ଉତ୍କଳ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ବିଶ୍ୱ ଆତ୍ମହତ୍ୟା ନିରାକରଣ ଦିବସ

ଆତ୍ମହତ୍ୟା ନୁହେଁ, ଜୀବନ ହେଉଛି ଆଗକୁ ବଢ଼ିବାର ଅନ୍ୟ ନାମ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଉତ୍କଳ ବିଶ୍ୱବିଦ୍ୟାଳୟରେ ସମ୍ପ୍ରତି ବିଶ୍ୱ ଆତ୍ମହତ୍ୟା ନିରାକରଣ ଦିବସ ପାଳିତ ହୋଇଯାଇଛି। ଚଳିତ ବର୍ଷର ବିଷୟବସ୍ତୁ ‘ଚେଞ୍ଜିଂ ଦି ନାରେଟିଭ୍ ଅନ୍ ସୁଇସାଇଡ୍’କୁ ଆଧାର କରି ବିଶ୍ୱବିଦ୍ୟାଳୟର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରେକ୍ଷାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଭୁବନେଶ୍ୱର-କଟକ ପୁଲିସ କମିଶନର ଡ. ସୁରେଶ ଦେବଦତ୍ତ ସିଂହ ମୁଖ୍ୟ ଅତିଥି ଏବଂ ସିଆଇଡି କ୍ରାଇମବ୍ରାଞ୍ଚର ଅତିରିକ୍ତ ଏସ୍‌ପି ଅଞ୍ଜନା ଟୁଡୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ଓ ଆତ୍ମହତ୍ୟା ନିରାକରଣର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ମାନସିକ ଅବସାଦର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ, ଖୋଲା ମନରେ ଆଲୋଚନା ଏବଂ ସଙ୍କଟ ସମୟରେ ଉପଯୁକ୍ତ ସହାୟତା ଯୋଗାଇ ଦିଆଗଲେ ଅନେକ ଅମୂଲ୍ୟ ଜୀବନକୁ ରକ୍ଷା କରାଯାଇପାରିବ ବୋଲି ସେମାନେ କହିଥିଲେ।

କାର୍ଯ୍ୟକ୍ରମରେ ସଭାପତିତ୍ୱ କରି କୁଳପତି ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦ ମାନସିକ ଶାନ୍ତି ଓ ଆତ୍ମବଳ ବୃଦ୍ଧି ପାଇଁ ଗଳ୍ପ, ପ୍ରେରଣାଦାୟୀ ଲେଖା ଓ ସକାରାତ୍ମକ ସାହିତ୍ୟ ପଢ଼ିବା ଉପରେ ଗୁରୁତ୍ୱ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ମନୋବଳ ବଢ଼ାଇ ସେ କହିଥିଲେ, “ଜୀବନ ହାରିବା ନୁହେଁ, ଆଗକୁ ବଢ଼ିବାର ନାମ।” ପ୍ରତିକୂଳ ପରିସ୍ଥିତିକୁ ଧୈର୍ଯ୍ୟ ଓ ସାହସର ସହ ସାମ୍ନା କରି ଜୀବନରେ ଆଗକୁ ବଢ଼ିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ଅବସରରେ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ପ୍ରଫେସର ଜଗ୍ନେଶ୍ୱର ଦଣ୍ଡପାଟ ଏବଂ ରେଜିଷ୍ଟ୍ରାର ଡ. ସ୍ୱାତୀ ମିଶ୍ର ଉପସ୍ଥିତ ଥିଲେ। ମନସ୍ତତ୍ତ୍ୱ ବିଭାଗର ମୁଖ୍ୟ ଡ. ଭାସ୍ୱତୀ ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଡ. ମୌସୁମୀ ସେଠୀ, ଡ. ଲୁସି ସୋନାଲି ହେମ୍ବ୍ରମ ଏବଂ ଡ. ସୁନନ୍ଦା ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.