PM ମୋଦିଙ୍କ ଦ୍ବାରା ଉଦଘାଟିତ ହେଲା କୃତ୍ରିମ ବୁଦ୍ଧିମତା ଉପରେ ବୈଶ୍ୱିକ ସହଭାଗିତା ଶିଖର ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ବୈଶ୍ୱିକ ସହଭାଗିତା (ଜିପିଏଆଇ) ଶିଖର ସମ୍ମିଳନୀକୁ ଉଦଘାଟନ କରିଛନ୍ତି । ଏହା ସହ ପ୍ରଧାନମନ୍ତ୍ରୀ ବିଶ୍ୱସ୍ତରୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଦର୍ଶନୀକୁ ମଧ୍ୟ ପରିଦର୍ଶନ କରିଛନ୍ତି ।ଜିପିଏଆଇ ହେଉଛି ଏକ ବହୁ-ଅଂଶୀଦାର ଆଧାରିତ ପ୍ରୟାସ ଯେଉଁଥିରେ ୨୯ ଟି ସଦସ୍ୟ ଦେଶ ଏଆଇ ସମ୍ବନ୍ଧୀୟ ପ୍ରାଥମିକତା ଉପରେ ଅତ୍ୟାଧୁନିକ ଗବେଷଣା ଏବଂ ପ୍ରୟୋଗ କାର୍ଯ୍ୟକଳାପକୁ ସମର୍ଥନ କରି ଏଆଇ କ୍ଷେତ୍ରରେ ବିଷୟବସ୍ତୁ ଏବଂ ଅଭ୍ୟାସ ମଧ୍ୟରେ ଥିବା ବ୍ୟବଧାନକୁ ପୂରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ୨୦୨୪ ରେ ଭାରତ ଜିପିଏଆଇର ମୁଖ୍ୟ ଅଧ୍ୟକ୍ଷତା ଦାୟିତ୍ୱ ନିର୍ବାହ କରୁଛି । ସମଗ୍ର ବିଶ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ନେଇ ବିତର୍କ କରୁଥିବା ବେଳେ ଆସନ୍ତା ବର୍ଷ ଜିପିଏଆଇ ଶିଖର ସମ୍ମିଳନୀରେ ଭାରତ ଅଧ୍ୟକ୍ଷତା କରୁଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକାଶ କରିଥିଲେ । ଏହି କ୍ଷେତ୍ରରେ ସାମ୍ନାକୁ ଆସୁଥିବା ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଦିଗ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ରକୁ ଦିଆଯାଇଥିବା ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ । ଏଆଇର ବିଭିନ୍ନ ଶିଳ୍ପ ନେତାଙ୍କ ସହ କଥାବାର୍ତ୍ତା କରିବା ଏବଂ ଜିପିଏଆଇ ଶିଖର ସମ୍ମିଳନୀ ବିଷୟରେ ଆଲୋଚନା କରିବା ପ୍ରସଙ୍ଗ ମନେ ପକାଇଥିଲେ । ଛୋଟ ହେଉ କି ବଡ଼ ସବୁ ଦେଶ ଉପରେ ଏଆଇର ପ୍ରଭାବ ପଡ଼ିଛି ବୋଲି ସେ କହିଛନ୍ତି ଏବଂ ଏ ଦିଗରେ ସତର୍କତାର ସହ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଛନ୍ତି । ଜିପିଏଆଇ ଶିଖର ସମ୍ମିଳନୀରେ ହୋଇଥିବା ଆଲୋଚନା ମାନବିକତାର ମୂଳଦୁଆକୁ ଦିଗଦର୍ଶନ ଦେବ ଏବଂ ସୁରକ୍ଷିତ କରିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ ।ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ଏଆଇ ପ୍ରତିଭା ଏବଂ ଏଆଇ ସମ୍ବନ୍ଧୀୟ ଚିନ୍ତାଧାରା କ୍ଷେତ୍ରରେ ଭାରତ ପ୍ରମୁଖ ରାଷ୍ଟ୍ର । ଭାରତୀୟ ଯୁବକମାନେ ଏଆଇ ଟେକ୍ନୋଲୋଜିର ପରୀକ୍ଷଣ ଓ ସୀମାକୁ ଆଗକୁ ବଢ଼ାଉଥିବାରୁ ଭାରତରେ ଏକ ଜୀବନ୍ତ ଏଆଇ ଭାବନା ଦୃଶ୍ୟମାନ ହେଉଛି ବୋଲି ସେ କହିଛନ୍ତି । ଶିଖର ସମ୍ମିଳନୀରେ ଏଆଇ ପ୍ରଦର୍ଶନୀରେ ପ୍ରଦର୍ଶିତ ବିଭିନ୍ନ ପ୍ରଯୁକ୍ତି ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହି ଯୁବକମାନେ ଟେକ୍ନୋଲୋଜି ମାଧ୍ୟମରେ ସାମାଜିକ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରୁଛନ୍ତି । ପ୍ରଧାନମନ୍ତ୍ରୀ ନିକଟରେ ଆରମ୍ଭ ହୋଇଥିବା ଏଆଇ କୃଷି ଚାଟ୍‌ବୋଟ୍‌ ବିଷୟରେ ସୂଚନା ଦେଇଥିଲେ ଯାହା କୃଷକମାନଙ୍କୁ କୃଷିର ବିଭିନ୍ନ ଦିଗରେ ସାହାଯ୍ୟ କରିବ । ସ୍ୱାସ୍ଥ୍ୟ ସେବା ଏବଂ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଷେତ୍ରରେ ଏଆଇର ବ୍ୟବହାର ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଭାରତର ବିକାଶ ମନ୍ତ୍ର ହେଉଛି ‘ସବ୍ କା ସାଥ ସବକା ବିକାଶ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ଏବଂ ସରକାର ସମସ୍ତଙ୍କ ପାଇଁ ଏଆଇ ଭାବନା ସହିତ ନିଜର ନୀତି ଏବଂ କାର୍ଯ୍ୟକ୍ରମ ପ୍ରସ୍ତୁତ କରିଛନ୍ତି ବୋଲି ଉଲ୍ଲେଖ କରିଥିଲେ । ସାମାଜିକ ବିକାଶ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ଏଆଇର ସାମର୍ଥ୍ୟର ସର୍ବାଧିକ ଫାଇଦା ଉଠାଇବାକୁ ସରକାର ପ୍ରୟାସ କରୁଥିବା ବେଳେ ଏହାର ଦାୟିତ୍ୱପୂର୍ଣ୍ଣ ଏବଂ ନୈତିକ ବ୍ୟବହାର ପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଥିଲେ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରିବା ଏବଂ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଥିବା ଏଆଇ ମିଶନ ବିଷୟରେ ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯାହାର ଲକ୍ଷ୍ୟ ଏଆଇର କମ୍ପ୍ୟୁଟିଂ କ୍ଷମତା ପ୍ରତିଷ୍ଠା କରିବା । ଏହା ଦ୍ୱାରା ଭାରତରେ ଷ୍ଟାର୍ଟଅପ୍ ଏବଂ ଉଦ୍ଭାବକମାନଙ୍କୁ ଉନ୍ନତ ସେବା ମିଳିବ ଏବଂ କୃଷି, ସ୍ୱାସ୍ଥ୍ୟ ସେବା ଓ ଶିକ୍ଷା କ୍ଷେତ୍ରରେ ଏଆଇ ଆପ୍ଲିକେସନକୁ ପ୍ରୋତ୍ସାହନ ମିଳିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.