ପ୍ରଗତି ଶିକ୍ଷାନୁଷ୍ଠାନ ପକ୍ଷରୁ ୱେବିନାର୍ : ସଫଳତାର ସୂତ୍ର କହିଲେ ପ୍ରଫେସର୍ ଦିଗମ୍ବର ପାତ୍ର

କଳାହାଣ୍ଡି: ଭବାନୀପାଟଣା ସହର ନିକଟବର୍ତ୍ତୀ ରାଇସିଙ୍ଗପୁରଠାରେ ଥିବା ପ୍ରଗତି ଡିଗ୍ରୀ କଲେଜରେ ଏକ ୱେବିନାର୍ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହା ଏକ ମେଣ୍ଟରିଂ ୱେବକାଷ୍ଟ ଥିଲା, ଯାହା ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେବା ଏବଂ ସ୍ନାତକୋତ୍ତର ପରେ ସେମାନଙ୍କ କେରିଅର୍ ଗଠନ ସହ ଜୀବନରେ ସଫଳ ହେବା ପାଇଁ ବିଭିନ୍ନ ପ୍ଲାଟଫର୍ମ ବାଛିବାରେ ସେମାନଙ୍କର ଆତ୍ମବିଶ୍ୱାସ ସ୍ତରକୁ ବୃଦ୍ଧି କରିବା ଏହାର ଲକ୍ଷ୍ୟ ଥିଲା। ଏହି ୱେବିନାର୍ କର୍ମଶାଳାକୁ ଲେବାନନ୍ ସ୍ଥିତ ଆମେରିକାନ୍ ୟୁନିଭର୍ସିଟି ଅଫ୍ ବେରୁତ୍’ର ରସାୟନ ବିଜ୍ଞାନ ପ୍ରଫେସର ତଥା ବିଭାଗୀୟ ଅଧ୍ୟକ୍ଷ ଡ. ଦିଗମ୍ବର ପାତ୍ର ଉପସ୍ଥାପନ କରିଥିଲେ।

ପ୍ରଫେସର୍ ପାତ୍ର ନାନୋ ରସାୟନ ବିଜ୍ଞାନ, ଫ୍ଲୋରୋସେନ୍ସ ସ୍ପେକ୍ଟ୍ରସ୍କୋପି ଏବଂ ବାୟୋଫିଜିକାଲ୍ ରସାୟନ ବିଜ୍ଞାନରେ ଜଣେ ବିଶେଷଜ୍ଞ। ସେ ମାଡ୍ରାସର ଆଇଆଇଟିରୁ ରସାୟନ ବିଜ୍ଞାନରେ ପିଏଚଡି ସମାପ୍ତ କରିଥିଲେ। ସେ ଆଇଆଇଟି ମାଡ୍ରାସ, ବେସେଲ ୟୁନିଭରସିଟି (ସ୍ୱିଜରଲାଣ୍ଡ), ନେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ନେଚୁରାଲ୍ ସାଇନ୍ସ, ଓକାଜାକି (ଜାପାନ) ଏବଂ ୱାସେଡା ବିଶ୍ୱବିଦ୍ୟାଳୟ, ଟୋକିଓ (ଜାପାନ) ରେ ପୋଷ୍ଟ ଡକ୍ଟରାଲ୍ ଫେଲୋ ଭାବରେ କାର୍ଯ୍ୟ କରିଛନ୍ତି। ସେ ୱାସେଡା ବିଶ୍ୱବିଦ୍ୟାଳୟରେ ପରିଦର୍ଶକ ଅଧ୍ୟାପକ ତଥା ଫିନଲାଣ୍ଡର ତୁର୍କୁ, ଆବୋ ଏକାଡେମୀ ବିଶ୍ୱବିଦ୍ୟାଳୟରେ ଭିଜିଟ୍ ସ୍କଲାର୍ ଭାବରେ କାର୍ଯ୍ୟ କରିଛନ୍ତି। ଶିକ୍ଷା ବ୍ୟବସ୍ଥା ବ୍ୟତୀତ ସେ କଳାହାଣ୍ଡି ଅଞ୍ଚଳ ତଥା ଓଡିଶାର ଶିକ୍ଷା, ଭିତ୍ତିଭୂମି, ରେଳବାଇ ଏବଂ ଶିଳ୍ପ ବିକାଶ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି।

ସେ ତାଙ୍କର ସମସ୍ତ ଅଭିଜ୍ଞତା ଏବଂ ଜୀବନଯାତ୍ରା ସମ୍ପର୍କରେ କହିବାକୁ ଯାଇ କହିଥିଲେ ଯେ, ସେ କିପରି ସମସ୍ତ ପ୍ରତିଯୋଗିତା ଏବଂ ଅର୍ଥନୈତିକ ପ୍ରତିବନ୍ଧକକୁ ପଛରେ ପକାଇ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଥିଲେ, ଯାହା ଶୁଣି ଛାତ୍ରଛାତ୍ରୀମାନେ ଉତ୍ସାହିତ ହୋଇଥିଲେ।

ଅଜୟ କୁମାର ପଣ୍ଡା

ଏହି କର୍ମଶାଳାରେ ମୁଖ୍ୟ ବକ୍ତାଙ୍କ ସହିତ ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ଅଜୟ କୁମାର ପଣ୍ଡା ଏବଂ ପ୍ରଗତି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀ ଅତିଥି ଭାବରେ ଯୋଗଦେବା ସହ ସଦସ୍ୟମାନଙ୍କୁ ସଂଗଠିତ କରିଥିଲେ।

ଶ୍ରୀ ପଣ୍ଡା ତାଙ୍କ ମତରେ କହିଥିଲେ ଯେ ପ୍ରଫେସର ପାତ୍ରଙ୍କ ପରି ସଫଳ ତଥା ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ଠାରୁ ଏହିପରି ପରାମର୍ଶ ଶୁଣିବା ଦ୍ୱାରା ପ୍ରଗତି ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବରେ ପ୍ରେରଣା ଓ ଉତ୍ସାହ ପାଇବା ସହ ଜୀବନର ଲକ୍ଷ୍ୟପଥରେ ପହଂଚିବାର ସ୍ୱପ୍ନକୁ ସାକାର କରିପାରିବେ।

ପରବର୍ତ୍ତୀ ସମୟରେ ମଧ୍ୟ ପ୍ରଫେସର ପାତ୍ରଙ୍କ ସହ ଯୋଗାଯୋଗ କରି ଏହି ମହାମାରୀ ପରେ ତାଙ୍କୁ ଲାଇଭ୍ ସେମିନାରରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଥିଲେ।

ଏହି ୱେବିନାର୍ କର୍ମଶାଳାକୁ ପ୍ରାଣୀ ବିଜ୍ଞାନର ଅଧ୍ୟାପକ ସନ୍ତୋଷ କୁମାର ପଟ୍ଟନାୟକ ସଂଯୋଜନା କରିଥିବା ବେଳେ ସମସ୍ତ ଅଧ୍ୟାପକ ଅଧ୍ୟାପିକାମାନେ ୱେବିନାରରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ପରିଶେଷରେ ଅଧ୍ୟକ୍ଷ ଜଗନ୍ନାଥ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.