ବିବାହିତା ମହିଳାଙ୍କୁ ଦାଦନ ସର୍ଦ୍ଦାରଙ୍କ ଅପହରଣ!

ଉଦ୍ଧାର ପାଇଁ ପରିବାର ଲୋକଙ୍କ ଆକୁଳ ନିବେଦନ

ନୂଆପଡ଼ା,୨୫ା୧: ନୂଆପଡ଼ା ଜିଲ୍ଲା କୋମନା ଥାନା ଠିକପାଲି ଗାଁର ଜଣେ ବିବାହିତା ମହିଳାଙ୍କୁ ଦାଦନ ସର୍ଦ୍ଦାର ଅପହରଣ କରି ନେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅପହୃତା ମହିଳା ଜଣକ ହେଲେ ଟେଭା ବିଭାର (୧୯) । ଏବେ ମହିଳାଙ୍କୁ ଇଟା ଭାଟି ମାଲିକ ଆନ୍ଧ୍ରପ୍ରଦେଶରେ ବନ୍ଧକ ରଖି ନିର୍ଯ୍ୟାତନା ଦେଉଥିବା ପରିବାର ଲୋକେ କହିଛନ୍ତି । ତେବେ ତୁରନ୍ତ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ।

ଠିକପାଲି ଗାଁର ଚୈତନ୍ୟ ବିଭାର( ୫୦), ସ୍ତ୍ରୀ ଚନ୍ଦ୍ରା ବିଭାର (୪୫), ପୁଅ ମେଘନାଦ ବିଭାର (୨୨) ଓ ପୁତ୍ରବଧୂ ଟେଭା ବିଭାର (୧୯)ଙ୍କ ତେଲ ଲୁଣର ସଂସାର । ଜମିବାଡି କହିଲେ ଦେଢ ଏକର ଶୁଖିଲା ଜମି ରହିଛି । ଗତ ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷବାସ ଉଜୁଡି ଯାଇଥିଲା । ଅନ୍ୟପଟେ ହାତ ଉଧାରି ଋଣ ଭାର ବଢି ଚାଲିଥିଲା । ଶେଷରେ ନବ ବିବାହିତ ପରିବାର ପେଟ ପାଉଣା ପାଇଁ ରାଜ୍ୟ ବାହାରକୁ ଦାଦନ ଖଟି ଯିବାକୁ ବାଧ୍ୟ ହୋଇଥିଲେ । ଗତ ଦଶହରା ସମୟରେ ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା କୋଦୋଭଟା ଗାଁର ଗଦା ବାରିକ ନାମକ ଜଣେ ଶ୍ରମିକ ସର୍ଦ୍ଦାରଙ୍କଠାରୁ ମେଘନାଦ ଓ ଟେଭା ସ୍ୱାମୀ ସ୍ତ୍ରୀ ୫୦ ହଜାର ଟଙ୍କା ଅଗ୍ରୀମ ନେଇ ଧାର କରଜ ସୁଝି ଆନ୍ଧ୍ରପ୍ରଦେଶର ଦୁନ୍ଦିକେଲ ଅଞ୍ଚଳକୁ ଯାଇଥିଲେ । ସେଠାରେ ସ୍ୱାମୀ ସ୍ତ୍ରୀ ଇଟା ତିଆରି କାମରେ ନିୟୋଜିତ ହୋଇଥିଲେ । ଭଲ ଇଟା ତିଆରି କରିବା ସତ୍ତ୍ୱେ ସ୍ୱାମୀ ଓ ସ୍ତ୍ରୀଙ୍କୁ ଇଟା ଭାଟି ମାଲିକ ମାନସିକ ନିର୍ଯ୍ୟାତନା ଦେଇଥିଲେ । ଫଳରେ ଉଭୟଙ୍କୁ ଉଦ୍ଧାର କରିବାକୁ ମେଘନାଦ ନିଜ ବାପା ଚୈତନ୍ୟଙ୍କୁ ଫୋନ ଯୋଗେ କହିଥିଲେ । ଗତ ଡିସେମ୍ବର ୧୨ ତାରିଖରେ ମେଘନାଦଙ୍କ ବାପା ଚୈତନ୍ୟ ଇଟାଭାଟିକୁ ଯାଇ ନିଜ ପୁତ୍ରବଧୁଙ୍କୁ ଲୁଚାଇ ନେଇ ଆସିଥିଲେ । ଉଭୟ ଫେରିବା ବାଟରେ ପୁତ୍ରବଧୂ କଲାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କେନପଡା ନିଜ ମାଁ ଘରେ ରହିବାକୁ କହିଥିଲେ । ଟେଭାଙ୍କୁ ମାଁ ଘରେ ଛାଡି ଚୈତନ୍ୟ ନିଜ ଗାଁକୁ ଚାଲି ଆସିଥିଲେ । ତା ପରଦିନ ନିର୍ଯ୍ୟାତନା ଅସହ୍ୟ ହେବାରୁ ମେଘନାଦ ଲୁଚି ନିଜ ଗାଁ ଠିକପାଲିକୁ ପଲାଇ ଆସିଥିଲେ । ଅଗ୍ରୀମ ଟଙ୍କାରୁ କାମ କରିଥିବା