ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ଠିକପାଲି ଓ ଲଖନା ପଂଚାୟତରେ ଅର୍ପଣ ରଥକୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଜାନୁଆରୀ ୧୭ ତାରିଖରେ ପୁରୀ ଠାରେ ହେବାକୁ ଥିବା ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପରେ ସମସ୍ତ ଗାଁର ପ୍ରତେକ ଘରୁ ଗୋଟିଏ ମୁଠା ଅରୁଆ ଚାଉଳ ଆଉ ଗୋଟିଏ ଗୁଆ ଅଣାଯାଉଛି | ତେବେ ଠିକପାଲି ପଂଚାୟତର ବାବୁପାଲି, ସେମେଲପାଲି, ଶୁକଲିମୁଣ୍ଡି, ସଲଙ୍ଗୀପଡା, ରୋହେନପଡା, ଠିକପାଲି ଓ କେନ୍ଦୁଭଟା ଗାଁଠାରେ ଏବଂ ଲଖନା ପଂଚାୟତର ସମସ୍ତ ଗାଁ ଠାରେ ଏହି ରଥ ପରିଭ୍ରମଣ କରିଥିଲା | ପରିକ୍ରମା ସମୟରେ ଢୋଲ କୀର୍ତନ ଓ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାମରେ ଗାଁ ଉତ୍ସବମୁଖର ହୋଇଯାଇଥିଲା | ଗ୍ରାମବାସୀ ଏହି ରଥକୁ ବିପୁଳ ଭାବେ ଭକ୍ତି ସହକାରେ ସ୍ୱାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ | ନିଜ ନିଜ ଘର ସମ୍ମୁଖରେ ଝୋଟି କରି କଳସରେ ନଡ଼ିଆ ରଖି ସ୍ଥାପନ କରି ପୂଜାର୍ଚନା କରିଥିଲେ | ଠିକପାଲି ସରପଞ୍ଚ ସନ୍ତୋଷୀ ସୁନାଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଶତାଧିକ ଗ୍ରାମବାସୀ ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ କୋମନା ବିଡ଼ିଓ ହିତାଂଶୁ ସାମଲ ଯୋଗଦେଇଥିବା ବେଳେ ପିଇଓ ହେମାସିଂ ରାଉତ, ନାଏକ ସରପଞ୍ଚ ଅଜିତ ଖାନ, ୱାର୍ଡ ମେମ୍ବର ଶୋଭାଗିନି ଶବର, ଗୋଦୋରୋ ବରିହା, କାଲି ଦାସ, ଭୁବନେଶ୍ୱର ଶବର, ଭୁଜବଲ ଶବର, କୁନୁ ଶବର, ଚେତବତୀ ଶବର, ଗାୟତ୍ରୀ ବାଗ, କମଳା ଶବର ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ | ସେହିପରି ଭାବେ ଲଖନା ସରପଞ୍ଚ ଜିତେନ୍ ଠାକୁର ଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସରେ ସମସ୍ତ ଗ୍ରାମବାସୀ ଅଂଶଗ୍ରହଣ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କୋମନା ବିଡ଼ିଓ ହିତାଂଶୁ ସାମଲ ଯୋଗଦେଇଥିବା ବେଳେ ପିଇଓ ବରୁଣ ଦାସ, ଜିଆରଏସ ଏବଂ ଅନ୍ୟାନ୍ୟ ସମାଜସେବୀ ପ୍ରମୁଖ ବିଶେଷ ଭାବେ ସହଯୋଗ କରି ଉପସ୍ଥିତ ରହିଥିଲେ |