ରୋଗୀର ମନ ଓ ଶରୀରର ଭାଷାକୁ ଠିକ୍ ଭାବେ ପଢ଼ିବା ହେଉଛି ଜଣେ ସଫଳ ଚିକିତ୍ସକର ଧର୍ମ, କହିଲେ ଅତିଥି
ଓଡିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ‘ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ’ (OBBA) ପକ୍ଷରୁ ପାଳନ କରାଯାଉଥିବା ଭାଷାପକ୍ଷର ଅଷ୍ଟମ ଦିବସରେ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ପୌରୋହିତ୍ୟରେ ‘ଓଡ଼ିଆ ଭାଷା ଓ ଜନସାଧାରଣ ମଧ୍ଯରେ ସେତୁ ସ୍ଵରୂପ ଜଟିଳ ଚିକିତ୍ସାଶାସ୍ତ୍ର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।
ବିଷୟବସ୍ତୁ ସଂପର୍କରେ ସୂଚନା ଦେବାକୁ ଯାଇ ଡାକ୍ତର ନନ୍ଦ କହିଲେ, ଜଟିଳ ଚିକିତ୍ସାଶାସ୍ତ୍ରର ସାର୍ଥକ ପ୍ରୟୋଗ ନିମନ୍ତେ ଚିକିତ୍ସକମାନଙ୍କର କଥିତ, ଲିଖିତ, ସାଙ୍କେତିକ ଓ ଉପଭାଷା ସଂପର୍କରେ ଜ୍ଞାନ ଥିବା ଆବଶ୍ୟକ। ରୋଗୀର ମନ ଓ ଶରୀରର ଭାଷାକୁ ଠିକ୍ ଭାବେ ପଢ଼ି ଜାଣିଲେ ଜଣେ ଚିକିତ୍ସକ ସଫଳ ଚିକିତ୍ସା କରିବାରେ ସମର୍ଥ ହୁଅନ୍ତି।
ଏଥିରେ ବରେଣ୍ୟ ଅତିଥି ଭାବେ ଯୋଗ ଦେଇ ଅବସରପ୍ରାପ୍ତ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ବିଶିଷ୍ଟ ଶଲ୍ୟ ଚିକିତ୍ସକ ଡାକ୍ତର ରଂଜନ ପାଢ଼ୀ କହିଲେ ଯେ ଆଈମା’ କାହାଣୀ, ଲୋକଗୀତ ଓ ଲୋକକଥା ଭଳି ଚିକିତ୍ସାଶାସ୍ତ୍ରକୁ ମଧ୍ଯ ସାଧାରଣ ଜନତାଙ୍କ ବୋଧଗମ୍ୟ ହେବା ଭଳି ଓଡ଼ିଆ ଭାଷାରେ ଲୋକସାହିତ୍ୟରେ ପରିଣତ କରାଯାଇପାରିଲେ ତାହାଦ୍ୱାରା ସାଧାରଣ ଜନସାଧାରଣ ଉପକୃତ ହୋଇପାରିବେ। ରୋଗୀଟିଏ ନିଜର ରୋଗ ସଂପର୍କରେ ସବିଶେଷ ତଥ୍ୟ ପାଇବା ପାଇଁ ହକ୍ଦାର୍। ରୋଗୀଟିଏ ପାଇଁ ଡାକ୍ତର ସମ୍ବେଦନଶୀଳ ହେବା ଜରୁରୀ ବୋଲି ସେ କହିଥିଲେ।
ଅନ୍ୟତମ ବରେଣ୍ୟ ଅତିଥି ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞା ଡାକ୍ତର ମୀରା ପତି କହିଲେ ଯେ ମଣିଷ ଜନ୍ମ ନେଲେ ଜୀବନରେ ରୋଗ ବ୍ୟାଧି ଲାଗି ରହିଥାଏ। ଆମେ ନାନାଦି କୁସଂସ୍କାରରୁ ନିଜକୁ ଦୂରେଇ ରଖି ନିଜ ସ୍ୱାସ୍ଥ୍ୟ ସଂପର୍କରେ ସଚେତନ ହେବା ବିଧେୟ। ନାରୀଜାତିର ସକଳ ସଫଳତା ସତ୍ତ୍ବେ ଏବେ ବି ଅନେକେ ଝିଅଟିଏ ହେଲେ ଖୁସି ହୋଇ ପାରୁନାହାନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ କଥା ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ।
ପ୍ରାରମ୍ଭରେ କବି ଦୀପକ ବୋଷ ପ୍ରାକ୍ ସୂଚନା ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ଅତିଥିମାନଙ୍କୁ ମଞ୍ଚ ଆବାହନ କରିଥିଲେ ଓ ଅନ୍ୟତମ ଯୁଗ୍ମ ସଂପାଦିକା ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅରୁଣା ରାୟ, ଶରତ କୁମାର ମହାପାତ୍ର, ନିରଂଜନ ରାଉତ, ପ୍ରଦୀପ କୁମାର ଚାଟ୍ଟାର୍ଜୀ, ସଂଜୟ କୁମାର ପଣ୍ଡା, ଡକ୍ଟର ସାରଙ୍ଗଧର ତ୍ରିପାଠୀ, କଲ୍ୟାଣୀ ନନ୍ଦ, ରାଜେନ୍ଦ୍ରନାଥ ରାଉତ, ଡକ୍ଟର କ୍ଷିତୀଶ୍ଵର ଦାଶ, ଅର୍ଚ୍ଚନା ନନ୍ଦୀ, କରୁଣାକର ସ, ଲମ୍ବୋଧର ନାୟକ, ଡକ୍ଟର ସମରବଲ୍ଲଭ ଭୋଇ, ପ୍ରଫୁଲ୍ଲ କୁମାର ଦାସ, ଲକ୍ଷ୍ମୀକାନ୍ତ ବେହେରା, କବିତା ଜେନା, ମମତା ମହାନ୍ତି, ଶାନ୍ତି ବିଶି, ସୁବ୍ରତା ମହାନ୍ତି, ସଂଜୟ କୁମାର ପଣ୍ଡା, ଅବନ୍ତୀ ପ୍ରଧାନ, ସୁଶ୍ରୀ ଶେଫାଳି, ନରେନ୍ଦ୍ରନାଥ ପାଣିଗ୍ରାହୀ, ବିଦ୍ୟାଧର ସାହୁ, ତୃପ୍ତିରାଣୀ ପାତ୍ର, ପୀତାମ୍ବର ଦାସ, ଦେବାଶିଷ ସିଂହ, ମଧୁସୂଦନ ମାଝୀ, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, କୃଷ୍ଣା ପ୍ରଧାନ, ବିପିନ କୁମାର ଦେ, ମନ୍ମଥ କୁମାର ସାହୁ, ଦୀପକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।