ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷା ତଥା ପୂର୍ବତନ ନର୍ଲା ବିଧାୟକ ବଳଭଦ୍ର ମାଝୀଙ୍କ ଧର୍ମପତ୍ନୀ ଶ୍ରୀମତୀ ମାଝୀଙ୍କ ବିୟୋଗରେ ନର୍ଲା ଡିଗ୍ରୀ କଲେଜରେ ଏକ ଶ୍ରଦ୍ଧାଞ୍ଜଳି ଅନୁଷ୍ଠିତ ହୋଇଯାଇଛି। କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ଚାନ୍ଦଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟାପକ ରମେଶ ଚନ୍ଦ୍ର ଘଡେଇ, ଅଧ୍ୟାପିକା ସଂଘମିତ୍ରା ପଣ୍ଡା, କୌଶଲ୍ୟା ଗଡବା, ପିଇଟି କ୍ଷୀତିଶ ଚନ୍ଦ୍ର ବଗର୍ତ୍ତି, କର୍ମଚାରୀ ଗରୁଡ ଭୋଇ ପ୍ରମୁଖ ମଞ୍ଚାସୀନ ରହି ସ୍ୱର୍ଗତ ମାଝୀଙ୍କ ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ମାଝୀଙ୍କ ଫଟୋ ଚିତ୍ରରେ ଧୂପ, ଦୀପ ଦେଇ ପୁଷ୍ପାଞ୍ଜଳି ଅର୍ପଣ ପରେ ତାଙ୍କ ଅମର ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ, ଶ୍ରୀମତୀ ମାଝୀ ୨୦୦୬ ରୁ ୨୦୦୮ ପର୍ଯ୍ୟନ୍ତ ନର୍ଲା ଡିଗ୍ରୀ କଲେଜ ପରିଚାଳନା କମିଟିର ସଦସ୍ୟା ରହି କଲେଜ ପାଇଁ ଅନେକ ବିକାଶ ମୂଳକ କାର୍ଯ୍ୟ କରିଥିଲେ। ସେ ଜଣେ ଭଦ୍ର, ନମ୍ର ଓ ଧର୍ମ ପରାୟଣା ମହିଳା ଥିଲେ। ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ରାତି ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ନିଧନ କଳାହାଣ୍ଡି ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି ବୋଲି ଅତିଥି ବୃନ୍ଦ ତାଙ୍କ ସ୍ମୃତି ଚାରଣ ବକ୍ତବ୍ୟରେ କହିଥିଲେ। ଶେଷରେ ଅଧ୍ୟକ୍ଷ ଶ୍ରୀ ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ।





