ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ସାହିତ୍ୟ ପରିଷଦ ଆନୁକୁଲ୍ୟରେ କବିତୀର୍ଥ ଶାନ୍ତକାନନରେ ପରିଷଦର ଉପସଭାପତି ଦୀନବନ୍ଧୁ ଲେଙ୍କାଙ୍କ ପୌରୋହିତ୍ୟରେ କବି ଜୟନ୍ତ ହଂସରାଜଙ୍କ କାବ୍ୟଗ୍ରନ୍ଥ ‘ଗୀତାର୍ପଣ’ ଉନ୍ମୋଚିତ ହୋଇଯାଇଛି। ଗବେଷକ ଡ. ମଥୁରାନାଥ ହୋତା, ଡ. ଅରବିନ୍ଦ ଗିରି, ବିଶିଷ୍ଟ କବି ଡ. କୁଞ୍ଜ ବିହାରୀ ଧଳ, ପ୍ରଫେସର ରତ୍ନାକର ରାୟ ପ୍ରମୁଖ ଅତିଥି ଏଥିରେ ଭାବରେ ଯୋଗଦାନ କରି ପୁସ୍ତକଟିର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଆଲୋଚନା କରିଥିଲେ। କବି ଜୟନ୍ତ ହଂସରାଜ ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ। ପରିଷଦର ସଂପାଦକ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆବାହନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁନି ନୃତ୍ୟଶିଳ୍ପୀ ସୁହାନୀ ସାଇ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ଶେଷରେ ଅନ୍ୟତମ ଯୁଗ୍ମ ସଂପାଦିକା କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ସଭାରେ ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀ, କୋଷାଧ୍ଯକ୍ଷ ତପନ ରାୟ, କାର୍ଯ୍ୟକାରୀ କମିଟିର ସଦସ୍ୟ ନିବାରଣ ଜେନା, ଡ. ଭାଗବତ ପ୍ରସାଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ।