ଛତୁଆ ପ୍ରସ୍ତୁତି ଓ ବଣ୍ଟନରେ ଅନିୟମିତତା ଅଭିଯୋଗ

କଳାହାଣ୍ଡି,୨୧/୬ : ପ୍ରସୂତି ମହିଳା, ପ୍ରାକ ବିଦ୍ୟାଳୟ ଶିଶୁ ଓ କିଶୋରୀମାନଙ୍କ ପୁଷ୍ଠି ସାଧନ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏମାନଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଛତୁଆ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ରାଜ୍ୟର ଅନ୍ୟ ସ୍ଥାନ ପରି କଳାହାଣ୍ଡି ଜିଲ୍ଲାର ଅଙ୍ଗନଓ୍ବାଡି କେନ୍ଦ୍ର ମାନଙ୍କୁ ଠିକ ସମୟରେ ଛତୁଆ ପହଞ୍ଚି ହିତୀଧିକାରୀ ମାନଙ୍କୁ ବଣ୍ଟନ କରାଯାଉଛି । ତେବେ ଜିଲ୍ଲାର ନର୍ଲା ବ୍ଲକରେ ଦିର୍ଘ ଦିନଧରି ଛତୁଆର ମାନ, ପ୍ରସ୍ତୁତକର୍ତ୍ତା ସ୍ବୟଂ ସହାୟକ ଗୋଷ୍ଠୀ ଓ ପରିଚାଳନା ବ୍ୟବସ୍ଥା ଉପରେ ଅଭିଯୋଗ ଉଠି ଆସିଛି । ପୂର୍ବରୁ ଏନେଇ ଅନେକ ଥର ପଞ୍ଚାୟତ ସମିତି ବୈଠକରେ ତୁମ୍ବି ତୋଫାନ ଉଠିଛି କିନ୍ତୁ କାର୍ଯ୍ୟାନୁଷ୍ଠାନ ଶୁନ୍ୟ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।

ଏଠାରେ ସୂଚନାଯୋଗ୍ୟ ଯେ, ନର୍ଲା ବ୍ଲକରେ ମୋଟ ୧୪୫ଟି ଅଙ୍ଗନୱାଡି କେନ୍ଦ୍ର ରହିଛି । ଯେଉଁଥିରୁ ୧୩୩ ଅଙ୍ଗନୱାଡି କେନ୍ଦ୍ର ଓ ୧୨ଟି ମିନି ଅଙ୍ଗନୱାଡି କେନ୍ଦ୍ର । ବ୍ଲକକୁ ୭ଟି ସେକ୍ଟରରେ ଭାଗ କରାଯାଇଛି । ସେଗୁଡିକ ହେଲା ନର୍ଲା, ତୁଲାପଡା, ଭାନପୁର, ସାନ୍ତପୁର, ରୁପ୍ରାରୋଡ, ରୁଫ୍ରା ଓ ପଲମ । ଏହି ସେକ୍ଟର ପାଇଁ ୭ ଜଣ ସୁପରଭାଇଜର ନିଯୁକ୍ତ ହୋଇଛନ୍ତି ।

