ସୁବର୍ଣ୍ଣରେଖାର ଦୁର୍ବଳ ନଦୀ ବନ୍ଧର ପଥର ପ୍ୟାଚିଂ ଏବଂ ସୁଦୃଢ଼ୀକରଣ ପାଇଁ ବିଧାନ ସଭାରେ ଦାବୀ କଲେ ବସ୍ତା ବିଧାୟିକା ସୁବାସିନୀ ଜେନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବିଧାନସଭାର ଶୀତକାଳୀନ ଅଧିବେଶନର ଗୁରୁବାର ଦିନ ପ୍ରଶ୍ନକାଳରେ ଜଳସମ୍ପଦ ବିଭାଗର ଆଲୋଚନାରେ ଭାଗ ନେଇ
ଏକ ସପ୍ଲିମେଣ୍ଟାରୀ ପ୍ରଶ୍ନରେ, ବସ୍ତା ନିର୍ବାଚନ ମଣ୍ଡଳୀରେ ବନ୍ୟା ଚିର ସହଚର ପାଲଟିଥିବା ବେଳେ ସୁବର୍ଣ୍ଣରେଖା ନଦୀ କୂଳରେ ଗ୍ରାମ ଗୁଡ଼ିକରେ ଥିବା ଦୁର୍ବଳ ନଦୀ ବନ୍ଧର ପଥର ପ୍ୟାଚିଂ ଏବଂ ସୁଦୃଢ଼ୀକରଣ ପାଇଁ ଦାବୀ ଉପସ୍ଥାପନା କରିଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା। ସୁବର୍ଣ୍ଣରେଖା ନଦୀ କୂଳବର୍ତ୍ତୀ ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତର ବଢ଼ାପାଳ ଦତ୍ତସାହି, ବଡ଼ଖାନପୁର, ବିଷ୍ଣୁପୁର ପଞ୍ଚାୟତର ଇକଡ଼ପାଳ, ରସଲପୁର, ବିଷ୍ଣୁପୁର, ଚଉମୁଖ ପଞ୍ଚାୟତର କଙ୍କଡ଼ାପାଳ, ନିଖିରା ପଞ୍ଚାୟତର ପାଳବେଗୁନିଆ, ଚଡ଼ପାଳପଡ଼ା ଓ କୁମ୍ଭାରି ପଞ୍ଚାୟତର ନୂଆସାହି, ଝଲଝଲିଆ ପ୍ରଭୃତି ଗ୍ରାମ ଗୁଡ଼ିକରେ ଥିବା ଦୁର୍ବଳ ନଦୀ ବନ୍ଧର ପଥର ପ୍ୟାଚିଂ ଏବଂ ସୁଦୃଢ଼ୀକରଣ ପାଇଁ ସରକାରଙ୍କ ପକ୍ଷରୁ କଣ ସବୁ ପଦକ୍ଷେପ ନିଆଯାଉଛି ଏବଂ ଏଥିପାଇଁ କେତେ ଅର୍ଥ ବ୍ୟୟ ବରାଦ କରାଯାଇଛି ତାହା ଜଣାଇବା ପାଇଁ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଜଳସମ୍ପଦ ବିଭାଗ ପକ୍ଷରୁ ଉତ୍ତର ରଖୁଥିବା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ତାହାର ଉତ୍ତରରେ କହିଥିଲେ ଓଡ଼ିଶା ସରକାରଙ୍କ ତରଫରୁ ନଦୀବନ୍ଧ ସୁଦୃଢ଼ୀକରଣ କରିବା ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଚାରି ପ୍ରକାର କାର୍ଯ୍ୟକ୍ରମ କରାଯାଇଥାଏ। ଗୋଟିଏ ହେଲା କ୍ୟାପିଟାଲ ବନ୍ଧ ବା ନଦୀର ପାଣିକୁ ଅଟକାଇବା ପାଇଁ ନଦୀବନ୍ଧ, ଦ୍ୱିତୀୟଟି ହେଲା ଅନ୍ୟ ଚାଷ ଉପଯୋଗୀ ବନ୍ଧ, ବାଲି ଚରରୁ ଅଟକାଇବା ପାଇଁ ହେଉଥିବା ଅସ୍ଥାୟୀ ବନ୍ଧ ଏବଂ ଲୁଣା ବନ୍ଧ। ବାଲେଶ୍ବର ଜିଲ୍ଲାରେ ବନ୍ୟା ପରିଚାଳନା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ପାଖାପାଖି ୨୦ ଟି ପ୍ରୋଜେକ୍ଟର କାମ ଚାଲୁଅଛି। ଏଥି ସହିତ ବିଧାୟିକାଙ୍କ ଦାବି ଏବଂ ପ୍ରସ୍ତାବ ବାବଦରେ ଜଳସମ୍ପଦ ବିଭାଗ ସହିତ କଥା ହୋଇ ନିଶ୍ଚିତ ପଦକ୍ଷେପ ନିଆଯିବ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.