ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ପୁଣି ୬୫ ଚିହ୍ନଟ
ଭୟଭୀତ ହେବା ନାହିଁ, ମାର୍ଗଦର୍ଶିକା ମାନି ଚଳି କରୋନାକୁ ଦୂରେଇବା -ଜିଲ୍ଳାପାଳ
ରାୟଗଡ,୨୫/୭: ମହାମାରୀ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ରାୟଗଡ ଜିଲ୍ଳାରେ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୪୮୭ରେ ପଂହଚି ସାରିଲାଣି । ତେବେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ଜିଲ୍ଳାବାସୀ ଭୟଭୀତ ନ ହୋଇ ଏହା ବିପକ୍ଷରେ ଲଢିବା ପାଇଁ ସରକାରଙ୍କ କୋଭିଡ-୧୯ ମାର୍ଗଦର୍ଶିକାକୁ ଅନୁସରଣ କଲେ ଆମେ କରୋନାକୁ ହରାଇ ପାରିବା ଏବଂ ଏଭଳି ଘଡିସନ୍ଧି ମୁହୁର୍ତରେ କରୋନା ରୋଗୀମାନଙ୍କୁ ସେମାନଙ୍କ ମନୋବଳକୁ ଦୃଢ କରିବା ସହ କିଛି ଦିନ ପାଇଁ ଆଇସୋଲେସନରେ ରହିଗଲେ ସେମାନେ ସୁସ୍ଥ ହୋଇ ଘରକୁ ଫେରି ଆସିବେ ବୋଲି ସମସ୍ତେ ଘରେ ରହି ସେମାନଙ୍କୁ ଉତ୍ସାହିତ କରିବା ପାଇଁ ବାର୍ତା ଦେଇଛନ୍ତି ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ।
ସେହିପରି ଜିଲ୍ଳାରେ ଆଜିଠାରୁ କରୋନା ଆକ୍ରାନ୍ତ ରୋଗୀଙ୍କ ସୁସ୍ଥ ସଂଖ୍ୟାକୁ ବୃଦ୍ଧି କରିବା ପାଇଁ ଆହୁରି ପ୍ରୟାସ କରାଯାଉଥିବା ବେଳେ ଆଂଟିଜେନ ଟେଷ୍ଟ, କଂଟାକ୍ଟ ଟ୍ରେସିଂ ସହ ଏଗ୍ରେସିଭ୍ ଟେଷ୍ଟଗୁଡିକୁ ବୃଦ୍ଧି କରି ଘରକୁ ଘର ସର୍ଭେ କରାଯାଇ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଉଛି ବୋଲି ଜିଲ୍ଳାପାଳ ଶ୍ରୀ ବେହେରା କହିଛନ୍ତି । ବର୍ତମାନ ଏହି ସର୍ଭେ ଦ୍ୱାରା ୨୨ଜଣଙ୍କ ପଜିଟିଭ୍ ଲୋକଙ୍କୁ ଚିହ୍ନଟ କରାଯାଇ ସାରିଛି ବୋଲି ମଧ୍ୟ କହିଛନ୍ତି । ସେହିପରି କରୋନା ଲକ୍ଷଣ ଦେଖାଗଲେ ଏହାକୁ ନ ଲୁଚାଇ ତୁରନ୍ତ ୧୦୪କୁ ଡାୟଲ କରି ତଥ୍ୟ ପ୍ରଦାନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।
ରାୟଗଡ ଜିଲ୍ଳାରେ ଆଜି (ଶନିବାର) ପୁଣି ୬୫ଜଣ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୮୭ରେ ପଂହଚିଛି । ଶନିବାର ଚିହ୍ନଟଙ୍କ ମଧ୍ୟରେ ରାୟଗଡ ପୈାରାଂଚଳରୁ ୧୭ଜଣ, ଗୁଣପୁର ପୈାରାଂଚଳରୁ ୩୪, ରାମନାଗୁଡା ବ୍ଳକରୁ ୧୨, ବିଷମକଟକ ଓ ପଦ୍ମପୁର ବ୍ଳକରୁ ଜଣେ ଲେଖାଁଏ ଚିହ୍ନଟ ହୋଇଥିବା ବେଳେ ଦିଲ୍ଳୀ, ଆନ୍ଧ୍ରପ୍ର୍ରଦେଶ, ବିହାର, କୋରାପୁଟ, ଗଜପତି ଓ ତେଲଙ୍ଗାନାରୁ ଫେରିଥିବା ୧୧ଜଣଙ୍କ ଗସ୍ତ ତଥ୍ୟ ରହିଥିବା ବେଳେ ୫ଜଣ ଟିଏମସି କେନ୍ଦ୍ରରୁ ଏବଂ ୨ଜଣ ସ୍ୱାସ୍ଥ୍ୟ କର୍ମୀ,୨ଜଣ ଶିକ୍ଷକ ଓ ୨ଜଣ ସିଆରପିଏଫ ଯବାନ ମୋଟ ୬ଜଣ କରୋନା ଯୋଦ୍ଧା ଚିହ୍ନଟ ହୋଇଥିବା ନେଇ ଜିଲ୍ଳାପାଳ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଳାରେ ୨୧୦ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୭୩ ଜଣ ସକ୍ରିୟ ରୋଗୀ ରହିଛନ୍ତି । ଏମାନଙ୍କୁ ଜିଲ୍ଳାର ତାଡମା, ଗୁଣପୁର, ବିଷମକଟକ କୋଭିଡ୍ କେୟାର କେନ୍ଦ୍ରରେ ଏବଂ ଜେକେପୁର ସ୍ଥିତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଯାଉଛି ।
ସେହିପରି ଜିଲ୍ଳାରେ ମୋଟ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶନିବାର ଦିନ ଜଣେ ୪୭ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ଦିଆଯାଇଛି । ମୃତ ବ୍ୟକ୍ତି ଜଣଙ୍କ କରୋନାରେ ଆକ୍ରାନ୍ତ ହେବା ସହ ଶ୍ୱାସଜନୀତ ରୋଗ ଓ ମୋଟାପଣ ରୋଗ ପାଇଁ ଚିକିତ୍ସିତ ହେଉଥିଲେ ବୋଲି ସୂଚନା ରହିଛି । ଫଳରେ ମୃତକଙ୍କ ସଂଖ୍ୟା ୪ରେ ପଂହଚିଛି । ରାୟଗଡ ଜିଲ୍ଳାରେ ବୃଦ୍ଧି ପାଉଥିବା ପଜିଟିଭ ସଂଖ୍ୟାକୁ ଦୃଷ୍ଟିରେ ରଖି ୭ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇ ପ୍ରଶାସନ ତରଫରୁ ବିଭିନ୍ନ ଟେଷ୍ଟିଂ କରାଯାଇ କରୋନା ଲକ୍ଷଣ ଥିବା ରୋଗୀଙ୍କୁ ଚିହ୍ନଟ କରାଯାଉଥିବାରୁ ଜିଲ୍ଳାବାସୀ ଭୟଭୀତ ନ ହେବା ପାଇଁ ଜିଲ୍ଳାପାଳ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in