଦିଆଯାଇ ନାହିଁ। ଏଣୁ ତ୍ରୀ-ସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଓବିସିଙ୍କ ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯିବା, ଉଚ୍ଚ ଶିକ୍ଷା କ୍ଷେତ୍ରରେ ଆରକ୍ଷଣକୁ ସୁନିଶ୍ଚିତ କରିବା ସହ ଶିକ୍ଷା ପ୍ରତି ପ୍ରେରଣା ଦେବା,  ଛାତ୍ରବୃତ୍ତି, ହଷ୍ଟେଲ ସୁବିଧା, ରାଷ୍ଟ୍ରିୟ ଋଣ ସହ ବିଦେଶରେ ପାଠ ପଢିବା ପାଇଁ ସ୍ୱତନ୍ତ୍ର ଶିକ୍ଷା ବୃତ୍ତି ଯୋଗାଇ ଦିଆଯିବା, ଓବିସି ଆରକ୍ଷଣ ପାଇଁ ସରକାର ଜାତିଭିତ୍ତିକ ଜନଗଣନା କରିବା ଭଳି ଦାବୀ ଗୁଡିକ ରଖି ଓବିସି ସଙ୍ଗଠନକୁ ଅଧିକ ସଙ୍ଗଠିତ ଓ ମଜବୁତ କରିବା ପାଇଁ ଜନଜାଗରଣ ସୃଷ୍ଟି କରିବା କାର୍ଯ୍ୟ ଉଦ୍ଦେଶ୍ୟରେ ରଥ ପଶ୍ଚିମ ଓଡ଼ିଶା ପରିକ୍ରମା କରୁଥିବା ଜଣାପଡିଛି। ସେହି କ୍ରମରେ ନର୍ଲାରେ ଏହି ଓବିସି ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ନର୍ଲା ଓବିସି ସମ୍ପ୍ରଦାୟର ବରିଷ୍ଠ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ବିଜେପି ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ପ୍ରଦୀପ କୁମାର ନାଏକ, ଓବିସି ସଂଗଠନ କଳାହାଣ୍ଡି ଜିଲ୍ଲା  ସଂଯୋଜକ ଡାକେଶ୍ୱର ଲହଜାଲ, ଉସ୍ତାଦ ବିସମିଲ୍ଲା ଖାଁ ଯୁବ ପୁରସ୍କାର ପ୍ରାପ୍ତ ବିଶିଷ୍ଟ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ, ଜିଲ୍ଲା ଉପସଭାପତି ଦୁର୍ଲ୍ଲଭ ମାହାର, ସମୀପ ବେହେରା, ବରିଷ୍ଠ କର୍ମକର୍ତ୍ତା ନୀଳମଣି ସାହୁ, ଗିରିଧାରୀ ଗଉଡ, ଦୀଲିପ ଗହୀର, କେଦାର ରଣା, ଆଇନଜୀବୀ କୁବେର ସାହୁ ଓ ସଞ୍ଜୟ ଧଙ୍ଗଡାମାଝୀ ପ୍ରମୁଖ ଓବିସି ରଥକୁ ସ୍ୱାଗତ କରିଥିଲେ। ଏହାପରେ ଓବିସି ସଙ୍ଗଠନ ଜିଲ୍ଲା ସଭାପତିଙ୍କ ଅଧ୍ୟକ୍ଷତାରେ ନର୍ଲା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ସ୍ତରୀୟ ଓବିସି ସଙ୍ଗଠନର କର୍ମକର୍ତ୍ତାଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚାସୀନ ଅତିଥି ବୃନ୍ଦ ଓବିସି ମାନଙ୍କ ପ୍ରତି ହେଉଥିବା ଅବହେଳା ବିରୁଦ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପ୍ରଦୀପ କୁମାର ନାଏକ ମଞ୍ଚ ସଂଯୋଜନା କରିଥିବା ବେଳେ ବରିଷ୍ଠ ସଦସ୍ୟ ଗିରିଧାରୀ ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.