ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ଜଣେ ଗୁରୁତର

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ପ୍ରଦୀପ କୁମାର ପଣ୍ଡା): ନିଜ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା ଏବଂ ଅନ୍ୟ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡା ଜିଲ୍ଲା କାଶୀପୁର ଏବଂ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଅଞ୍ଚଳରେ। ସୂଚନା ଅନୁଯାୟୀ କାଶୀପୁର ଥାନା ମୁନୁଷଗାଁ ପଞ୍ଚାୟତ ଭାଟିପାସ ଗ୍ରାମର ଗୁରୁନାଥ ଗଉଡ ନିଜ ସ୍ତ୍ରୀ ପୁଷ୍ପା ଗଉଡ (୪୫)କୁ ସୋମବାର ରାତିରେ ଟାଙ୍ଗିଆରେ ହାଣି ଫେରାର୍ ହୋଇ ନିକଟ ଜଙ୍ଗଲକୁ ଚାଲିଯାଇଥିଲା। ତାଙ୍କୁ ଜୀବିତ ଅବସ୍ଥାରେ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏପଟେ ମଙ୍ଗଳବାର ସକାଳୁ ରକ୍ତମୁଖା ହୋଇ ବୁଲୁଥିବା ଗୁରୁନାଥ ଯାହାକୁ ଦେଖିଲା ତାହାକୁ ଆକ୍ରମଣ କରିବାକୁ ଉଦ୍ୟମ କରୁଥିଲା। ଏଭଳି ଆକ୍ରମଣର ଶିକାର ହୋଇ ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମର ଚନ୍ଦ୍ରଶେଖର ରାଉତ ୧୨ ବର୍ଷୀୟ ନିବାଳକ ପୁଅ ଶିବଶଙ୍କର ରାଉତ ନାମକ ଢୋଲପାସ ଗ୍ରାମର ମଦନ ମାଝୀଙ୍କ ୧୨ ବର୍ଷୀୟ ନାବାଳକ ପୁଅ ମଧୁ ମାଝୀ ଉଭୟ ଗାଧୋଇବାକୁ ଯାଉଥିବା ବେଳେ ଟାଙ୍ଗିଆରେ ଆକ୍ରମଣ କରିଥିଲା। ଶିବଶଙ୍କରକୁ ତଣ୍ଟିରେ ହାଣିଥିବା ବେଳେ ମଧୁ ମାଝୀକୁ ପେଟରେ ଆଘାତ କରିଥିଲା।ଶିବଶଙ୍କର ଏବଂ ମଧୁ ଦୁଇ ନାବାଳକ ଗୁରୁତର ଅବସ୍ଥାରେ ପଡିଥିବା ବେଳେ ଲୋକେ ଉଦ୍ଧାର କରି ତୁରନ୍ତ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଶିବଶଙ୍କରର ତଣ୍ଟିରେ ଗଭୀର ଆଘାତ ଲାଗିଥିବା ଯୋଗୁଁ ଜୀବନ ପ୍ରତି ବିପଦ ରହିଥିବା ଦେଖି ତାକୁ ତୁରନ୍ତ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ପଟରେ ମଧୁ ମାଝୀର ମଧ୍ୟ ପେଟରେ ଆଘାତ ଲାଗିଥିବା ବେଳେ ଅସ୍ତ୍ରୋପଚାର ପରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଚାଲିଛି। ସୂଚନା ପାଇ ଉଭୟ ଥୁଆମୂଳ ରାମପୁର ଏବଂ କାଶୀପୁର ପୋଲିସ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପହଞ୍ଚି ତଦନ୍ତ ଆରମ୍ଭ କରି ମୃତ ମହିଳା ର ଶବ ବ୍ୟବଚ୍ଛେଦ ପାଇଁ ପଠାଇ ପରବର୍ତ୍ତୀ ସମୟରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲା କାଶୀପୁର ପୋଲିସ। ଏହାପରେ ଉଭୟ କାଶୀପୁର ଏବଂ ଥୁଆମୂଳ ରାମପୁର ପୋଲିସର ମିଳିତ ଉଦ୍ୟମରେ ହତ୍ୟାକାରୀ ଗୁରୁନାଥକୁ ଗିରଫ କରିଥିଲେ। କାଶୀପୁର ପୋଲିସ ଗୁରୁନାଥକୁ ଗିରଫ କରି ପଚରାଉଚରା ପାଇଁ କାଶୀପୁର ଥାନାକୁ ନେଇଛନ୍ତି।କାହିଁକି ଏବଂ କେଉଁ କାରଣରୁ ଗୁରୁନାଥ ଏଭଳି ବିଭତ୍ସ କାଣ୍ଡ ଘଟାଇଛି ପୋଲିସର ପଚରାଉଚରା ଏବଂ ତଦନ୍ତ ପରେ ଜଣାପଡିବ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.