ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ, ୧୮ ଘଣ୍ଟା ପରେ ଉଠିଲା ଶବ

ରୋଜଗାରିଆ ପୁଅକୁ ହରାଇ ବେସାହାରା ପରିବାର 

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଓ କୋକସରା ବ୍ଲକ ସୀମାନ୍ତ କୁଣ୍ଡିଗୁଡା ଗାଁର ଏକ କ୍ଷେତରେ ଧାନ କାଟିବା ସମୟରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ପରମାନନ୍ଦ ରାଉତ (୨୦) ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏହି ଘଟଣା ପରେ କ୍ଷତିପୂରଣ ଦାବି କରିଥିଲେ ପରିବାରବର୍ଗ। ୧୮ ଘଣ୍ଟା ପରେ ଘଟଣା ସ୍ଥଳରେ ବିଦ୍ୟୁତ୍ ବିଭାଗୀୟ ଅଧିକାରୀ ସହ ଜୟପାଟଣା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ, ବ୍ଳକ ଅଧ୍ୟକ୍ଷ ଥବିର ବାଗ ପହଞ୍ଚି ବୁଝାସୁଝା କରି ସହାୟତା ପ୍ରଦାନ କରିଥିଲେ। ବିଦ୍ୟୁତ ବିଭାଗ ପକ୍ଷରୁ ୩୦ ହଜାର ଟଙ୍କା ରେଡକ୍ରସ ପାଣ୍ଠିରୁ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ୩୦ ହଜାର ଏବଂ ହରିଶ୍ଚନ୍ଦ୍ର ଯୋଜନା ରେ ୩ ହଜାର ଟଙ୍କା ଦେଇ ଆଗାମୀ ଦିନରେ ପରିବାର ପ୍ରତି ଦୃଷ୍ଟି ଦିଆଯିବା ପାଇଁ ପ୍ରତିଶୃତି ଦେବାପରେ ଶବକୁ ପରିବାରକୁ ହସ୍ତାନ୍ତର କରାଯାଇଥିବା ସୁଚନା ମିଳିଛି। ବିଦ୍ୟୁତ ବିଭାଗର ବିଲମ୍ବ ହେତୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ସୁଚନା ଅନୁସାରେ ମୃତ ଶ୍ରମିକଙ୍କ ବାପା ଦୁଇ ବର୍ଷ ତଲେ ମୃତ୍ୟୁ ବରଣ କରିଥିବା ବେଳେ ମା କୁଷମା ଓ ଭଉଣୀ କ୍ଷୀର ରାଉତ (୧୫) ଙ୍କୁ ପରମାନନ୍ଦ ପ୍ରତିପୋଷଣ କରିଆସୁଥିଲେ। ରୋଜଗାରିଆ ପୁଅ ମୃତ୍ୟୁ ହେବାପରେ ପରିବାର ବେସାହାରା ହୋଇଯାଇଛନ୍ତି। ଘଟଣା ପରେ ଜୟପାଟଣା ପୋଲିସ୍, ବ୍ଳକ ଅଧ୍ୟକ୍ଷ, ବିଡିଓ, ବିଦ୍ୟୁତ ବିଭାଗର କନଷ୍ଟ ଯନ୍ତ୍ରୀ ପହଞ୍ଚି ବୁଝାସୁଝା ସହ କ୍ଷତିପୂରଣ ଦେବା ସହ ଆଗକୁ ନିୟମ ଅନୁସାରେ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.