ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ମାଣ୍ଡେଲ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଅସୁରଗଡ ବେସ୍କା ପ୍ରଗଣାରେ ପ୍ରତିବର୍ଷ ମଇ ୨୦ ରେ ଆୟୋଜିତ ହୋଇଆସୁଛି ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ। ଏହି କ୍ରମରେ ମଙ୍ଗଳବାର ଶହ ଶହ ସଂଖ୍ୟାରେ କନ୍ଧ ସମାଜର ଲୋକେ ଅସୁରଗଡରେ ସମବେତ ହୋଇଥିଲେ। ପ୍ରଥମେ ନର୍ଲା ସ୍ଥିତ ବୁଢାରଜା ପୀଠ ଓ କଳାପାହାଡ଼ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି କନ୍ଧ ସମାଜର ସଦସ୍ୟ ମାନେ ନିଶାନ, ଢୋଲ ମାଦଲ ର ତାଳେ ତାଳେ ନର୍ଲାରୁ ଭବ୍ୟ ଶୋଭାଯାତ୍ରା କରି ଅସୁରଗଡ଼ ବୀର କମଲ ମୈଦାନ କୁ ଯାଇଥିଲେ। ଅସୁରଗଡ ପୀଠରେ ପୂଜା ନିତି ସମ୍ପନ୍ନ ହୋଇଥିଲା। ଏହାପରେ ବୀର କମଳ ମଇଦାନ ଅସୁରଗଡର ସୃତି ପୀଠରେ ପୂଜା କରାଯାଇଥିଲା। ଏହାପରେ ପାରମ୍ପାରିକ ପତାକା ଉତ୍ତୋଳନ କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀ ମାନେ ପାରଂପାରିକ ବାଦ୍ୟ ନୃତ୍ୟ ସହ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ କନ୍ଧ ସଂସ୍କୃତିର ବିଭିନ୍ନ ବିଭବ ପ୍ରଦର୍ଶିତ କରିଥିଲେ। ଆଦିବାସୀ କନ୍ଧଙ୍କ ବୀର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ । ବୀର କମଲ ମଇଦାନ ର ସଭାପତି ଅମର ସିଂ ମାଝୀ ଙ୍କ ଅଧ୍ୟକ୍ଷତାରେ ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ । ଏଥିରେ ମୁଖ୍ୟ ଅତିଥି ଭାବେ ଉତ୍କଳ କନ୍ଧ ସମାଜ କେନ୍ଦ୍ରୀୟ କମିଟି ସଭାପତି ଚିନ୍ତାମଣି ଭୋଇ ଯୋଗଦାନ କରି କନ୍ଧ ସମାଜର ସଙ୍ଗଠନ ସୁଦୃଢ଼ତା ବିଷୟରେ ବକ୍ତବ୍ୟ ରଖିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ନର୍ଲା ବ୍ଲକ କନ୍ଧ ସମାଜ ସଭାପତି ଝସକେତନ ମାଝୀ, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ତଥା ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରି ଶଙ୍କର ମାଝୀ, କେସିଙ୍ଗା ବ୍ଲକ ସଭାପତି ଶେଷଦେବ ମାଝୀ, ଆଇନଜୀବି ଭୀଷ୍ମଦେବ ଭୋଇ, ମ.ରାମପୁର କନ୍ଧ ସମାଜ ସଭାପତି ରାଜୁ ମାଝୀ, କର୍ଲାମୁଣ୍ଡା ବ୍ଲକ ସଭାପତି ଦୟା ମାଝୀ, ଯୁଧିଷ୍ଠିର ପାଟମାଝୀ, କନ୍ଧ ସମାଜ ର ପୁର୍ବତନ ସଭାପତି ତଥା ନର୍ଲା ସରପଞ୍ଚ ସଂଘ ସଭାପତି ଅନ୍ତରାମ ମାଝୀ, ସରିଆଁ ସମିତି ସଭ୍ୟ ଭାସ୍କର ଭୋଇ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ବକ୍ତା ଭାବରେ ବରଗଡ଼ ମହା ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ସୁରେଶ ମାଝୀ ଯୋଗଦାନ କରି କନ୍ଧ ସଂସ୍କୃତି ଉପରେ ମାର୍ଗଦର୍ଶନ ଦେଇଥିଲେ। ବୀର କାମଳ ମଇଦାନ ର ସମ୍ପାଦକ ଦେବରାଜ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷାବିତ କ୍ଷିତିଶ ଚନ୍ଦ୍ର ମାଝୀ ଓ ଲଳିତ ଭୋଇ ମଞ୍ଚ ପରିଚାଳନା କରିଥିଲେ। ବୀରକିଶୋର ମାଝୀ,ବିଦୁ ମାଝୀ, ସୁଦର୍ଶନ ଭୋଇ, ରାଜୁ ମାଝୀ, ଆନନ୍ଦ ମାଝୀ, ଟଙ୍କଧର ମାଝୀ, ଘନ ମାଝୀ, ନୌକା ମାଝୀ, ନର୍ଲା ଆଦିସ୍କନ୍ଧ ସମାଜ ସଭାପତି କିଶୋର ମାଝୀ, ବ୍ଲକ ସମ୍ପାଦକ ମାୟାଧର ମାଝୀ, ଛବି ମାଝୀ, ବିଦୁ ମାଝୀଙ୍କ ସମେତ ୨୬ ଗୋଟି ପଞ୍ଚାୟତର ସଭାପତି, କାର୍ଯ୍ୟକର୍ତ୍ତା ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ୧୮୮୨ ମସିହା ମଇ ୨୦ ଆଜିର ଦିନରେ ଇଂରେଜ ସରକାରଙ୍କ ଦ୍ବାରା ଫାସି ଦଣ୍ଡରେ ଦଣ୍ଡିତ ହୋଇଥିଲେ ଅସୁରଗଡ କନ୍ଧ ମେଳିର ନେତୃତ୍ବ ନେଇଥିବା ବୀର କମଳ ମାଝୀ ଓ ଏହା ସହ ୧୯ ଜଣ କନ୍ଧ ଓ ଜଣେ ଗଉଡ (ରେଖପୁର ଗୌନ୍ତିଆ ଜଗତ ଭୋଇ)ଙ୍କୁ କଳାପାଣି ଦଣ୍ଡାଦେଶ ଦେଇଥିଲେ ଇଂରେଜମାନେ। ଜାତି ସ୍ବାଭିମାନ ରକ୍ଷା କରିବାକୁ ପ୍ରାଣବଳୀ ଦେଇଥିଲେ ଏହି ବୀର ପୁରୁଷମାନେ। ଏମାନଙ୍କ ବଳିଦାନ ଦିବସକୁ ବିଗତ ୨୮ ବର୍ଷ ହେଲା ଏକତା ଦିବସ ରୂପେ ବୀର କମାଲ ମୈଦାନ କମିଟି ର ଆୟୋଜନ କ୍ରମେ ପାଳନ କରିଆସୁଛି ଜିଲ୍ଲା ଆଦିସ୍କନ୍ଧ ସମାଜ। କାର୍ଯ୍ୟକ୍ରମ ଶେଷରେ ମ. ରାମପୁର କନ୍ଧ ସମାଜ ସମ୍ପାଦକ ବିପ୍ର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।