ସମାଜସେବୀ ଯଶୋବନ୍ତ ରଣା ପାଇବେ ମିଥିଲା ଯୁବ ସମ୍ମାନ-୨୦୨୪

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ତିଳଯୋଡି ଗ୍ରାମର ଯୁବ ସମାଜସେବୀ ଯଶୋବନ୍ତ ରଣା ବର୍ଷ ୨୦୨୪ ପାଇଁ ମିଥିଲା ଯୁବ ସମ୍ମାନ ପାଇବେ। ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ବିହାର ରାଜ୍ୟ ମଧୁବନ ଜିଲ୍ଲାର ଦରଭଙ୍ଗା ଠାରେ ଆୟୋଚି ଯୁବା ଫାଉଣ୍ଡେସନ ଦ୍ୱାରା ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ସେ ଏହି ସମ୍ମାନ ଗ୍ରହଣ କରିବେ। ସୂଚନା ଅନୁସାରେ ବିହାର ରାଜ୍ୟ ମଧୁବନ ଜିଲ୍ଲାର ଆୟୋଚି ଯୁବା ଫାଉଣ୍ଡେସନ ଦ୍ୱାରା ପ୍ରତିବର୍ଷ ଭାରତର ୧୫ ଜଣ ଦକ୍ଷ ଯୁବ ସ୍ବେଛାସେବୀଙ୍କୁ ସମ୍ମାନିତ କରାଯାଏ। ଏହି କ୍ରମରେ ଏହି ବର୍ଷ ମଧ୍ୟ ଭାରତ ର ୧୫ ଜଣ ଯୁବ ସମାଜସେବୀଙ୍କୁ ସମ୍ମାନିତ କରାଯିବ। ଯଶୋବନ୍ତ ରଣା ଗତ ୮ ବର୍ଷ ହେଲା ସମାଜସେବାରେ ନିଜକୁ ସକ୍ରିୟ କରି କଳାହାଣ୍ଡି ଜିଲ୍ଲା ସହ ସାରା ଓଡିଶାରେ ନିଜ ଉଦ୍ୟମରେ ସମାଜର ଅବହେଳିତଙ୍କୁ ସହଯୋଗ କରି ଆସୁଛନ୍ତି। ଶ୍ରୀ ରଣା ମୁଖ୍ୟତଃ ଅନାଥ ଶିଶୁ ମାନଙ୍କ ସୁରକ୍ଷା ଓ ସେମାନଙ୍କ ଶିକ୍ଷା, ଅଧାରୁ ପାଠ ଛାଡ଼ିଥିବା ଶିଶୁଙ୍କୁ ସ୍କୁଲ ଫେରେଇବା, ଶିଶୁ ମାନଙ୍କ ଅଧିକାର, ଦିବ୍ୟାଙ୍କ ଅଧିକାର ପାଇଁ କାର୍ଯ୍ୟ କରନ୍ତି। ତାଙ୍କ ସହଯୋଗରେ କଳାହାଣ୍ଡି ଜିଲ୍ଲାର ୧୦୦ ରୁ ଉର୍ଦ୍ଧ ଅନାଥ ଶିଶୁ ବିଭିନ୍ନ ଆଶ୍ରାମରେ ରହି ପାଠ ପଢି ପାରୁଛନ୍ତି। ୨୦ ରୁ ଉର୍ଦ୍ଧ୍ବ ଅଧାରୁ ପାଠ ଛାଡ଼ିଥିବା ଶିଶୁ ପୁଣିଥରେ ସ୍କୁଲ ଫେରିଛନ୍ତି। କଲେଜରେ ଆଡ଼ମିସନ କରିପାରୁନଥିବା ୩୦ ରୁ ଉର୍ଦ୍ଧ୍ବ ଶିଶୁଙ୍କୁ ବିଭିନ୍ନ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ କଲେଜରେ ଆଡ଼ମିସନ କରାଇ ଦେଇଛନ୍ତି। କରୋନା ସମୟରେ ଫ୍ରିରେ ମାସ୍କ ବଣ୍ଟନ, ଦିବ୍ୟାଙ୍ଗ, ଅସହାୟଙ୍କୁ ଫ୍ରି ରାସନ ବଣ୍ଟନ ମଧ୍ୟ କରିଥିଲେ। କରୋନା ସମୟରେ ରାଜ୍ୟ ସରକାରଙ୍କ “ଆଶୀର୍ବାଦ” ଯୋଜନାରେ ୧୦୦ ରୁ ଉର୍ଦ୍ଧ୍ବ ଶିଶୁଙ୍କୁ ଏହି ଯୋଜନାରେ ସାମିଲ କରିଛନ୍ତି। ଏହିଭଳି କାର୍ଯ୍ୟ କରି ଶ୍ରୀ ରଣା ବିଭିନ୍ନ ସମୟରେ ଜିଲ୍ଲା ଓ ବାହାରେ ବେଶ ଚର୍ଚ୍ଚା ହୋଇଛନ୍ତି। ଜିଲ୍ଲା ଓ ଜିଲ୍ଲା ବାହାରେ ବିଭିନ୍ନ ଅନୁଷ୍ଠାନରୁ ମଧ୍ୟ ପୁରସ୍କାର ପାଇଛନ୍ତି। ଆଜି ଆୟୋଚି ଯୁବ ଫାଉଣ୍ଡେସନ ଦ୍ୱାରା ସଦ୍ୟ ପ୍ରକାଶିତ ଲିଷ୍ଟରେ ଯଶୋବନ୍ତ ରଣାଙ୍କ ନାମ ପ୍ରକାଶିତ ହୋଇଛି। ଶ୍ରୀ ରଣା ଯୁବ ସମ୍ମାନ ପାଇବାପାଇଁ ମନୋନୀତ ହୋଇଥିବା ଜାଣି ତାଙ୍କୁ ବିଭିନ୍ନ ଅନୁଷ୍ଠାନ, କ୍ଲବ, ଅନେକ ବ୍ୟକ୍ତି ବିଶେଷ ଶୁଭେଚ୍ଛା ଜଣେଇଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.