ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀର ଫେଲୋସିପ୍ (ମହତ୍ତର ସଦସ୍ୟତା) ଗ୍ରହଣ କରିଛନ୍ତି ବିଖ୍ୟାତ ଲେଖକ ରସ୍କିନ୍ ବଣ୍ଡ। ଲେଖକଙ୍କ ଅସୁସ୍ଥତା ହେତୁ ସାହିତ୍ୟ ଏକାଡେମୀ ସଭାପତି ମାଧବ କୌଶିକ ଓ ସଚିବ କେ ଶ୍ରୀନିବାସରାଓ ତାଙ୍କ ମସୌରୀ ସ୍ଥିତ ଘରେ ଏହି ସମ୍ମାନ ପ୍ରଦାନ କରିଥିଲେ। ଏହି ଅବସରରେ ଲେଖକ ଶ୍ରୀ ବଣ୍ଡଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। ୧୯ ମଇ ୧୯୩୪ରେ ହିମାଚଳ ପ୍ରଦେଶର କସୌଲିରେ ଜନ୍ମଗ୍ରହଣ କରିଥିବା ରସ୍କିନ ବଣ୍ଡ ପଚାଶ ବର୍ଷରୁ ଅଧିକ ସମୟ ଧରି ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଆସୁଛନ୍ତି। ତାଙ୍କର ଗଳ୍ପ , ଉପନ୍ୟାସ ଓ ଆତ୍ମଜୀବନୀ ଖୁବ୍ ପାଠକୀୟ ଆଦୃତି ଲାଭ କରିଛି। ସେ ଶିଶୁ ସାହିତ୍ୟ ମଧ୍ୟ ରଚନା କରିଛନ୍ତି। ତାଙ୍କର ଉଲ୍ଲେଖନୀୟ କୃତିଗୁଡ଼ିକ ହେଉଛି ଭାଗ୍ରାଣ୍ଟସ ଇନ ଦି ଭ୍ୟାଲି, ୱାନ୍ସ ଅପନ ଏ ମନସୁନ ଟାଇମ, ଏଙ୍ଗ୍ରି ରିଭର, ଷ୍ଟ୍ରେଞ୍ଜର୍ସ ଇନ ଦି ନାଇଟୋ, ଅଲ୍ ରୋଡସ ଲିଡ ଟୁ ଗଙ୍ଗା ଇତ୍ୟାଦି।୧୯୭୮ ମସିହାର ହିନ୍ଦୀ ଚଳଚ୍ଚିତ୍ର ‘ଜୁନୁନ୍’ ରସ୍କିନ ବଣ୍ଡଙ୍କ ଐତିହାସିକ ଉପନ୍ୟାସ ‘ଏ ଫ୍ଲାଇଟ୍ ଅଫ୍ ପିଜିଅନ୍’ ଉପରେ ଆଧାରିତ। ତାଙ୍କର ଅନେକ କାହାଣୀ ଦେଶର ବିଦ୍ୟାଳୟ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଛି। ୨୦୦୫ରେ ତାଙ୍କର ଲୋକପ୍ରିୟ ଶିଶୁ ଉପନ୍ୟାସ ‘ଦି ବ୍ଲୁ ଅମ୍ବ୍ରେଲା’ ଆଧାରରେ ଏକ ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ୧୯୯୨ ରେ ତାଙ୍କ ଗଳ୍ପ ସଂକଳନ ‘ଆୱାର ଟ୍ରିଜ୍ ଷ୍ଟିଲ ଗ୍ରୋ ଇନ ଦେହରା’ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ସେ ମଧ୍ୟ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ଓ ପଦ୍ମଭୂଷଣ ଉପାଧିରେ ଭୂଷିତ ହୋଇଛନ୍ତି।