ବିଶ୍ୱନାଥପୁର ବନାଞ୍ଚଳର ଅଜବ ନୀତି: ତଳତଳିଆଙ୍କୁ ଚାବୁକ ପାହାର, ବଡ଼ବଡ଼ିଆଙ୍କୁ ସବୁ ଛାଡ଼

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ବିଶ୍ୱନାଥପୁର ବନାଞ୍ଚଳରେ ଦେଖିବାକୁ ମିଳିଛି ଅଜବ ନୀତି। ବଡ଼ ବଡ଼ିଆ ଅଧିକାରୀ ଅର୍ଥାତ ଖୋଦ ବନାଞ୍ଚଳ ଅଧିକାରୀ ପଦୋନ୍ନତି ପରେ ବି ତାଙ୍କର ବଦଳି ନିର୍ଦ୍ଦେଶ ଚପିଯାଇଥିବାବେଳେ ବନାଞ୍ଚଳ ଅଧୀନରେ କାର୍ଯ୍ୟରତ ପାଞ୍ଚ ଜଣ ଆସ୍ଥାୟୀ କର୍ମଚାରୀଙ୍କୁ ରାତି ଅଧିଆ ବଦଳି କରି ଦିଆଯାଇଛି। ଭିତିରି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ନରୋତ୍ତମ ମାଝୀ ଗତ ବର୍ଷକ ତଳେ ଅତିରିକ୍ତ ବନ ସଂରକ୍ଷକ ଭାବେ ପଦୋନ୍ନତି ପାଇଛନ୍ତି। ତାର ପରେପରେ ଖଡ଼ିଆଳ କେନ୍ଦୁପତ୍ର ବିଭାଗକୁ ତାଙ୍କର ବଦଳି ହୋଇଥିଲା। କିନ୍ତୁ ଦୁହାଳିଆ ବିଶ୍ୱନାଥପୁର ବନାଞ୍ଚଳକୁ ଛାଡ଼ି କରି ନଯିବାକୁ ବାବୁ ଜଣକ ଅନେକ କାରସାଦି କରି ସେଥିରେ ସଫଳ ହୋଇଥିଲେ। କିନ୍ତୁ ବିଚରା ଦିନ ମଜୁରିଆ ଭାବେ ଖଟୁଥିବା ପାଞ୍ଚଜଣ ଅସ୍ଥାୟୀ କର୍ମଚାରୀଙ୍କୁ କେସିଙ୍ଗା ଓ ନର୍ଲା ରେଞ୍ଜ ଅଞ୍ଚଳକୁ ରାତିଅଧିଆ ବଦଳି କରି ଦିଆଯାଇଛି। କମ ଦରମାରେ କେମିତି ଚଳିବୁ ସେଇ ଚିନ୍ତାରେ ଥିବା ଏଇ କର୍ମଚାରୀମାନେ ଏବେ ଦୁଃଖ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ଅପରପକ୍ଷରେ ବଡ଼ବଡ଼ିଆ ଅଧିକାରୀମାନେ ଏଠାରେ ଚାକିରୀ, ଏଠାରେ ପଦୋନ୍ନତି ସହିତ କୋଟିକୋଟି ଟଙ୍କାର ସରକାରୀ ଅନୁଦାନକୁ ଚଳୁ କରି କୋଳି ଖାଇ ସତେ ଯେମିତି ମଞ୍ଜି ପୋତିଛନ୍ତି। ତେବେ ଅସ୍ଥାୟୀ କର୍ମଚାରୀମାନଙ୍କୁ ଅତ୍ୟଧିକ ଖଟଣି ସହିତ ସେମାନଙ୍କୁ ନାନା ପ୍ରକାର ହଇରାଣ କରୁଥିବା ଅଭିଯୋଗ ହେଉଛି। ଏପରିକି ମନରେଗା ସମେତ ବିଭିନ୍ନ ଯୋଜନାରେ କୋଟିକୋଟି ଟଙ୍କା ହରିଲୁଟ କରୁଥିବା ବନପାଳ, ବନରକ୍ଷୀ ଓ କିଛି ଅସ୍ଥାୟୀ କର୍ମଚାରୀଙ୍କ ଗୁମର ପଦାରେ ପଡ଼ିବ ବୋଲି ଭୟରେ ଏଇ ପାଞ୍ଚଜଣଙ୍କୁ ବଦଳି କରିଦିଆଯାଇଥିବା ଅଭିଯୋଗ ହେଉଛି। ସେହିପରି ବିଶ୍ୱନାଥପୁର ବନାଞ୍ଚଳରେ ହାତୀ ଉପଦ୍ରବ ବଢ଼ିଚାଲିଥିବାବେଳେ ବ୍ୟାପକ କ୍ଷୟକ୍ଷତି ହେଉଛି। ଏହାସତ୍ତ୍ୱେ ଏଠାକାର କର୍ମଚାରୀଙ୍କୁ ଅନ୍ୟତ୍ର ହାତୀ ଘଉଡ଼ାଇବା ନାଁରେ ଏଠାରୁ ହଟାଇନେବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ସେହିପରି ବିଶ୍ୱନାଥପୁର ବନାଞ୍ଚଳରେ ପ୍ରାୟ ୨୮ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତ ଥିବାବେଳେ କାଗଜପତ୍ରରେ କିନ୍ତୁ ୪୨ରୁ ୪୩ଜଣ କର୍ମଚାରୀ ଥିବା ଦର୍ଶାଯାଉଛି। ଏହି ଭୂତ କର୍ମଚାରୀ ଓ ଭୂତ ଡ୍ରାଇଭରଙ୍କ ନାଁରେ ଅଫିସର କିଛି କର୍ମଚାରୀ ମିଥ୍ୟା ବିଲ କରି ଟଙ୍କା ହଡ଼ପ କରୁଥିବା ଅଭିଯୋଗ ହେଉଛି। ଏସବୁ କାମରେ ଜଣେ ଅସ୍ଥାୟୀ କର୍ମଚାରୀ ସହଯୋଗ କରୁଥିବାବେଳେ ଭାରପ୍ରାପ୍ତ ବନାଞ୍ଚଳ ଅଧିକାରୀ ଏହାର ମୁଖ୍ୟ କାର୍ପଟଦାର ହୋଇଥିବା ଅଭିଯୋଗ ହେଉଛି। ଏଣୁ ପଦୋନ୍ନତି ସତ୍ତ୍ୱେ ଆସ୍ଥାନ ଜମାଇ ବସିଥିବା ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଓ ଅନ୍ୟ ଅଧିକାରୀ ତଥା ଅସ୍ଥାୟୀ କର୍ମଚାରୀଙ୍କ ଆୟବ୍ୟୟର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.