ବ୍ଲକର ୭ଟି ସେକ୍ଟରର ୧୪୫ ଅଙ୍ଗନୱାଡି କେନ୍ଦ୍ରକୁ ଛତୁଆ ଯୋଗାଣ ପାଇଁ ୩ଟି ସ୍ବୟଂ ସହାୟକ ଗୋଷ୍ଠୀକୁ ଦାଇତ୍ବ ପ୍ରଦାନ କରାଯାଇଛି । ସେମାନେ ହେଲେ ଠାକୁରାଣୀ ସ୍ବୟଂ ସହାୟକ ଗୋଷ୍ଠୀ ଉଲିକୁପା, ମାଁ ମାଣିକେଶ୍ବରୀ ସ୍ବୟଂ ସହାୟକ ଗୋଷ୍ଠୀ ତୁଲାଗାଁ ଓ ମାଁ ଗାୟତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ ରୁଫ୍ରା । ଏମାନେ ଛତୁଆ ପ୍ରସ୍ତୁତ କରି ହଳଦିଆ, ନୀଳ ଓ ଲାଲ ଜରିରେ ପ୍ୟାକେଟ କରି ଦୁଇଟି ପର୍ଯ୍ୟାୟରେ ବଣ୍ଟନ କରିଥାନ୍ତି । ପ୍ରତିମାସ ୧ ଓ ୨ ଏବଂ ୧୫ ଓ ୧୬ ତାରିଖ ଦିନ ଅଙ୍ଗନୱାଡି କେନ୍ଦ୍ର ମାନଙ୍କୁ ଛତୁଆ ପ୍ୟାକେଟ ପହଞ୍ଚିବାର ନିୟମ ରହିଛି । ତେବେ ଏସବୁ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଛତୁଆର ମାନ ଓ ବଣ୍ଟନ ବ୍ୟବସ୍ଥାକୁ ନେଇ ଉଠିଛି ବିରାଟ ପ୍ରଶ୍ନବାଚୀ । ମାଁ ଗାୟତ୍ରୀ ସ୍ବୟଂ ସହାୟକ ଗୋଷ୍ଠୀ ରୁଫ୍ରା ମାସକୁ ଥରେ ଛତୁଆ ପ୍ରଦାନ କରୁଥିବାରୁ ଅବିଭାବକ ମହଲରେ ଅସନ୍ତୋଷର ବାତାବରଣ ଦେଖାଯାଇଛି । ଲୋକଙ୍କ ଅଭିଯୋଗ ପ୍ରସ୍ତୁତ ଛତୁଆରେ ସମସ୍ତ ସଶ୍ୟର ପରିମାଣ ଠିକ ଭାବେ ରହୁନାହିଁ । ଏଥିରେ ଗହମର ପରିମାଣ ଅଧିକ ଓ ଚିନାବାଦାମ, ବୁଟ ପରିମାଣ କମ ରହୁଛି । ଏପଟେ ଛତୁଆର ରିସାଇର୍ଲିଂ ହେଉଥିବା ଅଭିଯୋଗ ଆସିଛି । ସରକାରୀ ନିୟମାନୁସାରେ ୧ କ୍ବିଣ୍ଟାଲ ଗହମରେ ୧୫ କିଲୋ ଚିନାବାଦାମ, ୨୦ କିଲୋ ବୁଟ ଓ ୨୦ କିଲୋ ଚିନି ମିଶିବା କଥା କିନ୍ତୁ ପ୍ରସ୍ତୁତକର୍ତ୍ତା ଗୋଷ୍ଠୀ ଏହାକୁ ଠିକ୍ ଭାବରେ ଅନୁସରଣ କରୁନଥିବା ଅବିଭାବକ ମହଳରୁ ଅଭିଯୋଗ ଆସୁଛି । ଏହି ଗୋଷ୍ଠୀ ତା’ ଅଧିନରେ ଥିବା କେନ୍ଦ୍ରର ପ୍ରାୟ ୧୫୦୦ ଶିଶୁ ଏବଂ ୫୦୦ ଗର୍ଭବତୀ ଓ କିଶୋରୀମାନଙ୍କ ପାଇଁ ପ୍ରତିମାସ ୨୦ ରୁ ୨୫ କ୍ବିଣ୍ଟାଲ ଛତୁଆ ବିତରଣ କରିଥାଏ ବୋଲି ଜଣାପଡିଛି । ତେବେ ଅନିୟମିତତା ସବୁକୁ ଦୂର କରିବା ସହ ଶିଶୁ, ପ୍ରସୂତି ମହିଳା ଓ କିଶୋରୀମାନଙ୍କୁ ଉତ୍ତମ ମାନର ଛତୁଆ ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.