ଦୁଇ ଦିନ ଧରି ରାୟଗଡ ଜିଲ୍ଳାରେ ଲଗାଣ ବର୍ଷା : ଦଇଖାଲ – ଅମ୍ବାଦଳା ସେକ୍ସନରେ ଧୋଇ ହୋଇଗଲା ରେଳ ଧାରଣା

ରାୟଗଡ-ଟିଟିଲାଗଡ ମଧ୍ୟରେ ଟ୍ରେନ ଚଳାଚଳ ବନ୍ଦ,
୪ଟି ପାସେଂଜର ବାତିଲ ଓ ୩ଟି ଟ୍ରେନର ରୁଟ୍ ପରିବର୍ତନ

ରାୟଗଡ,୭/୮ : ରାୟଗଡ ଜିଲ୍ଳାରେ ଗତ ସୋମବାର ସଂଧ୍ୟାରୁ ଆଜି ପର୍ଯ୍ୟନ୍ତ ଲାଗି ରହିଛି ଲଗାଣ ବର୍ଷା । ଫଳରେ ଜିଲ୍ଳାରେ ବର୍ଷା ଯୋଗୁଁ ପରିସ୍ଥିତି ବେହାଲ୍ ହୋଇଯାଇଛି । ବାଧାପ୍ରାପ୍ତ ହୋଇଛି ରାୟଗଡ-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ । ଦଇଖାଲ -ଆମ୍ବଦଲା ସେକ୍ସନ ମଧ୍ୟରେ ଥିବା ରେଳ ଧାରଣାରେ ପଡିଥିବା ମେଟାଲ ସମେତ ମାଟି ପ୍ରବଳ ବର୍ଷା ଯୋଗୁଁ ପାଖାପାଖି ୨୫ମିଟର ଧୋଇ ହୋଇଯାଇ ତଳେ ଏକ ବଡ ନାଳ ସୃଷ୍ଟି ହେବା ଫଳରେ ଟ୍ରାକ ଉପରେ ଥିବା ଏକ ମାଲ ବୋଝେଇ ୱାଗନ ତଳକୁ ଓଲଟି ପଡିଛି ।

ଯାହାଫଳରେ ଏହି ରୁଟରେ ସମସ୍ତ ରେଳ ଚଳାଚଳକୁ ବନ୍ଦ କରିଦିଆଯିବା ସହ ସମ୍ବଲପୁର-କୋରାପୁଟ-ସମ୍ବଲପୁର ପାସେଂଜର, ସମ୍ବଲପୁର-ଜୁନାଗଡ ରୋଡ ପାସେଂଜର, ରାୟଗଡ-ବିଶାଖାପାଟଣା-ରାୟପୁର ପାସେଂଜର ଓ ରାୟଗଡ-ସମ୍ବଲପୁର-ରାୟଗଡ ପାସେଂଜର ୪ଟି ପାସେଂଜର ଟ୍ରେନକୁ ଆଜି ପାଇଁ ବାତିଲ କରାଯାଇଛି ଏବଂ ଅହମ୍ମଦାବାଦ -ପୁରୀ ଟ୍ରେନକୁ ଭାୟା ଟିଟିଲାଗଡ-ସମ୍ବଲପୁର-ଖୋର୍ଦ୍ଧା , ନିଜାମୁଦ୍ଦିନ – ବିଶାଖାପଟଣା ସମତା ଏକ୍ସପ୍ରେସକୁ ଭାୟା ଟିଟିଲାଗଡ-ସମ୍ବଲପରୁ-ଖୋର୍ଦ୍ଧା- ବିଜୟନଗରମ୍, ନାନ୍ଦେଡ-ସମ୍ବଲପରୁ ଟ୍ରେନକୁ ବିଜୟନଗରମ-ଖୋର୍ଦ୍ଧା-ସମ୍ବଲପୁର ଦେଇ ଯିବା ପାଇଁ ୩ଟି ଟ୍ରେନର ଗତିପଥ ପରିବର୍ତନ କରାଯାଇଛି ।

ସେହିପରି ଟିକିରି ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣା ଉପରେ ପାଣି ପ୍ରବାହିତ ହେଉଥିବାରୁ ଆଜି ସକାଳେ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ ଶିକରପାଇ ଷ୍ଟେସନରେ ଏବଂ ରାଉରକେଲା-କୋରାପୁଟ ଟ୍ରେନ ଭାଲୁମାସ୍କା ଠାରେ ଦୀର୍ଘ ଘଂଟା ଧରି ଅଟକି ରହିଥିଲା । ଭୁବନେଶ୍ୱର- ଜୁନାଗଡ ରୋଡ୍- ଭବାନୀପାଟଣା ଲିଙ୍କ ଏକ୍ସପ୍ରେସ ମଧ୍ୟ ଦଇଖାଲ- ଅମ୍ବାଦଳା ସେକ୍ସନ ମଧ୍ୟରେ ରେଳ ଧାରଣା ଧୋଇ ଯାଇଥିବା ଫଳରେ ରାୟଗଡ ଠାରେ ହିଁ ଅଟକି ରହିଥିବା ଜଣାପଡିଛି । ଘଟଣାସ୍ଥଳକୁ ଏକ୍ସିଡେଂଟ ରିଲିଫ ଟ୍ରେନ ସହ ମରାମତି କର୍ମଚାରୀ ପଂହଚିଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
Click here to get daily News  & Views update 👇
https://bit.ly/OBgroup3

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.