ଗୁଣୁପୁର ଲକ୍ଷ୍ମୀ ପୂଜା ମଞ୍ଚରେ ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଗାଡେବନ୍ଧ ଗ୍ରାମ ପଞ୍ଚାୟତର ଗୁଣୁପୁର ମହାଲକ୍ଷ୍ମୀ ପୂଜାର ସମ୍ୱର୍ଦ୍ଧନା ସଭାରେ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ଲାର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରଯାଇଛି। ଗୁଣୁପୁର ଗ୍ରାମରେ ଗତ ଗୁରୁବାର ସକାଳୁ ଆରମ୍ଭ ହୋଇଥିଲା ୪୬ତମ ମହାଲକ୍ଷ୍ମୀ ପୂଜା। ୫ ଦିନ ଧରି ମାଁ ମହାଲକ୍ଷ୍ମୀ ପୂଜା କମିଟି ନେତୃତ୍ୱରେ ମହା ଆଡ଼ମ୍ବରରେ ଚାଲିଥିଲା ପୂଜା। ସକାଳୁ ପୁରାଣ ପାଠ, ସଂଧ୍ୟାରେ ସାନ୍ଧ୍ୟ ଆଳତିରେ ପ୍ରବଳ ଭକ୍ତ ସମାଗମ ହେଉଥିଲା। ୫୦ ରୁ ଉର୍ଦ୍ଧ୍ବ ବ୍ରତୀ ଏକ ଓଳି ହବିଶ୍ୟ କରି ପୁରାଣ ଶୁଣିଥିଲେ। ପ୍ରତ୍ୟହ ରାତିରେ ନାଟକ, ଟୁକେଲ ଦଣ୍ଡ ଭଳି ମନୋରଂଜନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହେଉଥିଲା। ଗତ ଗୁରୁବାର ଶେଷ ରଜନୀରେ ଡ୍ୟାନ୍ସ ଡ୍ୟାନ୍ସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ୧୭ ଗୋଟି ଟ୍ରୁପ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ମା ମହାଲକ୍ଷ୍ମୀ ପୂଜା କମିଟିର ମୁଖ୍ୟ ଉପଦେଷ୍ଟା ସମିତି ସଭ୍ୟ ପ୍ରତିନିଧିଙ୍କ ନେତୃତ୍ବରେ ଏକ ସମ୍ୱର୍ଦ୍ଧନା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଞ୍ଚ ଅଧିବେସନରେ ମୁଖ୍ୟ ଅତିଥି ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ସମ୍ମାନୀତ ଅତିଥି ଭାବରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର,ଘଣ୍ଟମାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଲଳିତ ସାହୁ ସମିତି ସଦସ୍ୟ ପ୍ରତିନିଧି ନିର୍ମଳ ଦଳେଇ, ଯୁବ ଉଦ୍ୟୋକ୍ତା ରୋମାଞ୍ଚଳ ସାହୁ, ଗୁଣୁପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଳରାମ ମାଝୀ, ଭବାନୀପାଟଣା ଜିଏନଏମ ଗିରିସୂତା ମାଝୀ, ଲାଞ୍ଜିଗଡ ବନ୍ଧପାରିର ସ୍ୱାସ୍ଥ୍ୟକର୍ମୀ ବାସନ୍ତୀ ମାଝୀ, ଯୁବ ସମାଜସେବୀ କେତନ ମାଝୀ, ଉଦୟନାଥ ସାହୁ ପ୍ରମୁଖ ମଞ୍ଚାସୀନ ରହି ମାର୍ଗଦର୍ଶନ ଦେଇଥିଲେ। ଶିକ୍ଷାବିତ୍ କ୍ଷୀତିଶ ଚନ୍ଦ୍ର ମାଝୀ ମଞ୍ଚ ପରିଚାଳନା କରିଥିଲେ। ଲକ୍ଷ୍ମୀ ପୂଜା ମଣ୍ଡପ ପାଇଁ ଭୂମିଦାତା, ଗ୍ରାମର ଗୌନ୍ତିଆ ଏଵଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଏଥିରେ ସମ୍ବର୍ଦ୍ଧିତ କରଯାଇଥିଲା। ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନର୍ଲାର ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମିଶ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସ୍ଵତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରିଥିଲେ ଅତିଥି ବୃନ୍ଦ ଓ ପୂଜା କମିଟିର କର୍ମକର୍ତ୍ତା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.