ବିଶିଷ୍ଟ ନାରୀନେତ୍ରୀ ଶ୍ରୀମତୀ ମାଝୀଙ୍କ ପରଲୋକ: କଳାହାଣ୍ଡି ଜିଲ୍ଲାସାରା ଶୋକର ଛାୟା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ପରିଷଦର ଅଧ୍ୟକ୍ଷା ତଥା ସାଲିସବିହିନ ନାରୀନେତ୍ରୀ ଶ୍ରୀମତୀ ମାଝୀଙ୍କ ଅକାଳ ବିୟୋଗ ହୋଇଯାଇଛି। ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହେଉଥିଲା। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତି ୧.୨୦ ସମୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ପୂର୍ବତନ ମନ୍ତ୍ରୀ ଡ଼. ବଳଭଦ୍ର ମାଝୀଙ୍କ ଧର୍ମପତ୍ନୀ ଶ୍ରୀମତୀ ମାଝୀ ଜଣେ ସଫଳ ରାଜନୀତିଜ୍ଞ ତଥା କଳାହାଣ୍ଡି ନାରୀ ଜାଗରଣର ଅନ୍ତସ୍ବର ଥିଲେ। ତାଙ୍କ ବିୟୋଗରେ ଲାଞ୍ଜିଗଡ଼ ସମେତ କଳାହାଣ୍ଡି ଜିଲ୍ଲା ସାରା ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତା ମାଝୀଙ୍କ ରାଜନୈତିକ ଜୀବନ ଥିଲା ସଂଗ୍ରାମ ଓ ସେବାର ପ୍ରତୀକ। ୧୯୯୨, ୨୦୦୨, ୨୦୦୭ ଏବଂ ୨୦୧୨ ଚାରି ଚାରି ଥର ସେ ସମିତି ସଦସ୍ୟା ଭାବେ ନର୍ବାଚିତ ହୋଇ ଲୋକଙ୍କ ବିଶ୍ୱାସ ଜିତିଥିଲେ। ୨୦୦୨ରୁ ୧୦୧୨ ପର୍ଯ୍ୟନ୍ତ ଲଗାତାର ଦୁଇଥର ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା ଭାବେ ନିଷ୍ଠାପର ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହାପରେ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାବେ ସମଗ୍ର ଜିଲ୍ଲାର ବିକାଶ ପାଇଁ କାର୍ଯ୍ୟ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ସେ ଲାଞ୍ଜିଗଡ଼ ବ୍ଲକ କୁମଖାଲର ସମିତି ସଦସ୍ୟା ଭାବେ ଲୋକଙ୍କ ସେବାରେ ନିୟୋଜିତ ଥିଲେ। ତେବେ ଜଣେ ନିର୍ଭୀକ ମହିଳା ଜନପ୍ରତିନିଧି ତଥା ଲୋକଙ୍କ ସୁଖଦୁଃଖର ସାଥୀଙ୍କୁ ହରାଇ ଅଞ୍ଚଳବାସୀ ମର୍ମାହତ ହୋଇ ପଡିଛନ୍ତି। ତାଙ୍କ ବିୟୋଗ କଳାହାଣ୍ଡି ଜିଲ୍ଲାର ରାଜନୀତି ଓ ସମାଜସେବା କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। କଳାହାଣ୍ଡି ସମେତ ରାଜ୍ୟର ବହୁ ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଶ୍ରୀମତୀ ମାଝୀଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି। ପୁରୀ ସ୍ଵର୍ଗ ଦ୍ୱାରରେ ତାଙ୍କର ଶେଷକୃତ୍ୟ  କରାଯିବ ବୋଲି ସୂଚନା ମିଳିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.