କଳାହାଣ୍ଡି,୨୮/୪ : ଆସନ୍ତା କାଲି (ବୁଧବାର) ରୁପ୍ରାରୋଡର ସମସ୍ତ ଦୋକାନ ବଜାର ବନ୍ଦ ରଖିବା ପାଇଁ ବ୍ୟବସାୟୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପଞ୍ଚାୟତ ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା । ସରପଞ୍ଚଙ୍କ କହିବା ଅନୁସାରେ ରୁପ୍ରାରୋଡ ବଜାରରେ ହେଉଥିବା ଅଜଥା ଭିଡକୁ ଦୃଷ୍ଟିରେ ରଖି ବୁଧବାର (ଅପ୍ରେଲ ୨୯) ଦିନକ ପାଇଁ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି ।
କରୋନା ଭୁତାଣୁ ସଂକ୍ରମଣକୁ ରୋକିବାକୁ ଦେଶ ଲକଡାଉନରେ ରହିଛି । ରାଜ୍ୟ ସରକାର ମଧ୍ୟ କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ରୁପ୍ରାରୋଡ ଠାରେ ପ୍ରତ୍ୟକ ବୁଧବାର ଦିନ ସାପ୍ତାହିକ ବଜାର ବସେ । ତେବେ କରୋନା କଟକଣା ଯୋଗୁଁ ଏହାକୁ ବନ୍ଦ କରିଛନ୍ତି ପଞ୍ଚାୟତ କତୃପକ୍ଷ । ତେବେ ଏହି ଦିନ ହାତଗଣତି କିଛି ପରିବା ବ୍ୟବସାୟୀ ଆସି ସାମାଜିକ ଦୂରତା ରକ୍ଷା ସହ ପରିବା ବିକ୍ରି କରିଥାନ୍ତି । ତେବେ ରୁପ୍ରାରୋଡ ବସ୍ତି ଓ ବଜାର ଉପରେ ନିର୍ଭର କରୁଥିବା ଲୋକ ଆସୁଥିବାରୁ ଭିଡର ଆଶଙ୍କା ରହିଛି ତେଣୁ ଆଗୁଆ ପଦକ୍ଷେପ ସ୍ବରୂପ ବୁଧବାର ଦିନ ରୁପ୍ରାରୋଡ ବସ୍ତିର ସମସ୍ତ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆ ଯାଇଥିବା ଜଣାପଡିଛି ।