ରେଖପୁର ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ: ତୃତୀୟ ଦିବସରେ ବିଗ୍ରହଙ୍କ ମହାସ୍ନାନ ବିଧାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନବ ନିର୍ମିତ ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବକୁ ନେଇ ଉତ୍ସବମୁଖର ହୋଇଉଠିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରେଖପୁର ଗ୍ରାମ। ଏହି ମହାର୍ଘ୍ୟ କାର୍ଯ୍ୟକ୍ରମ ବୈଦିକ ରିତିନିତି ଅନୁକ୍ରମେ ଚାଲିଛି। ରେଖପୁର ଗୈାନ୍ତିଆ ଟଙ୍କଧର ଭୋଇଙ୍କ ସୁପୁତ୍ର ଟର୍ଜିନ ଭୋଇ ଏବଂ ପୁତ୍ରବଧୂ ବାସନ୍ତୀ ଭୋଇ ମୁଖ୍ୟ କର୍ତ୍ତା ଦାଇତ୍ୱ ନିର୍ବାହ କରୁଛନ୍ତି। ଅନ୍ୟତମ କର୍ତ୍ତା ଭାବେ ସାନ ଗୈାନ୍ତିଆ ସ୍ବର୍ଗତ କାମଦେବ ଭୋଇଙ୍କ କନିଷ୍ଠ ପୁତ୍ର ଗୁଣନିଧି ଭୋଇ ଏବଂ ପୁତ୍ରବଧୂ ରାଜଶ୍ରୀ ଭୋଇ, ଟିକେରାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଶୋଭାବତୀ ଭୋଇ, ଦୟାନିଧି ଭୋଇ ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ଭୋଇ, ଶ୍ୟାମ ଭୋଇ ଓ ତାଙ୍କ ଧର୍ମପତ୍ନୀ ଦମୟନ୍ତୀ ଭୋଇ କାର୍ଯ୍ୟ ସଂପାଦନ କରୁଥିବା ସୂଚନା ରହିଛି। କାର୍ଯ୍ୟକ୍ରମର ତୃତୀୟ ଦିବସ ମାର୍ଚ୍ଚ ୯ ରବିବାର ଦିନ ପ୍ରାତଃ ପ୍ରତିଷ୍ଠା କର୍ମାରମ୍ଭ, ସୂର୍ଯ୍ୟ ପୂଜା, ମଣ୍ଡଳାଦି ପୂଜା, ମହାସ୍ନାନ ବିଧାନ ଓ ପ୍ରାସାଦ ପୁରୁଷଙ୍କ ଗନ୍ଧାଧିବାସ, ହରିଦ୍ରାଦିବାସ, ଜଳାଧିବାସ, ରାତ୍ରେ ଶୟନ ବିଧାନ ଅନୁଷ୍ଠିତ ହୋଇଛି। ଛତ୍ରପୁରର ପଣ୍ଡିତ ମନୋଜ କୁମାର ସତପଥି ଏବଂ ସାଥି ପ୍ରତିଷ୍ଠା କାର୍ଯ୍ୟକ୍ରମର ପ୍ରତିଟି ପର୍ଯ୍ୟାୟ ସୂଚାରୁରୂପେ ସଂପାଦନ କରୁଛନ୍ତି। ରାଧାକୃଷ୍ଣ ମନ୍ଦିର ନିର୍ମାଣ କମିଟି ସଭାପତି ଲୋହିତ ପ୍ରସାଦ ଭୋଇ, ସାଧାରଣ ସମ୍ପାଦକ ଲବିନ୍ଦ୍ର ସେଲମା, କୋଷାଧ୍ୟକ୍ଷ ମୋହନ ଭୋଇ, ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା, ଉପସଭାପତି ଯୁଧିଷ୍ଠିର ଭୋଇ, ସମ୍ପାଦକ ଗୁଣମଣି ଭୋଇ, ଯୁଗ୍ମ ସଂପାଦକ ସତ୍ୟଧର୍ମ ଭୋଇ, କୋଷାଧ୍ୟକ୍ଷ କ୍ଷୀତିଶ ଚନ୍ଦ୍ର ପୋଢ଼, ଉପକୋଷାଧ୍ୟକ୍ଷ ଟିକେରାମ ଭୋଇଙ୍କ ସହ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଛନ୍ତି। କଂସ ଦରବାର ଓ ମିନାବଜାର ଏହି ପ୍ରତିଷ୍ଠା ମହୋତ୍ସବର ମୁଖ୍ୟ ଆକର୍ଷଣ ପାଲଟିଛି। ବୌଦର ବିଶିଷ୍ଟ ମଞ୍ଚ କଳାକାର ମନୋଜ କୁମାର ମହାନ୍ତି ମଥୁରାଧିପତି ମହାରାଜ କଂସ ଭୂମିକାରେ ଅଭିନୟ କରୁଛନ୍ତି। ରାତିରେ ଯଜ୍ଞ ମଣ୍ଡପ, କଂସ ଦରବାର ଓ ମିନାବଜାରରେ ପ୍ରବଳ ଜନସମାଗମ ହେଉଥିବା ଦେଖିବାକୁ ମିଳୁଛି। ମାର୍ଚ୍ଚ ୧୨ ତାରିଖରୁ ଚବିଶ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ, ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରର ଅନେକ ସଂକିର୍ତ୍ତନ୍ୟ ମଣ୍ଡଳୀ ଯୋଗଦେବେ। ଏହି ମହୋତ୍ସବ ମାର୍ଚ୍ଚ ୭ରୁ ଆରମ୍ଭ ହୋଇଥିବାବେଳେ ମାର୍ଚ୍ଚ ୧୫ ହୋଲି ଉତ୍ସବ ଦିନ ନାମ ଯଜ୍ଞର ବିଶ୍ରାମ, ଦଧି ହାଣ୍ଡି ଭଗ୍ନ, ନଗର ପରିକ୍ରମା, ଫଗୁ ଯାତ୍ରା ଓ ଯମୁନା ସ୍ନାନ ସହ ସମାପନ ହେବବୋଲି ରାଧାକୃଷ୍ଣ ମନ୍ଦିର ପ୍ରତିଷ୍ଠା ଏବଂ ପରିଚାଳନା କମିଟି ସଭାପତି ନାରାୟଣ ସେଲମା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.