ଠିକା ସଂସ୍ଥା ଓ ବିଦ୍ୟୁତ ବିଭାଗର ତୁ ତୁ ମେଁ ମେଁ,
ଥାନାର ଦ୍ୱାରସ୍ଥ ହେଲେ ବଳଦ ମାଳିକ
ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ବାବେକୋହୋରା ଗ୍ରାମରେ ରାସ୍ତା ନିର୍ମାଣକାରି ଠିକାସଂସ୍ଥା ଓ ବିଦ୍ୟୁତ୍ ବିଭାଗର ଅବହେଳା କାରଣରୁ ସୋମବାର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଟି ବଳଦ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ବଳଦ ମାଳିକ ଅଜାମ୍ବର ନାଏକ ଓ ମୋହନ ପୁଝାରୀ କ୍ଷତିପୂରଣ ଦାବି କରିଥିବାବେଳେ ଠିକା ସଂସ୍ଥା ଓ ବିଦ୍ୟୁତ୍ ବିଭାଗ ବଳଦ ମାଳିକକୁ କ୍ଷତିପୂରଣ ଦେବାପାଇଁ ନାରାଜ। ସୂଚନା ଅନୁସାରେ, ବାବେକୋହରା-ସିଉନୀ ରାସ୍ତାରେ ଯାଇଥିବା ବିଦ୍ୟୁତ୍ ସଂଯୋଗ କୁ ଅନେକ ଦିନରୁ ବିଚ୍ଛିନ୍ନ କରାଯାଇ ଅକାମି କରାଯାଇଛି। ହେଲେ ଠିକା ସଂସ୍ଥା ରାସ୍ତା ସମ୍ପ୍ରସାରଣ ଓ ଗଛ ସଫା କରିବା ସମୟରେ ସେହି ବିଦ୍ୟୁତ୍ ତାର ତଲେ ପଡି ଯାଇଥିଲା। ସେହି ସମୟରେ ଗାଁ ଲୋକେ ବିଦ୍ୟୁତ୍ ବିଭାଗକୁ ଅବଗତ କରାଇଥିଲେ। ହେଲେ ଠିକା ସଂସ୍ଥା ଏହାକୁ ଭାଙ୍ଗିଥିବା କହି ବିଦ୍ୟୁତ୍ ବିଭାଗ ତାର ଉଠାଇବା ଉପରେ କୈାଣସି ଧ୍ୟାନ ନ ଦେଇ ଲିଖିତ ଭାବେ ଜଣାଇବା ପାଇଁ କହିଥିଲା। ହେଲେ କେହି ଧ୍ୟାନ ଦେଇ ନଥିଲେ। ଫଳରେ ଉକ୍ତ ତାର ସେମିତି ତଲେ ପଡ଼ି ରହିଥିଲା। ପରବର୍ତ୍ତୀ ସମୟରେ ସେହି ତାର ଉପରେ ଯାଇଥିବା ଏଲଟି ଲାଇନ୍ କୈାଣସି ପ୍ରକାରରେ ଲାଗିଯାଇ ବିଦ୍ୟୁତ୍ ସଂଯୋଗ ହୋଇଯାଇଥିଲା, ଯାହା କାହାକୁ ଜଣା ନଥିଲା। ଆଜି ବାବେକୋହରା ଗ୍ରାମର ଅଜାମ୍ବର ନାଏକ ଓ ମୋହନ ପୁଝାରୀଙ୍କ ବଳଦ ଚରିବାକୁ ଯାଇ ସେହି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଉଭୟ ଚାଷୀ ଠିକା ସଂସ୍ଥାକୁ କ୍ଷତିପୂରଣ ଦେବା ପାଇଁ ଦାବି କରିଥିଲେ। ତେବେ ଠିକା ସଂସ୍ଥା ବିଦ୍ୟୁତ୍ ବିଭାଗକୁ ଭରଣ ମାଗିବା ପାଇଁଁ କହିଥିବାବେଳେ ବିଦ୍ୟୁତ୍ ବିଭାଗ ଠିକା ସଂସ୍ଥା ଜାଣିବ କହି କ୍ଷତିପୂରଣ ଦେବାକୁ ମନା କରିଦେଇଥିବା ଉଭୟ ବଳଦ ମାଳିକ ପ୍ରକାଶ କରିଛନ୍ତି। ବଳଦ ମୃତ୍ୟୁର କ୍ଷତିପୂରଣ ନ ପାଇ ଉଭୟ ଗରିବ ଚାଷୀ ଥାନାର ଦ୍ୱାରସ୍ଥ ହେବାପାଇଁ ପ୍ରକାଶ କରିଛନ୍ତି। ଏନେଇ ଠିକା ସଂସ୍ଥା ଓ ବିଦ୍ୟୁତ୍ ବିଭାଗର ମତାମତ ନେବାରୁ ଉଭୟ ଉଭୟଙ୍କୁ ଦୋଷ ଲଦାଲଦି ହୋଇ କ୍ଷତିପୂରଣ ଦେବା ପାଇଁ ମନା କରିଛନ୍ତି।