ସ୍ମାରକୀ ଜାତୀୟ ନାଟକ ମହୋତ୍ସବ- ୨୦୨୩ର ଚତୁର୍ଥ ସନ୍ଧ୍ୟା: ଅଧିକାର ଏବଂ ସମ୍ମାନ ପାଇଁ ନାରୀର ଲଢେଇର କଥା କହିଲା ନାଟକ “କ୍ରିଷ୍ଣା”

ସମ୍ବର୍ଦ୍ଧିତ ହେଲେ ନାଟ୍ୟଶିଳ୍ପୀ ବିରଞ୍ଚି ନାରାୟଣ ମୁଣ୍ଡ ଏବଂ ଆଲୋକ ସାହୁ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ‘ସ୍ମାରକୀ ନାଟ୍ୟ ସଂସ୍ଥା’ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ନାଟ୍ୟରଶ୍ମି ପ୍ରଫୁଲ୍ଲ ରଥ ସ୍ମାରକୀ ଜାତୀୟ ନାଟକ ମହୋତ୍ସବ -୨୦୨୩ର ଚତୁର୍ଥ ସନ୍ଧ୍ୟାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ୍ କୁମାର, ବିଶିଷ୍ଟ ନାଟ୍ୟକାର ସୋହନଲାଲ ଅଗ୍ରୱାଲ, ବିଶିଷ୍ଟ ନାଟ୍ୟକାର ତଥା ଅଭିନେତା ଉମେଶ ଚନ୍ଦ୍ର ଶତପଥୀ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ ପ୍ରମୁଖ ଯୋଗଦେଇ ଉଦବୋଧନ ଦେଇଥିଲେ। ନାଟକ କ୍ଷେତ୍ରରେ ଏ ମାଟିକୁ ବିଶେଷ ଅବଦାନ ପାଇଁ ନାଟ୍ୟଶିଳ୍ପୀ ବିରଞ୍ଚି ନାରାୟଣ ମୁଣ୍ଡ ଏବଂ ଯୁବଶିଳ୍ପୀ ଆଲୋକ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଯୁବ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇଥିବା ଡିଲେଶ୍ଵର ରଣା ଙ୍କୁ ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମଞ୍ଚସ୍ଥ ହୋଇଥିଲା ନାଟକ “କ୍ରିଷ୍ଣା”। ମହାଭାରତର ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ନାରୀ ମାନଙ୍କ ପାଖରେ ସାମର୍ଥ୍ୟ, ଦକ୍ଷତା, କୌଶଳ ଥିବା ସତ୍ତ୍ୱେ ଆମ ସମାଜରେ ସମସ୍ଥିତିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ନାଟକରେ ବୀରତ୍ୱର ରାଜକୁମାରୀ ଦ୍ରୌପଦୀ ଓ ‘କ୍ରିଷ୍ଣା’ ର ବହୁମୁଖୀ ଜୀବନକୁ ଶୋଷଣର ଅନୁରୂପ ଚିତ୍ରଣ କରାଯାଇଛି। ‘କ୍ରିଷ୍ଣା’- ବଳି ଅଗ୍ନିରୁ ଜନ୍ମିତ ଜଣେ ମହିଳା, ଯିଏ ଯିଏ ଅନ୍ୟାୟ ପ୍ରତି ନିଜକୁ ସମର୍ପଣ କରିବା ପରିବର୍ତ୍ତେ ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛନ୍ତି ଏବଂ ପରେ ସ୍ୱାମୀଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ କରି ବିପଦରେ ପଡ଼ିଛନ୍ତି। ତାଙ୍କ ସମ୍ମାନ ରକ୍ଷା କରିବାରେ ତାଙ୍କର ସାହସିକତା ଅନ୍ୟ ଅପମାନିତ ମହିଳାମାନଙ୍କୁ ସାହସ ଏବଂ ପ୍ରେରଣା ଯୋଗାଇଛି। ଏହି କଥାବସ୍ତୁ ସହ ମଞ୍ଚସ୍ଥ ହୋଇଛି ଇଫଟା, କୋଲକାତାର ନାଟକ “କ୍ରିଷ୍ଣା”। ଏହି ନାଟକକୁ ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଦେବାଶିଷ ଦତ୍ତ ରଚନା ଏବଂ ନିର୍ଦ୍ଦେଶନା ଦେଇଥିଲେ। ଏଥିରେ ଦେବାଶିଷ ଦତ୍ତ, ଦେବଯାନୀ ମୁଖାର୍ଜୀ, ରେଶମା ଦାସ ପ୍ରମୂଖ ଅଭିନୟ କରିଥିଲେ। ସଙ୍ଗୀତରେ କ୍ରିଶାନୁ ବାନାର୍ଜୀ ଥିବାବେଳେ ଆଲୋକରେ ଅଞ୍ଜିତ ମଜୁମଦାର ସହାୟତା କରିଥିଲେ। ନାଟକଟି ବେଶ୍ ହୃଦୟସ୍ପର୍ଶୀ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ ବିରଞ୍ଚି ନାରାୟଣ ମୁଣ୍ଡ ମଞ୍ଚ ପରିଚାଳନା କରିଥିଲେ। ଆସନ୍ତାକାଲି ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ କଳାହାଣ୍ଡିର ବରିଷ୍ଠ ନାଟ୍ୟକାର ମନୋଜ ରଥଙ୍କ ରଚିତ ଏବଂ ନିର୍ଦ୍ଦେଶିତ ନାଟକ “ଯମପୁର ରେ ନିର୍ବାଚନ ତାତି” ସ୍ଥାନୀୟ କଳାକାରଙ୍କ ଦ୍ଵାରା ପରିବେଷଣ କରାଯିବ। କାର୍ଯ୍ୟକ୍ରମରେ ସୌରଭ ମହାପାତ୍ର, ଆଲୋକ କୁମାର ସାହୁ, ପ୍ରଜ୍ଞା ପରିମିତା ନାୟକ, ଲିପ୍ସା ମହାରଣା, ତଥାଗତ ମିଶ୍ର, ଶିବଶକ୍ତି ପୁରୋହିତ, ସୌମ୍ଯ ରଂଜନ ଜେନା, ଶୁଭମ୍ ବେହେରା, କେ. ଗୋପିଧର ନାୟର, ଅମରେନ୍ଦ୍ର ମହାନ୍ତି, ପ୍ରିୟଙ୍କା ପଟ୍ଟନାୟକ, ଆର୍ଯ୍ୟା ନାୟକ, ମାନସୀ ନାୟକ, ପୁଷ୍ପାଞ୍ଜଳି ଦୀପ, ସୁଶୀଲ ଆଚାର୍ଯ୍ୟ, ଦୀପକ ଶର୍ମା, ବିକାଶ ରଞ୍ଜନ ମୁଣ୍ଡ, ଅବିନାଶ ଅଗସ୍ତି ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.