ଏକାଦଶ ‘ଜଗଦୀଶ କଥା ସମ୍ମାନ’ ପାଇବେ ଗାଳ୍ପିକ ପବିତ୍ର ପାଣିଗ୍ରାହୀ; ଗାଳ୍ପିକା ସୁନନ୍ଦା ପ୍ରଧାନଙ୍କୁ ‘ଜଗଦୀଶ ଯୁବ ସମ୍ମାନ’

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ କଥାସାହିତ୍ୟର ଟ୍ରେଣ୍ଡସେଟର ଜଗଦୀଶ ମହାନ୍ତିଙ୍କ ସ୍ମୃତିରେ ଗଠିତ ‘ଜଗଦୀଶ ମହାନ୍ତି ଟ୍ରଷ୍ଟ’ ତରଫରୁ ୨୦୨୫ ମସିହା ପାଇଁ ସମ୍ମାନଜନକ ‘ଜଗଦୀଶ କଥା ସମ୍ମାନ’ ଘୋଷଣା କରାଯାଇଛି।ଏହି ପୁରସ୍କାର ପାଇଁ ଏଥର ପ୍ରବୀଣ କଥାକାର ପବିତ୍ର ପାଣିଗ୍ରାହୀ ମନୋନୀତ ହୋଇଛନ୍ତି। ପୁରସ୍କାର ବାବଦରେ ତାଙ୍କୁ ମାନପତ୍ର, ଫଳକ ଓ ଉପଢ଼ୌକନ ସହ ୧୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

ସେହିପରି ଯୁବଗାଳ୍ପିକମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ପ୍ରଦାନ କରାଯାଉଥିବା ‘ଜଗଦୀଶ ଯୁବ ସମ୍ମାନ’ ପାଇଁ ଚଳିତବର୍ଷ ଯୋଗ୍ୟ ବିବେଚିତ ହୋଇଛନ୍ତି ଗାଳ୍ପିକା ସୁନନ୍ଦା ପ୍ରଧାନ। ପୁରସ୍କାର ବାବଦରେ ତାଙ୍କୁ ୫ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯିବ।

୨୦୧୪ରୁ ପ୍ରଦାନ କରା ଯାଇଆସୁଥିବା ଜଗଦୀଶ କଥା ସମ୍ମାନ ପୂର୍ବରୁ ପ୍ରକାଶ ମହାପାତ୍ର, ସଦାନନ୍ଦ ତ୍ରିପାଠୀ ଏବଂ ରଜନୀକାନ୍ତ ମହାନ୍ତି, ଶ୍ୟାମାପ୍ରସାଦ ଚୌଧୁରୀ, ପରେଶ ପଟ୍ଟନାୟକ, ଅଜୟ ସ୍ଵାଇଁ, ନିବାରଣ ଜେନା, ଭୀମ ପୃଷ୍ଟି, ପୁଷ୍ପାଞ୍ଜଳି ନାୟକ, ଦେବବ୍ରତ ମଦନରାୟଙ୍କ ପରି ଖ୍ୟାତନାମା କଥାକାରମାନେ ପାଇଥିବା ବେଳେ ଜଗଦୀଶ ଯୁବ ସମ୍ମାନ ପାଇଛନ୍ତି ଅମରେଶ ବିଶ୍ଵାଳ, ସ୍ଵାଗତିକା ସ୍ଵାଇଁ, ନେତାଜୀ ଅଭିନନ୍ଦନ, ବିରଜା ରାଉତରାୟ, ରାଜେନ୍ଦ୍ର କୁମାର ରାଉଳ, ଶକ୍ତି ମହାନ୍ତି, ମଣିରାମ ଜେନା, ସୁଶୀଲ ପ୍ରଧାନ ଏବଂ ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ।

ଆଗାମୀ ଫେବୃଆରୀ ୧୭ ତାରିଖ ସଂଧ୍ୟାରେ ଭୁବନେଶ୍ଵରସ୍ଥିତ ବୁଦ୍ଧମନ୍ଦିର ଠାରେ ଆୟୋଜିତ ହେବାକୁ ଥିବା ‘ଜଗଦୀଶ ଜୟନ୍ତୀ’ ଉତ୍ସବରେ ବିଶିଷ୍ଟ ସମାଲୋଚକ ଓ ଗାଳ୍ପିକ ପ୍ରଫେସର ଗୁରୁଚରଣ ବେହେରା ଏବଂ ସମୀକ୍ଷକ ଓ ଅନୁବାଦକ ହିମାଂଶୁ ଶେଖର ମହାପାତ୍ର ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଜଗଦୀଶ-ଗଳ୍ପପ୍ରେମୀ ଓ ସାହିତ୍ୟାନୁରାଗୀମାନେ ଏହି ଉତ୍ସବରେ ଯୋଗଦେବାକୁ ଟ୍ରଷ୍ଟର ଅଧ୍ୟକ୍ଷା ଡକ୍ଟର ସରୋଜିନୀ ସାହୁ ଏବଂ ସଂପାଦକ ସରୋଜ ବଳ ଅନୁରୋଧ ଜଣାଇଛନ୍ତି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.