ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ସାହିତ୍ୟର ଯୁଗପୁରୁଷ କଥା ସମ୍ରାଟ ଫକୀରମୋହନଙ୍କ ପ୍ରତି ହେଉଥିବା କ୍ରମାଗତ ଅସମ୍ମାନ ତମାମ ଓଡ଼ିଆ ଭାଷାପ୍ରେମୀ ମାନଙ୍କୁ ଖୁବ ଆଘାତ ଦେଇଛି। ଏହାର ତୀବ୍ର ପ୍ରତିବାଦର ସ୍ବର କଥାକାରଙ୍କ ଜନ୍ମପୀଠ ବାଲେଶ୍ଵର ମାଟିରୁ ଉଠିଛି। ଘଟଣାରୁ ପ୍ରକାଶ ଯେ, ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ପାର୍ଶ୍ଵରେ ନିର୍ମିତ ହୋଇଥିବା ଫକୀରମୋହନଙ୍କ ମୂର୍ତ୍ତିସାମ୍ନାରେ ଏକ ବିରାଟ ଭାସ୍କର୍ଯ୍ୟକଳା ନିର୍ମାଣ କରାଯିବା ଫଳରେ ଫକୀର ମୋହନଙ୍କର ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିଟି ଦୃଶ୍ୟମାନ ହେଉନଥିବା ଘଟଣା ସାମ୍ନାକୁ ଆସିବା ପରେ ଭୁବନେଶ୍ଵର ସମେତ ଓଡିଶାର ପ୍ରତି କୋଣରୁ ପ୍ରତିବାଦର ସ୍ୱର ଉଠିଛି। ବିଶେଷ କରି ବାଲେଶ୍ଵର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ସଂସ୍ଥା ‘ବାଲେଶ୍ଵର ସାହିତ୍ୟ ସଂସ୍କୃତି-କଳା ପରିଷଦ’ ଏବଂ ‘ସୃଜନାକ୍ଷର’ର ସଭ୍ୟମାନେ ଏତାଦୃଶ ଘଟଣାର ନିନ୍ଦା କରିଛନ୍ତି। ବିଶେଷ କରି ଓଡ଼ିଶାର ଅନ୍ୟତମ ବରିଷ୍ଠ ସାହିତ୍ୟିକ ଡକ୍ଟର ରାଧାରଂଜନ ପଟ୍ଟନାୟକଙ୍କ ସମେତ, ଡକ୍ଟର ବଂଶୀଧର ଚୌଧୁରୀ, କବି କୃଷ୍ଣ କୁମାର ମହାନ୍ତି, ସମାଜସେବୀ ପ୍ରସନ୍ନ କୁମାର ପାତ୍ର, ଡା. ଅଭିମନ୍ୟୁ କାନୁନଗୋ, କଥାକାର ଉଦୟ ନାରାୟଣ ଦାସ, ସାହିତ୍ୟିକ ସମୀର ଆଚାର୍ଯ୍ୟ ପ୍ରମୁଖ ଅନେକ ବ୍ୟକ୍ତି ଏକ ମିଳିତ ପ୍ରେସ୍ ବିବୃତିରେ ଯୁଗଜନ୍ମା ଫକୀରମୋହନଙ୍କୁ ନ୍ୟୂନ କରି ଭାସ୍କର୍ଯ୍ୟକଳା ନାମରେ ଏଭଳି କୁତ୍ସିତ ମାନସିକତା ରଖିବା ସହ ଓଡ଼ିଆ ଭାଷାର ରକ୍ଷା କର୍ତ୍ତାଙ୍କୁ ଅସମ୍ମାନ କରାଯିବା ଘଟଣାକୁ ପ୍ରଚଣ୍ଡ ବିରୋଧ କରିଛନ୍ତି ।ଯେଉଁ ମଣିଷଟି ମୁର୍ମୁଷୁ ଓଡ଼ିଆ ଭାଷା ପ୍ରାଣରେ ଅମ୍ଳଜାନ ଭରିଛନ୍ତି, ଯିଏକି ଓଡ଼ିଆ କଥା ସାହିତ୍ୟର ରେନେଁସାର ପ୍ରବର୍ତ୍ତକ, ତାଙ୍କ ପ୍ରତି ଏଭଳି ଅସମ୍ମାନ କାହିଁକି ବୋଲି ସେମାନେ ପ୍ରଶ୍ନ ଉଠାଇଛନ୍ତି। ଫକୀରମୋହନ କେବଳ ବାଲେଶ୍ଵରରେ ନୁହେଁ ବରଂ ସମଗ୍ର ଭାରତ ବର୍ଷରେ ଜଣେ ଅଦ୍ୱିତୀୟ ସ୍ରଷ୍ଟା। ସେ ଥିଲେ ବୋଲି ଆମେ ଆଜି ଓଡ଼ିଆ ବୋଲି ଗର୍ବ ଅନୁଭବ କରୁଛୁ।ତେବେ ଏପରି ସ୍ଥଳେ ତାଙ୍କର ଦାୟାଦ ହୋଇ ଆମେ କେଉଁ ଅସ୍ମିତାର କଥା କହୁଛୁ ବୋଲି ସଭିଏଁ ପ୍ରଶ୍ନ ରଖି ଛନ୍ତି। ଏଇ ଅସ୍ମିତାର ଟେକ ରଖିବା ପାଇଁ ଯେଉଁମାନେ ଶାସନ କ୍ଷମତାରେ ଅଛନ୍ତି, ସେମାନଙ୍କ ଆଖିଆଗରେ ବାଣୀବିହାର ବାଣୀପୀଠରେ ବାଣୀପୁତ୍ରଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କାରାଯିବନି ବୋଲି ନିଜନିଜର ପ୍ରକ୍ରିୟାରେ ବାଲେଶ୍ଵରର ଲେଖକମାନେ କହିଛନ୍ତି। ଯଥାଶୀଘ୍ର କଥାସମ୍ରାଟ ଫକୀର ମୋହନଙ୍କ ପ୍ରତିମୂର୍ତ୍ତି ସାମ୍ନାରୁ ନିର୍ମାଣ କରାଯାଇଥିବା ଭାସ୍କର୍ଯ୍ୟକଳାଟିକୁ ସ୍ଥାନାନ୍ତର କରାଯାଉ ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମାନନୀୟ ମୋହନ ଚରଣ ମାଝୀ, ସଂସ୍କୃତି ତଥା ଶିକ୍ଷା ମନ୍ତ୍ରୀ ମାନନୀୟ ସୂର୍ଯ୍ୟବଂଶୀ ସୂରଜଙ୍କର ଦୃଷ୍ଟି ଆକର୍ଷଣ କରିବା ସହ ଯେଉଁମାନେ ଧାରାବାହିକ ଭାବେ ଫକୀରମୋହନଙ୍କ ପ୍ରତି ଅସଦାଚରଣ ପ୍ରଦର୍ଶନ କରିଛନ୍ତି, ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରତିବାଦକାରୀ ମାନେ ଦାବି କରିଛନ୍ତି।