କବିତା : ଯୁଦ୍ଧ

✒️ସୁଜିତ କୁମାର ସତପଥି

ଅଜାଣତେ ଆମ ଭିତରେ
କେବେଠୁ ଆରମ୍ଭ ହୋଇସାରିଛି
ଆଉ ଗୋଟିଏ ଯୁଦ୍ଧ

ସଭିଏଁ ଏଠି ପକ୍ଷଧର
ନିଜେ ନିଜର
ମୁଁ ତମର ନୁହଁ କି
ତମେ ମୋର ନୁହଁ

କେବେ ମୁଁ ନାରୀବାଦୀ ହୋଇ ପୁରୁଷଙ୍କୁ ଲାଞ୍ଛେ
ପୁଣି ପୁରୁଷବାଦୀ ହୋଇ ନାରୀକୁ ଅବହେଳେ
ଦଳିତବାଦୀ ହୋଇ ବ୍ରାହ୍ମଣବାଦର ତଣ୍ଟି କାଟେ ତ
ବ୍ରାହ୍ମଣବାଦୀ ହୋଇ ଦଳିତଙ୍କୁ ଅସ୍ପୃଶ୍ଯ କରେ
ଜନବାଦୀ ହୋଇ ସାମନ୍ତବାଦକୁ ତୀର ଯୋଖେ
ପୁଣି ସାମନ୍ତବାଦୀ ହୋଇ ଜନତାର ଛାତିରେ ଯନ୍ତ୍ର ଖଞ୍ଜେ
ଆଉ ପୁଣି ମ୍ଳେଚ୍ଛବାଦୀ ହୋଇ ରାଜନୀତିର ନାଁ ରେ
ଅନ୍ଯବାଦୀଙ୍କୁ ଆଖଡା ଘରେ ନଚାଏ,
ଉପଭୋଗ କରେ

ଏଠି ଶୋଷ କହିଲେ ରକ୍ତ
ଭୋକ କହିଲେ ଘୃଣା
ଆଉ ସମୃଦ୍ଧି କହିଲେ
ଆଉ କାହାର ଛାତିର ଯନ୍ତ୍ରଣା

ଆଶ୍ଚର୍ଯ୍ଯର କଥା ଏୟା ଯେ
ଏ ଯାଏ ଆମେ କେହି
ମଣିଷ ହୋଇପାରିଲେନି
ଡେଣାର ସୁଯୋଗରେ ଆପଣାର ଆକାଶରୁ
ନିଜର ହିଁ ମାଟିକୁ
ତୀର ଯୋଖିବା କାମ କଲେ ଯାହା

ସାମୂହିକ ଡେଣାର ବଫୁରେ
ଫାଶକୁ ବି ଫଶେଇହୁଏ
ପବନରେ
ବୁଝିଲେନି କେହି।

ମୋ: 95567 11272


ଗପ, କବିତା ଓ ସାହିତ୍ୟ ଖବର ସୂଚନା ୨୪x୭ ପାଇବା ପାଇଁ ଏଠି ଛୁଅଁନ୍ତୁ

ସାହିତ୍ୟ@ଓଡ଼ିଆବାର୍ତ୍ତା.ଇନ୍

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.