ସାଇ ମଣିକାଂଟା ମେଡିକଲ ଷ୍ଟୋରରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ଚଢାଉ

୩ ପ୍ରକାର କଫ ସିରପ୍ ସହ ୨ପ୍ରକାର ଆଂଟିବାଇଓଟିକ୍ ମେଡିସିନ ଜବତ କରି ପଠାଗଲା ଲ୍ୟାବ୍

ରାୟଗଡ,୨୧/୧ : ମଦ, ଗଂଜେଇ, ବ୍ରାଉନସୁଗାର ଭଳି ଦାମିକିଆ ନିଶାଦ୍ରବ୍ୟ ହାତ ପାଆନ୍ତାରେ ନ ପାଇ ପାରିଲେ ନିଶାଗ୍ରସ୍ତ ହେଉଥିବା ଯୁବପୀଢିମାନେ ଏବେ ବହୁତ ସହଜ ଉପାୟ ତଥା କମ ଦରରେ ମେଡିକଲ ଷ୍ଟୋରଗୁଡିକରେ ମିଳୁଥିବା ବିଭିନ୍ନ ପ୍ରକାର କଫ ସିରଫକୁ ନିଶା ସେବନ ପାଇଁ ବ୍ୟବହାର କରୁଛନ୍ତି । ଏପରି ନିଶା କାରାବାରକୁ ରାୟଗଡ ସହରରେ ରୋକିବା ପାଇଁ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଂଟ୍ରୋଲ, ଅବକାରୀ ଓ ପୋଲିସ ବିଭାଗ ପକ୍ଷରୁ ସହରରେ
ଥିବା ବିଭିନ୍ନ ମେଡିକଲରେ ମିଳିତ ଚଢାଉ କରାଯିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି ।

ଏହି କ୍ରମରେ ପ୍ରଥମ ପର୍ଯ୍ୟାୟରେ ମଙ୍ଗଳବାର ଦିନ ଶ୍ରୀ ଜଗନ୍ନାଥ ମନ୍ଦିର ନିକଟସ୍ଥ ମୁଖ୍ୟ ରାସ୍ତାରେ ଥିବା ଶ୍ରୀ ସାଇ ମଣିକାଂଟା ମେଡିକଲ ଷ୍ଟୋରରେ ଡ୍ରଗ୍ସ ଇନ୍ସପେକ୍ଟର ରଶ୍ମିରଂଜନ ନାୟକଙ୍କ ନେତୃତ୍ୱରେ ଅବକାରୀ ଓ ପୋଲିସ ବିଭାଗ ମିଳିତରେ ଚଢାଉ କରାଯାଇଥିଲା । ମେଡିକଲ ଷ୍ଟୋର ମାଲିକ ଏମ.ଗଙ୍ଗାରାଜୁଙ୍କ ଉପସ୍ଥିତିରେ ଷ୍ଟୋର ପରିସରରୁ ଏଭିଓ-କଫ-ଏଲଏସ ସିରଫ ୪ଟି ବୋଟଲ ଓ ଏମ୍ବୋବ୍ଳଇଭ-ପ୍ଳସ ଆଂଟିବାଇଓଟିକ୍ ମେଡିସିନ ଏବଂ ଏହି ଔଷଧଗୁଡିକର ବିଲଗୁଡିକୁ ଜବତ କରାଯାଇଥିବା ବେଳେ ଗଚ୍ଛିତ ଔଷଧଗୁଡିକର ସମସ୍ତ ବିଲପତ୍ର ଯାଂଚ କରାଯାଇଛି ଓ ଜବତ କରାଯାଇଥିବା ମେଡିସିନଗୁଡିକର ମାନ ନିର୍ଦ୍ଧାରଣ କରାଯିବା ପାଇଁ ପରୀକ୍ଷାଗାରକୁ ପଠାଯାଇଛି ।

ସେହିପରି ପରୀକ୍ଷାଗାରରୁ ମିଳିବା ରିପୋର୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସହରରେ ଥିବା ବିଭିନ୍ନ ମେଡିକଲ ଷ୍ଟୋରଗୁଡିକର ଲାଇସେନ୍ସ, ନିୟମାନୁସାରେ ରେକଡ ପତ୍ର ପରିଚାଳନା, ମହଜୁଦ ଥିବା ଆଲକହଲ ଯୁକ୍ତ ମେଡିସିନ
ଗୁଡିକକୁ ନିୟମକାନୁନ ପ୍ରକାରେ ପ୍ରଦାନ କରାଯାଉଛି କି ନାହିଁ ବୋଲି ଯାଂଚ କରିବା ପାଇଁ ଜିଲ୍ଳାପାଳଙ୍କ ନିର୍ଦ୍ଦେଶ କ୍ରମେ ଚଢାଉ କରାଯାଇଛି ବୋଲି ଡ୍ରଗ୍ସ ଇନ୍ସପେକ୍ଟର ଶ୍ରୀ ନାୟକ ସୂଚନା ଦେଇଛନ୍ତି । ଏହି ଚଢାଉ ବେଳେ ଅବକାରୀ ବିଭାଗ
ଏସ.ଆଇ.ଏସ.ଏନ.ରଥ, ଏ.ଏସ.ଆଇ.କେ.ଟି .ପଟ୍ଟନାୟକ ଓ ଅନ୍ୟ ଷ୍ଟାଫମାନେ ଉପସ୍ଥିତ ରହିଥିଲେ ।

ଦୀର୍ଘ ଦିନ ପରେ ଡ୍ରଗ୍ସ ଇନ୍ସପେକ୍ଟରଙ୍କ ସହ ଅବକାରୀ ଓ ପୋଲିସ ବିଭାଗର ମିଳିତ ଚଢାଉକୁ ନେଇ ସହରରେ ଥିବା ମେଡିକଲ ଷ୍ଟୋରଗୁଡିକରେ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି ହୋଇଛି । ପ୍ରକାଶ ଥାଉ କି, କୋରେକ୍ସ, ଫେନସିଡେଲ ଆଦି କଫ ସିରଫ ବହୁ ମାତ୍ରାରେ ନିଶାଦ୍ରବ୍ୟ ଭଳି ବିକ୍ରି ହେଉଥିବାରୁ ଏହାକୁ ସ୍ୱାସ୍ଥ୍ୟ ବିଭାଗ ବନ୍ଦ କରିଦେଇଥିବା ବେଳେ ରାୟଗଡ ଜିଲ୍ଳାରେ ଏହି କଫ ସିରଫଗୁଡିକର କେତେ ପରିମାଣରେ
ମହଜୁଦ ଅଛି ଓ ଏହାକୁ କେଉଁ ଡିଷ୍ଟ୍ରିବ୍ୟୁଟରମାନେ ରାୟଗଡ ବଜାରରେ ଛାଡୁଛନ୍ତି ତାହାର ଖୋଳତାଡ କରିବା ପାଇଁ ଦୀର୍ଘ ଦିନ ହେଲା ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀଙ୍କ ତରଫରୁ କୈାଣସି ଯାଂଚ କିମ୍ବା ତଦନ୍ତ କରାଯାଇ ନ ଥିଲା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ odiabarta.in

__________________________________________

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.