ବକଟପୁରଠାରେ ମା ହୀରାନୀଳାଙ୍କ ଝାମୁଯାତ୍ରା ସମ୍ପନ୍ନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମାଘ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଲାଞ୍ଜିଗଡ ବ୍ଲକ ପୋଖରୀବନ୍ଧ ପଞ୍ଚାୟତ ବକଟପୁର ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ହୀରାନୀଳାଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପରମ୍ପରା ଅନୁଯାୟୀ ପୂଜକମାନେ ମାଘମାସ ଦ୍ଵିତୀୟା ଦିନ ୭ଟି ନୂଆ ଚାଙ୍ଗୁଡ଼ିରେ ନଦୀରୁ ବାଲି ଆଣି ବିଭିନ୍ନ ପ୍ରକାର ଶସ୍ୟ ଧାନ, ମକା,ମୁଗ, ବିରି, କୋଳଥ ଇତ୍ୟାଦି ବିହନ ଗଜା ହେବା ପାଇଁ ଚାଗୁଡିରେ ଥିବା ବାଲିରେ ପକାଇଥାନ୍ତି ଓ ଝାମେରା କଣ୍ଟାରେ ଦୋଳି ତିଆରି କରିଥାନ୍ତି। ଗଜା ହୋଇଥିବା ବିହନ ଓ କଣ୍ଟା ଦୋଳିକୁ ନବମୀ ପର୍ଯ୍ୟନ୍ତ ମନ୍ଦିରରେ ପୂଜାର୍ଚନା କରାଯାଇଥାଏ। ଏହି ଦିନ ମା’ ହୀରାନୀଳା କଞ୍ଚା ମାଠିଆରେ ବସି ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି।ଦଶମୀ ଦିନ ମାଆଙ୍କ ଝାମୁଯାତ୍ରା ଅନୁଷ୍ଠିତ ହୋଇଥିଲା। ଗାଁରେ ଜୈନିକ ବ୍ୟକ୍ତିଙ୍କ ଦେହରେ ଦେବୀଙ୍କ ଆବିର୍ଭାବ ହେଇଥିଲା। ଏହାପରେ ଦେବୀଙ୍କ କାଳିସୀ ମୁଖ୍ୟ ପୀଠସ୍ଥଳୀ ହୀରାନୀଳା ପାହାଡକୁ ଶହ ଶହ ଶ୍ରଦ୍ଧାଳୁ ଯାଇ ନିଜ ମାନସିକ ଅନୁସାରେ ମା’ ଙ୍କ ଆସ୍ଥାନରେ ଝଣ୍ଡା ବାନ୍ଧିଥିଲେ ।ଏହା କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ କରନ୍ତି।ଏହା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଗ୍ରାମରେ ଥିବା ବାଲିଘରକୁ ଫେରି ଆସିଥିଲେ।ପ୍ରଥମେ ଗାଁ ଗୋନ୍ତିଆଙ୍କ ଘରକୁ ଯାଇ ପାଦ ପୂଜା ପରେ ସେଠାରୁ ଝାମୁଯାତ୍ରା ପଡିଆକୁ ଫେରି ଥିଲେ।ଫେରିବା ପରେ ପ୍ରଥମେ ମୂନିଆ ଝାମେରା କଣ୍ଟାରେ ତିଆରି ଦୋଳିରେ ବସି ଭକ୍ତମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ଏହାପରେ ଡହଡ଼ହ ତତଲା ନିଆଁରେ ଦେବୀଙ୍କ କାଳିସୀ ଚାଲିବା ସହ ନିଜ ଶକ୍ତିର ପରିଚୟ ଦେଇଥିଲେ। ଏହାପରେ ମାନସିକ କରିଥିବା ଭକ୍ତ ମାନେ ମାନସିକ ଅନୁଯାୟୀ ପୋଢ, ଛେଳି ଓ ବହୁ ସଂଖ୍ୟକ କୁକୁଡ଼ା ପାରା ବଳି ଦିଆଯାଉଥିଲା।ଏଥିରେ ହୀରାନୀଳାଙ୍କ ମୁଖ୍ୟ ବାହୁକ ମନୁ ବେହେରା,ସର୍ବ ଗଣ୍ଡା, ଦେବାନନ୍ଦ ସାହୁ, ନକୁଳ ବେହେରା,ରାମମନ ବାରିକ, ଶକ୍ତି ସାଗର ବାରିକଙ୍କ ସମେତ ଯାତ୍ରାରେ ଗ୍ରାମବାସୀ ବିଭିନ୍ନ ଦାଇତ୍ୱ ତୁଲାଇ ଥିଲେ।ଗାଁ ଗୈଟିଆ ବିକ୍ରମାଦିତ୍ୟ ବାରିକ, ଦେବୀଙ୍କ ଅତିଥି ତଥା ମୁଖ୍ୟ ପାରମ୍ପରିକ ସେବକ ଭାବେ ଦେବୀଙ୍କ ସହ ଗ୍ରାମ ପରିକ୍ରମା କରିଥିଲେ। ସେହିପରି ବିଶ୍ଵନାଥପୁର ଠାରେ ମଧ୍ୟ ମାଁ ହୀରାନୀଳାଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.