‘ଛାତ୍ରଛାତ୍ରୀମାନେ ରାଷ୍ଟ୍ରର ଆଲୋକବର୍ତ୍ତିକା’

ଜୟପାଟଣାରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): ଶିକ୍ଷା ହେଉଛି ସଫଳତାର ମୂଳଦୁଆ, ଯାହାକୁ ଆପଣାଇ ଛାତ୍ରଛାତ୍ରୀମାନେ ଆଗକୁ ବଢ଼ିବା ଉଚିତ। ଛାତ୍ରଛାତ୍ରୀମାନେ ଉଚ୍ଚ ଲକ୍ଷ୍ୟ ନିର୍ଦ୍ଧାରଣ କରି ନିଜ ସ୍ୱପ୍ନ ପୂରଣ କରିବା ସହ ସମାଜ ପାଇଁ ଅବଦାନ ଦେବା ଉଚିତ। କାରଣ ସେମାନେ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ଓ ଉନ୍ନତିର ଆଲୋକବର୍ତ୍ତିକା ବୋଲି ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୫ ଅବସରରେ ମତ ପ୍ରକାଶ ପାଇଛି। ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ପ୍ରଗତି ଶିକ୍ଷାନୁଷ୍ଠାନ, ଭବାନୀପାଟଣାର ମିଳିତ ଆନୁକୂଲ୍ୟରେ ଜୟପାଟଣା ବ୍ଲକ କନଫରେନ୍ସ ହଲ ଠାରେ “ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ-୨୦୨୫” ଅନୁଷ୍ଠିତ ହେଇଯାଇଛି। ଶିକ୍ଷାବିତ ସନ୍ତୋଷ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସାମ୍ବାଦିକ ଉମାଶଙ୍କର କର ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଜୟପାଟଣା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧର୍ମରାଜ ମାଝୀ ମୁଖ୍ଯବକ୍ତା,ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶୁଭଲକ୍ଷ୍ମୀ ନାୟକ, ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରେମ ନାରାୟଣ ପଣ୍ଡା, ଅବସରପ୍ରାପ୍ତ ଭାରତୀୟ ରାଜସ୍ବ ସେବା ଅଧିକାରୀ ଗଙ୍ଗାଧର ମାଝୀ, ପ୍ରଗତି ଶିକ୍ଷାନୁଷ୍ଠାନ ସଂପାଦକ ଇଂ ଅଜୟ କୁମାର ପଣ୍ଡା, ଜୟପାଟଣା ଷ୍ଟେଟ ବ୍ୟାଙ୍କ ମୁଖ୍ଯ ପରିଚାଳକ ପ୍ରଭାକର ଦାସ ଓ ସମାଜସେବୀ ଚିନ୍ମୟ ବେହେରା ମଞ୍ଚାସୀନ ଥିଲେ। ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ରଜତ ବଂଶଲ ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଏହି ଅବସରରେ ଜିଲ୍ଲାର ଏ୧ ଗ୍ରେଡ ପାଇଥିବା ୧୯ଜଣ ଛାତ୍ରଛାତ୍ରୀ ଓ ସମସ୍ତ ବ୍ଲକ ଟପ୍ପର ଛାତ୍ରଛାତ୍ରୀଙ୍କୁ ଟ୍ରଫି ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିମଧ୍ୟରେ ରାଜ୍ୟରେ ୩ୟ ସ୍ଥାନ ଅଧିକାର କରିଥିବା ତଥା ଜିଲ୍ଲା ଟପ୍ପର ହେଇଥିବା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ମୁଖିଗୁଡାର ଛାତ୍ରୀ ଶ୍ରେୟାଂଶୀ ସାହୁଙ୍କୁ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପଣ୍ଡା ସଂଯୋଜନା କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷକ ପ୍ରମୋଦ ଠାକୁର ପରିଚାଳନା କରିଥିଲେ। ସଦସ୍ଯ ଲଲିତ ବିଶି ଧନ୍ଯବାଦ ଅର୍ପଣ କରିଥିଲେ। ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ ଏ୧ ଗ୍ରେଡରେ ସର୍ବାଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଇଥିବାରୁ ଜୟପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରେମ ନାରାୟଣ ପଣ୍ଡା ଓ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ନବମ ଓ ଦଶମ ଶ୍ରେଣୀ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଥିଲା। ଏଥିରେ ଅବିଭାବକ, ଗଣମାଧ୍ୟମ ପ୍ରତିନିଧି, ସାମାଜିକ ସଂଗଠନ, ମୁଣ୍ଡ ଭେନ୍ଚର ପ୍ରା.ଲି. ଜୟପାଟଣା, ଭାରତୀୟ ଷ୍ଟେଟ ବ୍ୟାଙ୍କ ଜୟପାଟଣା, ପ୍ରାଥମିକ ଶିକ୍ଷକ ସଂଘ ଜୟପାଟଣା, ନେତାଜୀ ସେବା ସଂଗଠନ, ଦଣ୍ଡପାଟ ଯୁବ ସେବା ସଂଗଠନ, ଲାଇଫରେଚର, ପ୍ରମେୟ ଖବରକାଗଜ, ଶେଷଦେବ ବେହେରା, ପ୍ରାଣ ରଞ୍ଜନ ବେହେରା, ଅର୍ଜୁନ ପଟ୍ଟନାୟକ, ସଂଜୀବ ଠାକୁର, ବେଦ ପ୍ରକାଶ ପଣ୍ଡା ପ୍ରମୁଖ ଯୋଗଦାନ କରି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.