ଫେବୃୟାରୀ ୫ରେ ରେଳରୋକ ଆନ୍ଦୋଳନ କରିବ ନର୍ଲା ରେଳଯାତ୍ରୀ ସୁରକ୍ଷା ସଂଘ

ଜାନୁୟାରୀ ୧୨ରେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ରେଳଯାତ୍ରୀ ସୁରକ୍ଷା ସଂଘ ଆସନ୍ତା ଫେବୃୟାରୀ ୫ ରେ ନର୍ଲାରୋଡ ରେଳ ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିବ ବୋଲି ଏହାର ସଭାପତି ପ୍ରଦୀପ କୁମାର ନାଏକ ଓ ସମ୍ପାଦକ ହମେଶ କୁମାର ଜୈନ ଡାକରା ଦେଇଛନ୍ତି।ଏଥିପାଇଁ ଜାନୁୟାରୀ ୧୨ ରେ ସ୍ଥାନୀୟ ଧର୍ମଶାଳାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଏଥିପାଇଁ ଶତାଧିକ ଜନସାଧାରଣଙ୍କୁ ନିମନ୍ତ୍ରଣ କରାଯାଇ ସହଯୋଗ କାମନା କରିଛନ୍ତି ଯାତ୍ରୀ ସୁରକ୍ଷା ସଂଘ। ଏଠାରେ ପ୍ରକାଶ ଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ନର୍ଲାରୋଡ ରେଳ ଷ୍ଟେସନରେ କରୋନା ସଂକ୍ରମଣ ହେବା ପୂର୍ବରୁ ବିଶାଖାପାଟନମ- ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ, ଏଲେପି- ଧାନବାଦ, କୋରବା – ବିଶାଖାପାଟନମ ଲିଙ୍କ୍ ଏକ୍ସପ୍ରେସ ଟ୍ରେନ, ପୁରୀ- ଅହମଦାବାଦ ପ୍ରଭୃତି ଏକ୍ସପ୍ରେସ ଟ୍ରେନ ଗୁଡିକ ନର୍ଲାରୋଡ ଷ୍ଟେସନରେ ରହଣୀ ରହିଥିଲା । ନର୍ଲାରୋଡ ଆଖପାଖ ୧୮ ରୁ ଉର୍ଦ୍ଧ୍ବ ଗାଁ ଲୋକେ ବିଭିନ୍ନ ସ୍ଥାନକୁ ଯାତ୍ରା ନିମନ୍ତେ ନର୍ଲାରୋଡ ଓ ରୁପ୍ରାରୋଡ ରେଳ ଷ୍ଟେସନ ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ସମତା ଏକ୍ସପ୍ରେସରେ ରାଜଧାନୀ ଦିଲ୍ଲୀ ଯିବାର ସୁବିଧା ରହିଥିବା ବେଳେ ଏଲେପି- ଧାନବାଦ ଏକ୍ସପ୍ରେସ ଟ୍ରେନରେ ଏଠାକାର ଲୋକେ, ଗୁଜୁରାଟ, ସୁରଟକୁ ଯାଇଥାନ୍ତି ପେଟ ପାଟଣା ପାଇଁ । କରୋନା ଲକଡାଉନ ଯୋଗୁଁ ଗତ ୨୦୨୦ ଅପ୍ରେଲରୁ ଟ୍ରେନ ଚଳାଚଳ ବନ୍ଦ ହୋଇ ଯାଇଥିଲା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ ଖୋଲିବା ପରେ ଗତ ୨୦୨୧ ଅଗଷ୍ଟ ମାସରୁ ସ୍ୱତନ୍ତ୍ର ଟ୍ରେନ ଭାବରେ ସମତା, କୋରବା, ଏଲେପି-ଧାନବାଦ, ବିଳାସପୁର – ତିରୁପତି ଏକ୍ସପ୍ରେସ ଟ୍ରେନ ଚଳାଚଳ କରୁଥିଲେ ମଧ୍ୟ କଳାହାଣ୍ଡି ଜିଲ୍ଲାରେ ଆଗରୁ ଷ୍ଟପେଜ ରହିଥିବା ଷ୍ଟେସନ ଗୁଡିକ ନର୍ଲାରୋଡ ରେ ଏବେ ଆଉ ଉପରୋକ୍ତ ଟ୍ରେନ ଗୁଡିକର ଷ୍ଟପେଜ ଦିଆଯାଇ ନାହିଁ। କଳାହାଣ୍ଡି ଜିଲ୍ଲାର କେବଳ କେସିଙ୍ଗା ଗୋଟିଏ ଷ୍ଟେସନରେ ହିଁ ଷ୍ଟପେଜ ରହିଛି ଉପରୋକ୍ତ ଟ୍ରେନ ଗୁଡିକର । ଯାହା ଫଳରେ ନର୍ଲା ଅଞ୍ଚଳର ଲୋକେ ଦିଲ୍ଲୀ, ବିଶାଖାପାଟନମ ଯିବା ନିମନ୍ତେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଦେଖିବାକୁ ମିଳିଛି । ନର୍ଲାରୋଡ ଷ୍ଟେସନ ରେ କେବଳ ସମ୍ବଲପୁର- ରାୟଗଡା ଇଣ୍ଟରସିଟି ଟ୍ରେନଟି ରହୁଥିଲା । ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ଓ ରୁପ୍ରାରୋଡ ରେଳଯାତ୍ରୀ ସୁରକ୍ଷା ସଂଘ ତରଫରୁ ଗତ ଅପ୍ରେଲ ୧୦ ଓ ୧୧ ରେ ରେଳରୋକ ଧାରଣା ଦେବା ନିମନ୍ତେ କମିଟି ନିଷ୍ପତି ନେଇଥିଲେ । ଏହା ଜାଣିବା ପରେ ରେଳବାଇ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ ସ୍ଥାନୀୟ ପୋଲିସ୍ ପ୍ରଶାସନ ନର୍ଲା ଥାନାକୁ ଆସି ଉଭୟ ରେଳଯାତ୍ରୀ ସୁରକ୍ଷା ସମିତି ଓ ସଂଘର କର୍ମକର୍ତ୍ତାଙ୍କୁ ଡାକି ରେଳରୋକ ଧାରଣାରୁ ନିବୃତ ରହିବା ପାଇଁ ଅନୁରୋଧ କରିଥିଲେ । ଏବଂ ଗୋଟିଏ ମାସ ଭିତରେ ରହଣୀ ଦାବୀ ରହିଥିବା ଟ୍ରେନ ଗୁଡିକର ରହଣୀ କରାଯିବ ବୋଲି କଥା ଦେଇଥିଲେ । ଏଥିରେ ନର୍ଲାରୋଡ ରେଳଯାତ୍ରୀ ସୁରକ୍ଷା ସମିତି ସହମତି ପ୍ରକାଶ କରି ଧାରଣାରୁ ନିବୃତ ରହିଥିଲା । ହେଲେ ରୁପ୍ରାରୋଡ ରେଳ ଷ୍ଟେସନ ରେ ଅପ୍ରେଲ ୧୧ – ୨୦୨୨ ରେ ବଡ ଧରଣର ରେଳରୋକ ଆନ୍ଦୋଳନ ଓ ଧାରଣା ଅନୁଷ୍ଠିତ ହୋଇଥିଲା । ଫଳ ସ୍ୱରୁପ କୋରବା ଏକ୍ସପ୍ରେସ ଉଭୟ ନର୍ଲାରୋଡ ଓ ରୁପ୍ରାରୋଡ ଉଭୟ ରେଳ ଷ୍ଟେସନରେ ଓ କେବଳ ନର୍ଲାରୋଡ ରେଳ ଷ୍ଟେସନରେ ପୁରୀ ଅହମଦାବାଦ ଟ୍ରେନର ରହଣୀ ମାସଟେ ପରେ ଦେଇଥିଲା ରେଳବାଇ ବିଭାଗ । ହେଲେ ଅଞ୍ଚଳବାସୀଙ୍କ ପ୍ରମୁଖ ଦାବୀ ରହିଥିବା ଏବଂ କରୋନା ପୂର୍ବରୁ ଉଭୟ ଷ୍ଟେସନରେ ରହଣୀ ରହିଥିବା ସମତା ସୁପରଫାଷ୍ଟ ଏକ୍ସପ୍ରେସ ଓ ଏଲେପି-ଧାନବାଦ ଏକ୍ସପ୍ରେସ ର ରହଣୀ ଦିଆଯାଇନାହିଁ । ଯେଉଁଥି ପାଇଁ ଅଞ୍ଚଳରେ ଜନ ଅସନ୍ତୋଷ ବଢିବାରେ ଲାଗିଛି । ପୂର୍ବରୁ ରହଣୀ ରହିଥିବା ଓ ଅନେକ ଦାବୀ ସତ୍ୱେ ଅଦ୍ୟାବଧି ରହଣୀ ଦିଆ ଯାଇନଥିବା ଉଭୟ ଟ୍ରେନ ଗୁଡିକର ନର୍ଲାରୋଡ ରେ ରହଣୀ ପାଇଁ ରେଳବାଇ କତ୍ତୃପକ୍ଷଙ୍କୁ ବାରମ୍ବାର ଲେଖି ଜଣାଇଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ନେଉନାହିଁ । ଏଣୁ ଦୀର୍ଘ ତିନିବର୍ଷ ପରେ ବାଧ୍ୟ ହୋଇ ନର୍ଲା ରେଳଯାତ୍ରୀ ସୁରକ୍ଷା ସଂଘ ରେଳ ରୋକ ଭଳି ନିଷ୍ପତ୍ତି ନେଇଥିବା ମତ ବ୍ୟକ୍ତ କରିଛନ୍ତି ସଭାପତି ଶ୍ରୀ ନାଏକ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.