ରାୟଗଡ,୨୪/୭: ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବା ଯୋଗୁଁ ରାୟଗଡ ଜିଲ୍ଳାରେ ପଜିଟିଭଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଜିଲ୍ଳା ପ୍ରଶାସନ ତରଫରୁ ନିଆଯାଉଥିବା ପଦକ୍ଷେପଗୁଡିକ ଉପରେ ମୁଁ ସନ୍ତୁଷ୍ଟ ନୁହେଁ ବୋଲି କହିଛନ୍ତି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲାକା । ଜିଲ୍ଳାରେ ହୋମ କ୍ୱାରେନଟାଇନରେ ରହୁଥିବା ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହେବା ପରେ ବ୍ୟକ୍ତି ରହୁଥିବା ଅଂଚଳକୁ ପ୍ରଶାସନ ତରଫରୁ କନଟେଂଟମେଂଟ ଜୋନ ଘୋଷଣା କରାଯାଉଥିଲେ ମଧ୍ୟ ଏହି ଜୋନ ମଧ୍ୟରୁ ବହୁ ସଂଖ୍ୟକ ପଜିଟିଭ୍ ଚିହ୍ନଟ ହେଉଥିବାରୁ ଏହା ଚିନ୍ତାର କାରଣ ପାଲଟିଛି । ଜିଲ୍ଳା ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଗଂଜାମ ଭଳି ସ୍ଥିତି ରାୟଗଡରେ ଦେଖାଦେବାର ସମ୍ଭାବନା ରହୁଥିବାରୁ ଆକ୍ରାନ୍ତଙ୍କୁ ଚିହ୍ନଟ କରି ଯଥାଶୀଘ୍ର ଅନ୍ୟମାନଙ୍କୁ ସଂକ୍ରମଣରୁ ଦୂରେଇ ରଖିବା ଭଳି ପଦକ୍ଷେପ ଆବଶ୍ୟକ ବୋଲି ଶୁକ୍ରବାର ଦିନ ରାୟଗଡ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ସାଂସଦଙ୍କ ଅନୁଦାନରୁ କୋଭିଡ-୧୯ ଚିକିତ୍ସା ସେବା ନିମନ୍ତେ ଆମ୍ବୁଲାନ୍ସ ସେବାର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଶ୍ରୀ ଉଲାକା କହିଛନ୍ତି ।
କୋରାପୁଟ ଲୋକସଭା ସାସଂଦ ଶ୍ରୀ ଉଲାକା ରାୟଗଡ ଜିଲ୍ଳାରେ କୋଭିଡ-୧୯ଚିକିତ୍ସା ସେବା ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ଏହି ଅନୁଦାନ ରାଶିରୁ ୧୮ଲକ୍ଷ ଟଙ୍କା ବ୍ୟୟରେ କରୋନା ଆକ୍ରାନ୍ତ ରୋଗୀଙ୍କୁ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଆଣିବା ପାଇଁ ଜିଲ୍ଳା ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ଆମ୍ବୁଲାନ୍ସ କ୍ରୟ କରାଯାଇଥିଲା । ଶୁକ୍ରବାର ଦିନ ଏହି ଆମ୍ବୁଲାନ୍ସ ଚଳାଚଳ ପାଇଁ ସାଂସଦ ଶ୍ରୀ ଉଲାକା ଉଦଘାଟନ କରିଥିଲେ ।
ଅପରପକ୍ଷେ ଜିଲ୍ଳା ପ୍ରଶାସନ ତରଫରୁ ୧୦୦ଟି ପଲ୍ସ ଅକ୍ସିମିଟର (ଫିଙ୍ଗରଟିପ୍ସ), ୨୦୦ଟି ହ୍ୟାଣ୍ଡହୋଲ୍ଡ ଇନଫ୍ରାରେଡ୍ ଥର୍ମୋମିଟର, ୧୫ଟି ଇସିଜି ମେସିନ, ବି.ପି.ଇନଷ୍ଟ୍ରୁମେଂଟ, ୧୦୦ଟି ସେଥୋସ୍କୋପ, ୨୦ଟି ସୋଡିୟମ ହାଇପୋକ୍ଳୋରାଇଟ୍ ସାନିଟାଇଜର ସ୍ପ୍ରେ ଓ ୧୦୦ଟି ଗନ ବୁଟ ସାଂସଦଙ୍କ ୫୦ଲକ୍ଷ ଟଙ୍କା ଅନୁଦାନରୁ କ୍ରୟ କରିବା ପାଇଁ ପ୍ରଶାସନ ସ୍ଥିର କରିଛି । ଅପରପକ୍ଷେ ରାୟଗଡ ଜିଲ୍ଳାରେ କରୋନା ମୁକାବିଲା ପାଇଁ ଆବଶ୍ୟକ ପଡୁଥିବା ଚିକିତ୍ସା ସେବା ନିମନ୍ତେ ଯେଉଁମାନେ ଅନୁଦାନ ପ୍ରଦାନ କରିଛନ୍ତି ସେମାନଙ୍କ ଅର୍ଥକୁ ଯଥାଶୀଘ୍ର ଚିକିତ୍ସା ସେବା ପାଇଁ ଖର୍ଚ୍ଚ କରାଯାଉ ବୋଲି ସାଂସଦ ଶ୍ରୀ ଉଲାକା ପ୍ରକାଶ କରିଥିବା ବେଳେ ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟାକୁ ଦୃଷ୍ଟିରେ ରଖି କୋଭିଡ-୧୯ ମାର୍ଗଦର୍ଶିକା ପ୍ରକାରେ ପ୍ରଶାସନ ତାହାର କାର୍ଯ୍ୟ ଜାରି ରଖିଛି । ବତର୍ମାନ କଂଟାକ୍ଟ ଟ୍ରେସିଂ ଜୋରଦାର କରାଯାଇଥିବା ବେଳେ କୈାଣସି କରୋନା ରୋଗୀ ଲୁଚି କି ରହିପାରିବେନି ବୋଲି ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in