ଓଡିଆ ବାର୍ତ୍ତା/ ରାୟଗଡା (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏକ ବ୍ୟାଗ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଓ ଉତ୍କଣ୍ଠା ଦେଖାଦେଇଥିବା ବେଳେ ପୋଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ରାୟଗଡା ସଦର ଅଞ୍ଚଳର ଖଲିଗୁଡା ନିକଟସ୍ଥ ଏକ ହ୍ୟୁଣ୍ଡାଇ ଶୋରୁମ୍ ପଛପଟେ ଥିବା ପଡ଼ିଆରୁ ଏକ ବ୍ୟାଗ ଭିତରେ ମହିଳାଙ୍କ ମୃତଦେହ ଠାବ ହୋଇଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ ବ୍ୟାଗରୁ ଦୁର୍ଗନ୍ଧ ବାହାରୁଥିବାରୁ ସନ୍ଦେହ ସୃଷ୍ଟି ହୋଇଥିଲା। ହ୍ୟୁଣ୍ଡାଇ ଶୋରୁମ୍ର ମ୍ୟାନେଜର ଘଟଣା ଦେଖି ତୁରନ୍ତ ଚାନ୍ଦିଲି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଗକୁ ଖୋଲି ଦେଖିବା ପରେ ଭିତରୁ ଜଣେ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଘଟଣାର ଗୁରୁତ୍ୱକୁ ଦେଖି ରାୟଗଡାର ସହକାରୀ ଜିଲ୍ଲାପାଳ ଶୁଭେନ୍ଦୁ ସାହୁ ଓ ଏସଡିପିଓ ଗୌରହରି ସାହୁ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ପ୍ରମାଣ ସଂଗ୍ରହ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ଜଣାପଡ଼ିନଥିବା ବେଳେ ମୃତ୍ୟୁର କାରଣ ମଧ୍ୟ ଅସ୍ପଷ୍ଟ ରହିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସୂଚନା ମିଳିଛି। ପୋଲିସ କହିଛି, ତଦନ୍ତ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିବ। ଅଜଣା ମହିଳାଙ୍କ ମୃତଦେହ ବ୍ୟାଗ ଭିତରୁ ମିଳିବା ଘଟଣା ସମଗ୍ର ରାୟଗଡା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୋଲିସ ଏହାକୁ ଗୁରୁତ୍ୱର ସହ ନେଇ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।





