ଚାନ୍ଦିପୁର ବେଳାଭୂମିରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ହେଲା ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କାବ୍ୟ ଚର୍ଚ୍ଚା

● ଅତିଥି କହିଲେ, ଗାନ୍ଧୀଙ୍କୁ ନେଇ ସ୍ଵତନ୍ତ୍ର କବିତା ପାଠୋତ୍ସୋବ ଆୟୋଜନରେ ଓଡ଼ିଶାରେ ପ୍ରଥମ

ଚାନ୍ଦିପୁର,୨୫/୧: ( କୃଷ୍ଣ କୁମାର ମହାନ୍ତିଙ୍କ ଠାରୁ) ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ଚାନ୍ଦିପୁର ବେଳାଭୂମି ସ୍ଥିତ ‘ପାନ୍ଥନିବାସ’ ସମ୍ମିଳନୀ କକ୍ଷରେ ଆଜି ଦିବସବ୍ୟାପୀ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ରାଜ୍ୟସ୍ତରୀୟ କବି ସମ୍ମିଳନୀ ଓ କାବ୍ୟଚର୍ଚ୍ଚା ଅନୁଷ୍ଠିତ ହୋଇଯାଇଛି।

ଶନିବାର ପୂର୍ବାହ୍ନରେ ଓଡ଼ିଶା ସାହିତ୍ୟ ଏକାଡେମୀର ବାଲେଶ୍ଵର ଜିଲ୍ଲା ସଦସ୍ୟ ଡକ୍ଟର ହରିଶ୍ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ କବି ରାଜେଂଦ୍ର କିଶୋର ପଂଡା ଉଦ୍‌ଘାଟନ କରି ଗାନ୍ଧୀଙ୍କ ଉପଲକ୍ଷେ ଏପରି ନିଅାରା କାର୍ଯ୍ୟକ୍ରମ କରାଯାଉଥିବାରୁ ପ୍ରଶଂସା କରିବା ସହିତ କବିତା ପାଠୋତ୍ସବକୁ ଭାଷିକ କଳା ଭାବରେ ଅଭିହିତ କରିଥିଲେ।

ମୁଖ୍ୟଅତିଥି ଭାବରେ ଯଶସ୍ଵୀ କବି ଡକ୍ଟର ଫନୀ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କବି ଧନଞ୍ଜୟ ସ୍ଵାଇଁ, ମୁଖ୍ୟବକ୍ତା ଭାବରେ ଏକାଡେମୀର କାର୍ଯ୍ୟକାରୀ ପରିଷଦ ସଦସ୍ୟ ଡକ୍ଟର ବିଜୟାନନ୍ଦ ସିଂହ ଯୋଗ ଦେଇ ଗାନ୍ଧୀଙ୍କ ସମ୍ପର୍କରେ କବିତା ପାଠୋତ୍ସବର ଅାୟୋଜନ ଓଡ଼ିଶାରେ ପ୍ରଥମ ଓ ଏହା ଅନ୍ୟମାନଙ୍କ ପାଇଁ ପଥପ୍ରଦର୍ଶକ ହେବ ବୋଲି ମତବ୍ୟକ୍ତ କରିଥିଲେ।

ମଧ୍ୟାହ୍ନ ସମୟରେ ବିଶିଷ୍ଟ ଗବେଷକ ଡକ୍ଟର ଅରବିନ୍ଦ ଗିରିଙ୍କ ପୌରୋହିତ୍ୟରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବରେ ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଓ ସମ୍ମାନିତ ଅତିଥି ଭାବରେ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ଯୋଗଦେଇ ଦେଶାତ୍ମବୋଧକ କବିତା ରଚନା କରି ରାଧାନାଥ ରାୟ ଇଂରେଜମାନଙ୍କଠୁ କିପରି ଦଣ୍ଡିତ ହୋଇଥିଲେ, ତାହା ବର୍ଣ୍ଣନା କରିଥିଲେ।

