ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ବ୍ଲକ ସ୍ତରୀୟ ମାସିକ ଆଲୋଚନା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଓଡ଼ିଶାର ମାଧ୍ୟମିକ ବିଦ୍ୟାଳୟଗୁଡିକର ରୂପାନ୍ତରୀକରଣ ଓଡ଼ିଶା ସରକାରଙ୍କର ଏକ ଅଭିନବ ପ୍ରୟାସ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ମୋ ସ୍କୁଲ ପରିଚାଳନା ସଙ୍ଗଠନ, ଓସେପା ଓଡ଼ିଶାଙ୍କ ନିର୍ଦ୍ଦେଶନାମା ଅନୁସାରେ ରାଜ୍ୟର ପ୍ରତ୍ୟେକ ବ୍ଲକ ଭଳି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମେଦିନୀପୁରଠାରେ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ତୃତୀୟ ବ୍ଲକ ସ୍ତରୀୟ ମାସିକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ଭବାନୀପାଟଣା ବ୍ଲକର ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାବରେ ଯୋଗଦେଇଥିବା ଆଚାରୀ ଶବରଙ୍କୁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଅଭିନନ୍ଦନ ଜଣାଇଥିଲେ ଏବଂ ବୈଠକର ସଭାପତିତ୍ବ କରିଥିଲେ ନୋଡାଲ ସ୍କୁଲ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ , ଭବାନୀପାଟଣାର ପ୍ରଧାନଶିକ୍ଷକ ଷଷ୍ଠୀ ଝାଙ୍କର। ଅନ୍ୟମାନଙ୍କ ମଧ୍ୟରେ ମଞ୍ଚାସୀନ ଥିଲେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟ କୁମାର ମାଝୀ, ଟାଉନ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋରେଖ ଚନ୍ଦ୍ର ସାହୁ, ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ କୁମାର ବିଶ୍ବାଳ ଓ ସହର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ମିଶ୍ର। ଆଲୋଚନା ଚକ୍ରରେ ଫାଇଭଟି ଉଚ୍ଚ ବିଦ୍ୟାଳୟରେ ସାହିତ୍ୟ ସୃଜନୀ, କ୍ରୀଡାଙ୍ଗନ, ଜିଜ୍ଞାସା, କୌଶଳୀ ଆଦି ଆକାଂକ୍ଷୀ ପାଠ୍ୟକ୍ରମ, ହାଉସ୍ ପଦ୍ଧତିର ପରିଚାଳନା, ପାଠାଗାରରେ ଇ – ପାଠ୍ୟକ୍ରମର ସଂଯୋଗ, ଦଶମ ଶ୍ରେଣୀର ଅର୍ଦ୍ଧବାର୍ଷିକ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ପାଇଁ ପଦକ୍ଷେପ, ରାଜ୍ୟ ମୁକ୍ତ ବିଦ୍ୟାଳୟ ପ୍ରତିଷ୍ଠାନରେ ଅଧାରୁ ପାଠ ଛାଡୁଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ଆଦି ପ୍ରସଙ୍ଗରେ ମୁଖ୍ୟ ଆଲୋଚକ ଭାବରେ ପ୍ରଧାନଶିକ୍ଷକ ପ୍ରକାଶ ଚନ୍ଦ୍ର ମିଶ୍ର, ବିଜୟାନନ୍ଦ ହୋତା, ପ୍ରଦୀପ କୁମାର ନେଗୀ ଓ ଶିକ୍ଷକ ଯୁଧିଷ୍ଠିର ମୁଦୁଲି ଆଲୋଚନା କରିବା ସହ ଏହାକୁ ସଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ଦୃଢ଼ ମତ ପ୍ରକାଶ କରିଥିଲେ। ପରେପରେ ଉପସ୍ଥିତ ସମସ୍ତ ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ମେଦିନୀପୁରର ବିଦ୍ୟାଳୟ ପରିସର, ସ୍ମାର୍ଟ ଶ୍ରେଣୀଗୃହ, ଇ – ଲାଇବ୍ରେରୀ, ବିଜ୍ଞାନଗାର ଆଦି ବୁଲି ଦେଖିବା ସହ ନିଜର ସକାରାତ୍ମକ ମତାମତ ପ୍ରଦାନ କରିଥିଲେ। ଶେଷରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.