ଡେପୁଟି ମୂଖ୍ୟ ନିର୍ବାଚନ ଅଧିକାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ କାର୍ଯ୍ୟାଳୟର ଡେପୁଟି ମୂଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟର ତଦାରଖ ନିମନ୍ତେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ଉଭୟ ସୋନପୁର ଏବଂ ବୀରମହାରାଜପୁର ବିଧାନ ସଭା କ୍ଷେତ୍ରର ବିଭିନ୍ନ ବୁଥ ଅଞ୍ଚଳ ପରିଦର୍ଶନ କରିଛନ୍ତି। ସେ ଏହି ଗସ୍ତ ଅବସରରେ ବିଭିନ୍ନ ବୁଥ ବୁଲିବା ସହ ସଂକ୍ଷିପ୍ତ ଭୋଟର ସଂଶୋଧନ ଉପରେ ବୁଥ ଲେଭେଲ ଅଧିକାରୀଙ୍କ ସହ ସିଧା ସଳଖ ଆଲୋଚନା କରି ତୃଣମୂଳ ସ୍ତରରେ ସଂଶୋଧନ ପ୍ରକ୍ରିୟା କାର୍ଯ୍ୟକାରିତାର ସମୀକ୍ଷା କରିଛନ୍ତି। ନୂତନ ଭୋଟର ଓ ବାଦ୍ ପଡ଼ିଥିବା ଭୋଟରଙ୍କ ନାମ ଅନ୍ତର୍ଭୁକ୍ତ ନିମନ୍ତେ ହସ୍ତଗତ ହୋଇଥିବା ଫର୍ମ ନଂ ୬, ମୃତ ଓ ସ୍ଥାନାନ୍ତରିତ ହୋଇଥିବା ଭୋଟରଙ୍କୁ ବାଦ୍ ଦେବା ନିମନ୍ତେ ଫର୍ମ ନଂ ୭ ଓ ଭୋଟର ତାଲିକାରେ ଓ ଭୋଟର ପରିଚୟ ପତ୍ରରେ ଭୋଟରଙ୍କ ନାମ, ପିତା ବା ସ୍ଵାମୀଙ୍କ ନାମ, ଲିଙ୍ଗ, ବୟସ, ଫଟୋ ଓ ଠିକଣା ସଂଶୋଧନ ନିମନ୍ତେ ଫର୍ମ ନଂ ୮ ର ସମୀକ୍ଷା କରିଥିଲେ। ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆଗାମୀ ୨୮ ନଭେମ୍ବର ପର୍ଯ୍ୟନ୍ତ ଜାରି ରହିବ ବୋଲି କହିଥିଲେ। ସେ ଗସ୍ତ ସମୟରେ ଭୋଟର ମାନଙ୍କୁ ଏହି ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ସକ୍ରିୟ ଅଂଶ ଗ୍ରହଣ କରି ଏକ ଭଲ, ନିର୍ଭୁଲ ଓ ସୁସ୍ଥ ଭୋଟର ତାଲିକା ପ୍ରସ୍ତୁତି କରିବାରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.