ଆମ୍ବୁଲାନ୍ସ ନମିଳିବାରୁ ବାଇକରେ ବୁହା ହେଲା ମୃତ ଦେହ

ମୋହନା,(ଏସ୍ ତ୍ରିପାଠୀ): ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ।ଆମ୍ବୁଲାନ୍ସ କିମ୍ବା ମହାପ୍ରୟାଣ ଗାଡି ନମିଳିବା କାରଣରୁ ବାଇକରେ ବୁହା ହେଲା ମୃତ ଦେହ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନାମାନ ପ୍ରଣୟନ କରି କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି, ହେଲେ ଆଜି ଗଜପତି ଜିଲ୍ଲା ନୂଆଁଗଡ଼ ବ୍ଲକ ଖଜୁରୀପଦାରେ ଯେପରି ଏକ ଅଭାବନୀୟ ଘଟଣା ଘଟିଛି ତାହା ସରକାରଙ୍କ ଯୋଜନ ସବୁ ଲୋକ ଦେଖାଣିଆଁ । ଗଜପତି ଜିଲ୍ଲାରେ ପହଞ୍ଚି ପାରୁନି ପ୍ରଶାସନର ଉଦାରତା । କିଛି ବର୍ଷ ପୂର୍ବରୁ କଳାହାଣ୍ଡିର ଦାନ ମାଝି ନିଜ ପତ୍ନୀଙ୍କ ମୃତ ଶରୀର ବୋହି ରାସ୍ତାରେ ଚାଲି ଚାଲି ଆସୁଥିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ତାହା ପୁଣି ଏବେ ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି । ମହାପ୍ରୟାଣ ନମିଳିବାରୁ ୬୫ ବର୍ଷର ବାପାଙ୍କ ମୃତ ଶରୀର ବାଇକରେ ଖଜୁରୀପଦା ମେଡିକାଲରୁ ନିଜଗ୍ରାମ ନୂଆଗଡକୁ ପୁଅ ନେଉଥିବା ଦେଖିବାକୁ ମିଳିଛି । ସୂଚନା ପ୍ରକାରେ ନୂଆଁଗଡ଼ ଗ୍ରାମର ବେବ୍ରତା ବୟସ (୬୫) ବୁଧବାର ସକାଳୁ ତାଙ୍କ ଦେହ ଅସୁସ୍ଥ ହେବାରୁ  ନୂଆଁଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ ପରିବାର ଲୋକେ । ତେବେ ସେଠାରେ ତାଙ୍କର ଶାରୀରିକ ଅବସ୍ଥା ଜଟିଳ ଥିବା ହେତୁ ଡାକ୍ତର ତାଙ୍କୁ ଖଜୁରୀପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ଲାଗି ପରାମର୍ଶ ଦେଇଥିଲେ । ଖଜୁରୀପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ପରିବାର ଲୋକେ ମୃତ ବ୍ୟକ୍ତିଙ୍କୁ ନିଜ ଗ୍ରାମକୁ ନେବାଲାଗି ଆମ୍ବୁଲାନ୍ସ ଓ ମହାପ୍ରୟାଣ ଯୋଗାଇ ଦେବାଲାଗି ନିବେଦନ କରିବାପରେ ଡାକ୍ତର ତାଙ୍କୁ ଆମ୍ବୁଲାନ୍ସ /ମହାପ୍ରୟାଣ ନଥିବା କହି ମନା କରିଦେବାରୁ ପୁଅ ମୃତ ଶରୀର ବାଇକରେ ଖଜୁରୀପଦା ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ଗ୍ରାମ ନୂଆଗଡକୁ ନେଉଥିବା ଦେଖିବାକୁ ମିଳିଥିଲା ।ଏପରି ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ବାସିନ୍ଦା ଦୁଃଖ ପ୍ରକାଶ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରର ଏପରି କାର୍ଯ୍ୟକୁ ଦେଖି ଦୃଢ଼ ନିନ୍ଦା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.