‘ବହିଘର-ବିଦ୍ୟାଭାରତୀ’ ପକ୍ଷରୁ ପାଳିତ ହେଲା ‘ବିଶ୍ବ ପୁସ୍ତକ ଦିବସ’
ଓଡିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ପୁସ୍ତକ ସମାଜ ଓ ମଣିଷକୁ ସଂସ୍କୃତ ଓ ସମୃଦ୍ଧ କରିଥାଏ । ପ୍ରତ୍ୟେକ ଲୋକ ବହି ପଢ଼ି ଜ୍ଞାନ ଅର୍ଜନ କରି ଏକ ବିପୁଳ ଆଲୋକିତ ପୃଥିବୀ ଆଡ଼କୁ ଅଗ୍ରସର ହୋଇଥାଏ । ଯେଉଁଠି ପୁସ୍ତକ ଓ ପୁସ୍ତକାଳୟର ଆଦର ଥାଏ, ସେଠାରେ ପ୍ରତିନିଧିସ୍ଥାନୀୟ ନେତୃତ୍ବ ସୃଷ୍ଟି ହୋଇଥାନ୍ତି । ଯେଉଁ ଦେଶରେ ଯେତେ ଅଧିକ ପାଠାଗାର , ସେ ଦେଶରେ ସେତେ ଅଧିକ ନୋବେଲବିଜୟୀ ସୃଷ୍ଟି ହୋଇଛନ୍ତି ।
ସେଥିପାଇଁ ପ୍ରତିଟି ଘରେ ଠାକୁର ଘର ଓ ଗୋଦାମଘର ପରି ‘ବହିଘର’ ବା ପାଠାଗାର ରହିବା ଦରକାର ବୋଲି ବାଲେଶ୍ବର ଆଜିମାବାଦସ୍ଥିତ ପ୍ରକାଶନ ପ୍ରତିଷ୍ଠାନ ‘ବହିଘର’ ଓ ‘ବିଦ୍ୟାଭାରତୀ’ ପକ୍ଷରୁ ଆୟୋଜିତ ‘ବିଶ୍ବ ପୁସ୍ତକ ଦିବସ’ ପାଳନ ଅବସରରେ ‘ଘରେଘରେ ବହିଘର’ ଏବଂ ‘ବହିଘରେ ସାରାବର୍ଷ ବହିମେଳା’ ଅଭିଯାନର ଶୁଭାରମ୍ଭ କରି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
‘ବିଦ୍ୟାଭାରତୀ’ର ନିର୍ଦ୍ଦେଶକ ଅଭୟ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ବସ୍ତାର ବିଧାୟିକା ତଥା ‘ରେବତୀ’ ପତ୍ରିକାର ସଂପାଦିକା ସୁବାସିନୀ ଜେନା, ମୁଖ୍ୟ ବକ୍ତା ଭାବରେ ଫକୀରମୋହନ ବିଶ୍ବବିଦ୍ୟାଳୟର ଭାଷା ବିଭାଗର ମୁଖ୍ୟ ବିଶିଷ୍ଟ ଲେଖକ ଓ ଗବେଷକ ଡକ୍ଟର ଦେବାଶିଷ ପାତ୍ର, ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ଭଗବାନ ଦାସ ଓ ବାଲେଶ୍ବର ପୌର ପରିଷଦର ପାରିଷଦ ଶ୍ରୀଯୁକ୍ତ ସତ୍ୟଶିବ ସୁନ୍ଦର ଦାସ, ସମ୍ମାନିତ ବକ୍ତା ଭାବରେ ବିଶିଷ୍ଟ ଲେଖକ ଓ ସାରସ୍ବତ ସଂଗଠକ ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ତଥା ଅଧ୍ୟାପକ ଡକ୍ଟର ପଙ୍କଜ ଜେନା ପ୍ରମୁଖ ଯୋଗ ଦେଇ ପୁସ୍ତକର ଉପାଦେୟତା ସଂପର୍କରେ ଆଲୋଚନା ଓ ବକ୍ତବ୍ୟ ପ୍ରଦାନ କରିଥିଲେ ।
ବିଶିଷ୍ଟ ଲେଖକ ଏବଂ ସ୍ତମ୍ଭକାର ଭାଷ୍କର ପରିଚ୍ଛାଙ୍କ କେତୋଟି ଉପାଦେୟ ପୁସ୍ତକକୁ ଏଠାରେ ଅତିଥିମାନଙ୍କ ଦ୍ବାରା ଅନାବରଣ କରାଯାଇଥିଲା । ଏହି ଅବସରରେ ସମାଜସେବୀ ସୁମନ୍ତ ଜେନା, ଲେଖକ ବିଜୟ ଦାସ ଅଧିକାରୀ, ନାଟ୍ୟକାର ପୀତାମ୍ବର ଦାସ, ଯୁବନେତା ଶୁଭମ୍ ସାଇ ମହାପାତ୍ର, ଯୁବ ଉଦ୍ୟୋଗୀ ଉତ୍ପଳ କୁମାର କର ଏବଂ ଶିଶୁ ନୃତ୍ୟାଙ୍ଗନା ଓ ସଂଗୀତଶିଳ୍ପୀ ଶୁଭ୍ରାଲିନ୍ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବା ସହିତ ‘ଘରେଘରେ ବହିଘର’ ‘ସାରାବର୍ଷ ବହିମଜଳା’ ଅଭିଯାନର ପୋଷ୍ଟରକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ‘ସମୟର ଚକ୍ର’ର ସଂପାଦକ ସର୍ବେଶ୍ବର ଜେନା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ‘ବହିଘର’ର ନିର୍ଦ୍ଦେଶିକା ମଞ୍ଜୁଲତା ବଳ । କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ବିଦ୍ୟାଧର ନାୟକ, ଦେବାଶିଷ ପଣ୍ଡା, ଦିଲ୍ଲୀପ ପଣ୍ଡା, ତରୁପ୍ରଭା ଦାସ, ଶୁଚିସ୍ମିତା କର, ରଶ୍ମିତା ପ୍ରମାଣିକ, ମାନସୀ ଜେନା, ସୁଧାଂଶୁ ମହାଳିକ୍ ଏବଂ ଅପର୍ଣ୍ଣା ଜେନା ।