କବି ଓ ଅଧ୍ୟାପକ ଦିଲ୍ଲୀପ ରଥ ଓ ବ୍ୟଙ୍ଗ କବି ସନ୍ନ୍ୟାସୀ ପାତ୍ରଙ୍କ ମିଳିତ ସଂଯୋଜନାରେ କବି ସମରେନ୍ଦ୍ରନାଥ ମହାପାତ୍ର, ସିତାଂଶୁ ଲେଙ୍କା, ରଞ୍ଜନ ବାଗ, କୁଞ୍ଜବିହାରୀ ଧଳ, ସୈରିନ୍ଧ୍ରୀ ସାହୁ, ଉତ୍ପଳ ମହାନ୍ତି, ଯଶୋଧାରା ଦାସ, ଅଶ୍ୱିନୀ ଦାଶ, ରମାକାନ୍ତ ନାୟକ, ଉମେଶ ଚନ୍ଦ୍ର ବାରିକ, ଦୀପ୍ତି ଦାସ, ରାଧାରଞ୍ଜନ ପଟ୍ଟନାୟକ, ବଂଶୀଧର ଚୌଧୁରୀ, ପ୍ରୀତିଲେଖା ଦାସ, ଅଞ୍ଜଳି ପଣ୍ଡା, ଲିପିରେଖା ମହାପାତ୍ର, ଦୀପକ ବୋଷ, ଜୟନ୍ତୀ ବିଶ୍ବାଳ, ଜ୍ୟୋସ୍ନା ରାୟ, କଲ୍ୟାଣୀ ନନ୍ଦ ଓ ମନସ୍ବିନୀ ରଥ ପ୍ରମୁଖ ଦେଶାତ୍ମବୋଧକ କବିତା ପାଠ କରିଥିଲେ। ଶେଷରେ ଡକ୍ଟର ସାରଙ୍ଗଧର ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସେହିପରି ଅପରାହ୍ନ ସମୟରେ ଦ୍ୱିତୀୟ ଅଧିବେଶନ ଡକ୍ଟର ମନୋରମା ବିଶ୍ଵାଳ ମହାପାତ୍ରଙ୍କ ସଭାପତିତ୍ୱରେ ଅନଷ୍ଠିତ ହୋଇଥିଲା। ଏଥିରେ ମହାତ୍ମାଗାନ୍ଧୀଙ୍କ ସମ୍ପର୍କିତ କବିତା ପାଠ ଓ କାବ୍ୟଚର୍ଚ୍ଚା ହୋଇଥିଲା।

ଏଥିରେ ରାଜେଂଦ୍ର କିଶୋର ପଂଡା ମୁଖ୍ୟ ଅତିଥି ହୋଇଥିବା ବେଳେ ଡକ୍ଟର ଗୀତାଶ୍ରୀ ପ୍ରିୟମ୍ବଦା ଓ ତନୁଜା ପଣ୍ଡା କବିତାଗୁଡିକୁ ସଂଯୋଜନା କରିଥିଲେ। ଭୁବନେଶ୍ୱରରୁ କବି ଫନୀ ମହାନ୍ତି, ହୃଷୀକେଶ ମଲ୍ଲିକ, ସରୋଜ ମହାପାତ୍ର, କଟକରୁ ଶତ୍ରୁଘ୍ନ ପାଣ୍ଡବ, ଧନଞ୍ଜୟ ସ୍ବାଇଁ, ଜଗତସିଂପୁରରୁ ପୀତାମ୍ବର ତରାଇ, ସମ୍ବଲପୁରରୁ ସୌଭାଗ୍ୟବନ୍ତ ମହାରଣା, ସୁଶୀଲ ପାଣିଗ୍ରାହୀ, ପୁରୀରୁ ସୁଚେତା ମିଶ୍ର, ବାଲେଶ୍ୱରରୁ ଶ୍ରୀଦେବ, କୃଷ୍ଣ କୁମାର ମହାନ୍ତି, ବିମଳ ଜେନା, ଭଦ୍ରକରୁ ହୃଦାନନ୍ଦ ପାଣିଗ୍ରାହୀ, ରାୟଗଡ଼ରୁ ସୁଶାନ୍ତ କୁମାର ନାୟକ, ରାଉରକେଲାରୁ ରାଜୀବ ପାଣି, ଭଞ୍ଜନଗରରୁ ପ୍ରଶାନ୍ତ ମହାନ୍ତି, କୋରାପୁଟରୁ କମଳାକୃଷ୍ଣ ତ୍ରିପାଠୀ, କେନ୍ଦ୍ରାପଡ଼ାରୁ ମୂରଲୀଧର ସାମଲ, ବାରିପଦାରୁ ଲିପିକା ଦାସ, ବାଲିପାଟଣାରୁ ଭଗବାନ ସାହୁ, ଅଭିମନ୍ୟୁ ନାୟକ, ଜଗତପୁରରୁ ଭରତ ବେହେରା, ଚାନ୍ଦବାଲିରୁ ମାନସ ପଣ୍ଡା ପ୍ରମୁଖ ଯୋଗଦେଇ ସ୍ବରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅକ୍ଷୟ କୁମାର ରାଉତ ପଠିତ କବିତା ଗୁଡିକର ସମୀକ୍ଷା କରିବା ସହ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିବାରଣ ଜେନା, ମମତା ମହାପାତ୍ର, ସୃଷ୍ଟିଧର ପରିଡ଼ା, ପ୍ରଦୀପ ଚାଟ୍ଟାର୍ଜୀ, ତପନ ରାୟ, ନିରୂପମା ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ପାନ୍ଥନିବାସର ମ୍ୟାନେଜର ତାରିକ ଅଲ୍ଲୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ।


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.