ଟଙ୍କାକୁ କାଟି ଦେଇ ବକେୟା ଟଙ୍କାକୁ ଶ୍ରମିକ ସଦ୍ଦାରଙ୍କୁ ଫେରାଇ ଦେବାକୁ କହିଥିଲେ । ଗତ ଡିସେମ୍ବର ୧୫ ତାରିଖରେ ବେଲପଡା ଥାନା ପରଲିମାଲ ପଞ୍ଚାୟତର ରେଙ୍ଗାଲି ଗାଁର ତାଙ୍କ ସମ୍ପକୀୟ ମାମୁଁଙ୍କୁ ପୁଅ ଟିକେଶ୍ୱର ସୁନାନୀ ଓ ସ୍ତ୍ରୀ ପୁଚୁଡି ସୁନାନୀ କେନପଡାକୁ ଆସିଥିଲେ । ସେଠାରେ ଟେଭାଙ୍କୁ ଠିକପାଲି ତାଙ୍କ ଶାଶୁ ଘରେ ଛାଡି ଦେବାକୁ କହି ଏକ ବୋଲେରୋ ଯୋଗେ ବସାଇ ଆଣିଥିଲେ । ହେଲେ ଠିକପାଲି ଆଣିବା ପରିବର୍ତ୍ତେ ଟ୍ରେନରେ ବସାଇ ଜୋର ଜବରଦସ୍ତି ଆନ୍ଧ୍ରପ୍ରଦେଶର ଦୁନ୍ଦିକେଲ ଇଟାଭାଟିକୁ ନେଇ ଯାଇଥିଲେ । ଏବେ ବିବାହିତ ମହିଳା ଟେଭାଙ୍କୁ ଇଟାଭାଟିରେ ବନ୍ଧକ ରଖି ମାନସିକ, ଶାରୀରିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବକେୟା ଟଙ୍କା ଫେରାଇ ଦେବାକୁ ପରିବାର ଲୋକେ ରାଜି ହୋଇଥିଲେ ବି ତାଙ୍କୁ ସର୍ଦ୍ଦାର ଛାଡୁ ନାହାନ୍ତି । ଏବେ ସ୍ୱାମୀଙ୍କ ଅନୁପସ୍ଥିତିରେ ଟେଭା ଅସହାୟ ଅବସ୍ଥାରେ ଦିନ ରାତି ଆଖିରୁ ଲୁହ ଥମୁ ନାହିଁ । ଗତ ଜାନୁୟାରୀ ୧୭ ତାରିଖରେ ତାଙ୍କ ପରିବାର ଲୋକେ କୋମନା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୁଇ ଦିନ ପରେ କୋମନା ପୁଲିସ ଏହା କେସିଙ୍ଗା ଅଞ୍ଚଳର ଘଟଣା ବୋଲି ଏଫାୟାର କପିକୁ ଫେରାଇ ଦେଇଥିଲା । ଗତ ୨୧ ତାରିଖରେ ଜିଲ୍ଲା ଓକିଲ ସଂଘ ସଭାପତି ପ୍ରସନ୍ନ ପାଢିଙ୍କ ନେତୃତ୍ୱରେ ଏସପି ସ୍ମିତ ପି ପରମାରଙ୍କୁ ଲିଖିତ ଅଭିଯୋଗ କରି ପୁତ୍ରବଧୂଙ୍କୁ ଉଦ୍ଧାର କରିବାକୁ ଅନୁରୋଧ କରିଥିଲେ । ଏବେ ୫ ଦିନ ବିତି ଯାଇଥିଲେ ବି ପୁଲିସ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ପରିବାର ଲୋକେ ଅଭିଯୋଗ କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ତେବେ ତୁରନ୍ତ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପରିବାର ଲୋକେ ଜିଲ୍ଲା ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି । ଏନେଇ ଏସପି ସ୍ମିତ ପି ପରମାରଙ୍କୁ ପଚାରିବାରୁ, ତାଙ୍କର ଅଭିଯୋଗ ପତ୍ରକୁ କୋମନା ଥାନାକୁ ପଠାଇ ଦେଇଛି । ସେଠାରେ ପଂଜିକୃତ କରି କେସିଙ୍ଗା ଥାନାକୁ ପଠାଇ ଦିଆଯିବ । ଘଟଣାର ତଦନ୍ତ ଚାଲିଛି ଓ ତାଙ୍କୁ ଖୁବ ଶୀଘ୍ର ଉଦ୍ଧାର କରିବାକୁ ଆମେ ପଦକ୍ଷେପ ନେଇଛୁ ବୋଲି କହିଥିଲେ ।

ନୂଆପଡ଼ାରୁ ମହେନ୍ଦ୍ର କୁମାର ବାଗ (ରାହୁଲ)ଙ୍କ ରିପୋର୍ଟ୍ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.