ଯୋଡ଼ି ଶଙ୍ଖ ପାଇଁ ଭୋଟ୍ ଭିକ୍ଷା କଲେ ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନିର୍ବାଚନ ଯେତେ ପାଖେଇ ଆସୁଛି ସେହି ପରିମାଣରେ ବଢ଼ି ଚାଲିଛି ପ୍ରାର୍ଥୀମାନଙ୍କର ପ୍ରଚାର ପ୍ରସାର। କଳାହାଣ୍ଡି ସାଂସଦୀୟ କ୍ଷେତ୍ରର ଏକ ଗୁରୁତ୍ବପୂର୍ଣ୍ଣ ଆସନ ନର୍ଲା ନିର୍ବାଚନ ମଣ୍ଡଳୀର ରାଜନୈତିକ ପାଣିପାଗ ନିର୍ବାଚନକୁ ନେଇ ଉଷ୍ଣ ରହିଛି। ଏଥର ନର୍ଲାରେ ସର୍ବମୋଟ ୧୨ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। ସମସ୍ତେ ପ୍ରଭାବୀ ଢ଼ଙ୍ଗରେ ନିର୍ବାଚନ ଲଢୁଥିବା ବେଳେ ବିଜେଡ଼ିର ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି ନିଜ ନିର୍ବାଚନୀ କ୍ଷେତ୍ରର ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ରବିବାର ସେ ଏବଂ ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ମ.ରାମପୁର ବ୍ଲକର ବାରବନ୍ଧା, ବେଲଗାଁ, ଡୁଡୁକାରଞ୍ଜା, ଡୁଟା, ସାଲେପାଲି, ଆମ ଗାଁ, ମିଞ୍ଚା ଗାଁ, ତୁଜଙ୍ଗ, ମଦନପୁର, ଅଲାତରା, ଗୋଛା ଡେଙ୍ଗେନ ଓ ରାମପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଗସ୍ତ କରି ଭୋଟ୍ ଭିକ୍ଷା କରିଥିଲେ। ଯୋଡ଼ି ଶଙ୍ଖ ଚିହ୍ନରେ ସାଂସଦ ଓ ବିଧାୟିକା ପ୍ରାର୍ଥୀନୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରାଇବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ ଶ୍ରୀମତୀ ମହାନ୍ତି। ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା। ସେଥିରେ ମନୋରମା ଜନତାଙ୍କୁ ସମ୍ବୋଧିତ କରିଥିଲେ। ବିଜେଡ଼ିର ଦୁଇ ପ୍ରାର୍ଥୀଙ୍କ ସହ ପୂର୍ବତନ ବିଧାୟକ କୁମରମଣି ଶବର, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଓ ନମ୍ରତା ସାହୁ, ମ.ରାମପୁର ଯୁବ ସଭାପତି ସତ୍ୟନାରାୟଣ ସାହୁ, ପ୍ରଦୀପ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଏବଂ ସମର୍ଥକମାନେ ଉପସ୍ଥିତ ଥିଲେ।