ଉତ୍କଳ ଦିବସ ଓ ନୂଆପଡା ଜିଲ୍ଲା ପ୍ରତିଷ୍ଠା ଦିବସ ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ଗୋଷ୍ଠୀ ଶିକ୍ଷା ପରିବାର ଆନୁକୁଲ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗିଧିନିପାନୀ ଠାରେ ଓଡ଼ିଶା ଦିବସ ଓ ନୂଆପଡା ଜିଲ୍ଳା ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ଏହି ଶିବିରରେ ମୁଖ୍ୟଅତିଥି ଭାବରେ ଉପଜିଲ୍ଲାପାଳ ନୂଆପଡା ଯୋଗେନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ ଅଧ୍ୟକ୍ଷ ଓ ଶିକ୍ଷାବିତ ଡ. ଶିବପ୍ରସାଦ ବେହେରା ଯୋଗଦେଇ ଶିବିର ଶୁଭ ଉଦ୍ଘାଟନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଏହି ସ୍ଵେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ସହଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ଉତ୍କଳମଣି ଅଗସ୍ତି, ସହଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତ୍ ରାମ ନାଏକ, ଚନ୍ଦ୍ରକଳା ଜଗତ ଓ ସମସ୍ତ ସାଧନ କେନ୍ଦ୍ର ସଂଯୋଜକ, ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗଦେଇ କାର୍ଯକ୍ରମଟିକୁ ସଫଳତାର ସହ ସମାପନ କରିଥିଲେ। ରକ୍ତଦାନ ଶିବିରରେ ମୋଟ ୩୮ଜଣ ରକ୍ତଦାତା ବୀର ରକ୍ତଦାନ କରିଥିଲେ। ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଶିକ୍ଷକ ଦମ୍ପତି ରକ୍ତଦାତ୍ରୀ ସୁପ୍ରିୟା ସତ୍ୟବତୀ ଓ ରକ୍ତଦାତା ସମୀର ଦାସଙ୍କୁ ସମ୍ୱର୍ଦ୍ଧନା ପ୍ରଦାନ କରାଯାଇଥିଲା। ରକ୍ତଦାନ ଶିବିରକୁ ସଫଳତାର ସହ ଆୟୋଜନରେ ସହଯୋଗ କରିଥିବା ମୋହରାଡିହି କ୍ଲଷ୍ଟରର ସମସ୍ତ ବିଦ୍ୟାଳୟକୁ ମାନପତ୍ର ପ୍ରଦାନ କରି ଉତ୍ସାହିତ କରାଯାଇଥିଲା। ଉପାନ୍ତ ଅଞ୍ଚଳରେ ଆୟୋଜିତ ରକ୍ତଦାନ ଶିବିରରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସ୍ଥାନୀୟ ଏଵଂ ଦୂରଦୂରାନ୍ତରରେ ଥିବା ସ୍ବେଚ୍ଛାକୃତ ରକ୍ତଦାତାମାନେ ଆସି ରକ୍ତଦାନ କରିଥିଲେ। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରକ୍ତଦାନ କେନ୍ଦ୍ରରୁ ମେଡିକାଲ ଅଫିସର ଡା. ବିକାଶ ଖୁରା, ଏଲ୍ ଟି ପ୍ରଶାନ୍ତ କୁମାର ସାହୁ, ବାବୁଲାଲ ନାଏକ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ। ରକ୍ତଦାନ ଶିବିରଟିକୁ ଆୟୋଜନ କରିଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଗିଧିନୀପାନୀର ପ୍ରଧାନ ଶିକ୍ଷକ ଦିନେଶ ମାଝୀ ଓ ସମସ୍ତ ଶିକ୍ଷକ ତଥା ସି.ଆର.ସି.ସି ସନ୍ତୋଷ କୁମାର ସାହୁଙ୍କୁ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ତରଫରୁ ମାନପତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ଏଥିରେ ଶିକ୍ଷକ କିଶୋର ପରିଡା ବିଶେଷ ଭାବେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.